Home Forest ଓଡିଶା ଜଙ୍ଗଲରେ ବଢୁଛନ୍ତି ହାତୀ

ଓଡିଶା ଜଙ୍ଗଲରେ ବଢୁଛନ୍ତି ହାତୀ

ଭୁବନେଶ୍ୱର: ଅନୁକୂଳ ପରିବେଶ ଯୋଗୁଁ ଓଡ଼ିଶା ଜଙ୍ଗଲରେ ୨ହଜାରରୁ ଅଧିକ ହାତୀ ରହିଛନ୍ତି । ପୂର୍ବ ତୁଳନାରେ ଏମାନଙ୍କ ସଂଖ୍ୟା ବଢିଛି । ହାତୀଙ୍କ ଏଭଳି ସଂଖ୍ୟାକୁ ନେଇ ପ୍ରକୃତିପ୍ରେମୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ ଖୁସି ଅଛନ୍ତି।

ନିକଟରେ ପ୍ରକାଶିତ ସଦ୍ୟତମ ହାତୀ ଗଣନା ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୨୦୯୮ଟି ହାତୀ ରହିଛନ୍ତି । ଚଳିତ ବର୍ଷ ମେ ମାସରେ ଏହି ଆକଳନ କରାଯାଇଥିଲା।

ରାଜ୍ୟର ୨୮ଟି ଜିଲ୍ଲାର ୪୮ଟି ବନଖଣ୍ଡରେ ୩୧୩ ଜଣ ବୟସ୍କ ଦନ୍ତା, ୧୩ ଜଣ ବୟସ୍କ ମଖନା, ୭୪୮ ଜଣ ବୟସ୍କ ମାଈ, ୧୪୮ ଜଣ ଉପବୟସ୍କ ଅଣ୍ଡିରା, ୨୮୨ ଜଣ ଉପବୟସ୍କ ମାଈ, ୨୦୯ ଜଣ କମ୍‍ ବୟସ୍କ ଓ ୩୮୫ଟି ଛୋଟ ହାତୀଙ୍କୁ ମିଶାଇ ମୋଟ ୨୦୯୮ଟି ହାତୀ ରହିଛନ୍ତି।

୨୦୧୭ମସିହାରେ ହୋଇଥିବା ଶେଷ ହାତୀ ଗଣନା ସମୟରେ ୧୯୭୬ଟି ହାତୀ ଥିଲେ, ଯେଉଁଥିରେ ୨୧୨ଟି ବୟସ୍କ ଦନ୍ତା, ୧୦ଟି ବୟସ୍କ ମଖନା, ୮୧୬ଟି ବୟସ୍କ ମାଈ, ୧୨୨ଟି ଉପବୟସ୍କ ଅଣ୍ଡିରା, ୨୭୬ଟି ଉପବୟସ୍କ ମାଈ, ୩୮ଟିର ଲିଙ୍ଗ ଚିହ୍ନଟ ହୋଇନଥିବାବେଳେ ୨୦୩ଟି  ଓ ୨୯୯ଟି ଛୋଟ ହାତୀ ରହିଥିଲେ।

ଅନୁଗୁଳ, ଆଠଗଡ଼, ଢେଙ୍କାନାଳ, ବାରିପଦା, ଚନ୍ଦକା, ଖୋର୍ଦ୍ଧା, ବଣାଇ ଓ କେନ୍ଦୁଝର ବନଖଣ୍ଡ ଭଳି କେତେକ ଡିଭିଜନରେ ଏହି ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ଅନୁଗୁଳ, ରାଉରକେଲା ଓ ବାରିପଦା ସର୍କଲରେ ମଧ୍ୟ ହାତୀଙ୍କ ଗତିବିଧିରେ ଉଲ୍ଲେଖନୀୟ ପରିବର୍ତନ ଦେଖିବାକୁ ମିଳିଛି।

ଗତ ୭ ବର୍ଷ ମଧ୍ୟରେ ଦନ୍ତାହାତୀଙ୍କ ସଂଖ୍ୟା ୪୦ ପ୍ରତିଶତ ପର୍ଯ୍ୟନ୍ତ ଯଥେଷ୍ଟ ବୃଦ୍ଧି ପାଇଛି। ଏହା ଫଳରେ ବୟସ୍କ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସୁସ୍ଥ ଅନୁପାତ ସୃଷ୍ଟି ହୋଇଛି ଏବଂ ସମଗ୍ର ଜନସଂଖ୍ୟାରେ ଯୁବବର୍ଗଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ରହିଛି ବୋଲି ପିସିସିଏଫ୍ ଶ୍ରୀ ନନ୍ଦ କହିଛନ୍ତି।

ସକାରାତ୍ମକ ପରିବେଶ ଯୋଗୁଁ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ହାତୀ ମାନେ ମଧ୍ୟ ଓଡ଼ିଶା ଆଡ଼କୁ ମୁହାଁଉଛନ୍ତି।

୩ଟି ହାତୀ ଅଭୟାରଣ୍ୟରେ ମୋଟ ୫୮୪ଟି ହାତୀ ଗଣନା କରାଯାଇଥିଲା, ଯାହା କି ରାଜ୍ୟର ମୋଟ ହାତୀ ସଂଖ୍ୟାର ପ୍ରାୟ ୨୮ ପ୍ରତିଶତ।

ଓଡ଼ିଶାରେ ଏବେ ହାତୀ ସଂଖ୍ୟା ଅଧିକ ଥିବା ବେଳେ ବୟସ ସ୍ଥିର ରହିଥିବା ବେଳେ ଏହାର ଅଭିବୃଦ୍ଧି ହାର ପ୍ରାୟ ୩ ପ୍ରତିଶତ ରହିଛି।