Home News in Odia ଓଡିଶା ଚାଳକଙ୍କୁ ଜାପାନରେ ନିଯୁକ୍ତି

ଓଡିଶା ଚାଳକଙ୍କୁ ଜାପାନରେ ନିଯୁକ୍ତି

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଯାନ ଚାଳନା ତାଲିମ କେନ୍ଦ୍ରରୁ ପ୍ରଶିକ୍ଷିତ ଜଣେ ଦକ୍ଷ ଗାଡ଼ି ଚାଳକ ସଫଳ ସୁବାହକ ଭାବେ ଆଜି ବିଶ୍ୱସ୍ତରରେ ନିଜର ସୁନାମ ହାସଲ କରିବାରେ ସକ୍ଷମ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାର ରାକେଶ କୁମାର ଦାସ ଜାପାନର ଏକ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇ ଜାପାନ ଅଭିମୁଖେ ଯାଇଛନ୍ତି ।

ଓଡ଼ିଶା ସରକାରଙ୍କ ପକ୍ଷରୁ ଯାନ ଚାଳନା ତାଲିମ ଓ ଗବେଷଣା ପ୍ରତିଷ୍ଠାନ ବଣାଇ, ଛତିଆ, ପାଲୁର, କେନ୍ଦୁଝରରେ ରହିଛି। ରାକେଶ ଛତିଆ ପ୍ରଶିକ୍ଷଣ କେନ୍ଦ୍ରରୁ ସୁବାହକ ଭାବେ ପ୍ରଶିକ୍ଷିତ ହୋଇଥିଲେ।ଏଠାରେ ପ୍ରଶିକ୍ଷାର୍ଥୀଙ୍କତାଲିମ୍ ସହ ରହିବା ଖାଇବାର ସମସ୍ତ ଖର୍ଚ୍ଚ ସରକାରଙ୍କ ଦ୍ୱାରା ବହନ କରାଯାଇଥାଏ । ସଫଳତାର ସହ ଯାନ ଚାଳନା ଶିଖିବା ପରେ ଜାପାନର ମାରୁଇ କମ୍ପାନୀରେ ସେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି ।

ଜାପାନ ଯିବା ପାଇଁ ସେଠାକାର ଭାଷା ଏବଂ ଚାଲିଚଳଣି ବାବଦରେ ପ୍ରଶିକ୍ଷଣ ଦେବା ପାଇଁ ଓଡ଼ିଶା ସରକାର ଭାରତର ଏକ ପ୍ରତିଷ୍ଠିତ କମ୍ପାନୀ ନାଭିସ୍ ଏଚଆର୍ ସହ ଚୁକ୍ତି କରିଥିଲେ । ସେଠାରେ ତାଙ୍କୁ ପ୍ରସ୍ତୁତ କରାଯାଇଥିଲା। ନିଯୁକ୍ତି ନେଇ ରାକେଶ ଖୁସିଥିବା ବେଳେ , ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗାଡ଼ି ଚାଳନା ପ୍ରଶିକ୍ଷଣର ସୁଯୋଗ ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଥିବା ସେ କହିଛନ୍ତି ।

ରାକେଶଙ୍କ ନିଯୁକ୍ତି ନେଇ ତାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତିଭୂଷଣ ଜେନା, ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ ଆୟୁକ୍ତ ଅମିତାଭ ଠାକୁର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ଏହି କାହାଣୀ ଜଣେ ସାଧାରଣ ମଣିଷର, ଯିଏ ସରକାରୀ ସମର୍ଥନରେ ନିଜ ଦକ୍ଷତା ବଳରେ ରାଜ୍ୟ ନାଁକୁ ଆଗକୁ ବଢାଇଛନ୍ତି ଏବଂ ବିଶ୍ୱସ୍ତରରେ ଉଦାହରଣ ସୃଷ୍ଟି କରିଛନ୍ତି।ବଣାଇ, ଛତିଆ, ପାଲୁର ଏବଂ କେନ୍ଦୁଝର ଏହି ଚାରୋଟି ପ୍ରଶିକ୍ଷଣ କେନ୍ଦ୍ରରେ ଯେଉଁମାନେ ପ୍ରଶିକ୍ଷଣ ନେବାକୁ ଆସନ୍ତି ସେମାନେ ହୁଏତ ଉଚ୍ଚଶିକ୍ଷିତ ନହୋଇପାରନ୍ତି କିନ୍ତୁ ସେମାନେ ଯଦି ନିଷ୍ଠାର ସହ ପ୍ରଶିକ୍ଷଣ ନେବେ ତେବେ ରୋଜଗାର କ୍ଷେତ୍ରରେ ମଧ୍ୟ ନିଜ ପାଇଁ ଭଲ ସମ୍ଭାବନା ସୃଷ୍ଟି କରିପାରିବେ ।

କେବଳ ରାକେଶ ନୁହେଁ, ଅନ୍ୟ ଅନେକ ସୁବାହକମାନେ ଓଡ଼ିଶା ଭିତରେ ଏବଂ ଦେଶର ଅନ୍ୟ ଭାଗରେ ମଧ୍ୟ ଏହି କେନ୍ଦ୍ରରେ ପ୍ରଶିକ୍ଷିତ ଚାଳକ ମାନେ ସଫଳତାର ସହ ନିଯୁକ୍ତି ସୁଯୋଗ ପାଇଛନ୍ତି । ସରକାର କେବଳ ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନିଅନ୍ତି ନାହଁ,ସେମାନଙ୍କର ନିଯୁକ୍ତି ପାଇଁ ମଧ୍ୟ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାଙ୍କ ସହଯୋଗରେଉଦ୍ୟମ କରାଯାଏ ।

ଏଭଳି ଦକ୍ଷ ଚାଳକମାନେ ସଡ଼କ ସୁରକ୍ଷା କ୍ଷେତ୍ରରେ ମଧ୍ୟ ନିଜର ବୃହତ ଯୋଗଦାନ ଦେଇଆସୁଛନ୍ତି । ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରି ଅନେକ ଯୁବକ, ଯୁବତୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଓ ଦକ୍ଷତା ବିକାଶ ବିଭାଗ ନିରନ୍ତର ଭାବେ ପ୍ରୟାସ କରୁଛି।