ଭୁବନେଶ୍ୱର : ତାମିଲନାଡୁ ସରକାରଙ୍କ ଏକ ୧୫ ଜଣିଆ ଟିମ୍ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଏମଏସ୍ଜି, ଏସ୍ଡିଏ ଏବଂ କିନ୍ନରମାନଙ୍କ ସହିତ ଗୋଷ୍ଠି ସହଭାଗିତାରେ ଏଫ୍ଏସ୍ଟିପି ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ ସହିତ ସେମାନଙ୍କ ସହ ଆଲୋଚନା କରିଛନ୍ତି ।
ତାମିଲନାଡୁ ପୌର ପ୍ରଶାସନର ଅତିରିକ୍ତ କମିଶନର ଶ୍ରୀ ଆର ଲଲିତାଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ ଅତିରିକ୍ତ ନିର୍ଦ୍ଦେଶକ ଗ୍ରାମୀଣ ବିକାଶ (ଜି) ଶ୍ରୀ ପ୍ରଶାନ୍ତ ଏମ.ଏସ୍, ଆଦି ରହିଛନ୍ତି । ସେମାନେ ମଧ୍ୟ ଜଳ ସାଥୀ, ୨୪ ଘଣ୍ଟିଆ ଟ୍ୟାପ ପାଣି ଯୋଗାଣ ବିଷୟରେ ଅବଗତ ହୋଇଥିଲେ । ଭୁବନେଶ୍ୱର ଛାଡିବା ପୂର୍ବରୁ ଏହି ଟିମ୍ ଗତକାଲି ଖାରବେଳ ଭବନରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥୀ ଭାଥାନନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଦଳର ସଦସ୍ୟମାନେ ସେମାନଙ୍କର ଅନୁଭୂତି ସେୟାର କରିଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମରେ ଗୋଷ୍ଠି ସହଭାଗିତା ଏବଂ ଗାରିମା ଯୋଜନାରେ ସ୍ୱରେଜ ଟାଙ୍କିର ସୁରକ୍ଷା ଓ ସଫେଇ ନେଇ ଅତ୍ୟଧିକ ପ୍ରଭାବିତ ହୋଇଥିଲେ ।
ପ୍ରତିନିଧୀମାନେ ପହଞ୍ଚିବାପରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ, ଯେଉଁଥିରେ ଡିଏମଏ ମିଶନ ନିର୍ଦ୍ଦେଶକ ଏସବିଏମ ଶ୍ରୀ ସଂଗ୍ରାମମଜିତ ନାୟକ ଅଧ୍ୟକ୍ଷତା କରିଥିଲେ । ବିଭିନ୍ନ ଲୋକ କୈନ୍ଦ୍ରିକ କାର୍ଯ୍ୟକ୍ରମ, ଏଫ୍ଏସଏସଏମ୍ ମୂଲ୍ୟ ଶୃଙ୍ଖଳା, ଗାରିମା, ଡାଇଟ୍ ପ୍ଲାଟଫର୍ମ ଏବଂ ରାଜ୍ୟରେ ସହରାଞ୍ଚଳ-ଗ୍ରାମୀଣ ସମ୍ମିଶ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ଡିଏମଏ ଶ୍ରୀ ନାୟକ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ଏହି ବୈଠକ ପରେ ଦଳ ଭୁବନେଶ୍ୱରର ବାସୁଆଘାଇରେ ଓଡିଶା ଅର୍ବାନ ଏକାଡେମୀ ଏବଂ ଏଫ୍ଏସଟିପି ପରିଦର୍ଶନ କରିଛି । ସେଠାରେ ସେମାନେ କିନ୍ନର ଗୋଷ୍ଠି ସହିତ ଆଲୋଚନା କରିଥିଲେ ଏବଂ ଗୋଷ୍ଠୀର ନିଜସ୍ୱ କାର୍ଯ୍ୟଶୈଳୀ ଏବଂ ରକ୍ଷଣାବେକ୍ଷଣ ପ୍ରକ୍ରିୟା ସଂକ୍ରାନ୍ତରେ ପଚାରି ବୁଝିଥିଲେ ।
ଗସ୍ତର ଦ୍ୱିତୀୟ ଦିନରେ ଦଳ କଟକ ମହାନଗର ନିଗମ ପରିଦର୍ଶନ କରି ସମଗ୍ର ଡିସଲୋଡିଂ ପ୍ରକ୍ରିୟା ଅଧ୍ୟୟନ କରିଥିଲେ, ଠିକ୍ ସେହି ସମୟରେ ଜଣେ କଲର୍ ହେଲ୍ପଲାଇନ ନମ୍ବର ୧୪୪୨୦ ଡାଏଲ କରିବା ଠାରୁ ଆରମ୍ଭ କରି ଏଫଏସଟିପି ରେ ମଳ ବିସର୍ଜନ ହେବା ପର୍ଯ୍ୟନ୍ତ ଅନୁଧ୍ୟାନ କରିଥିଲେ । ଗରିମା ଯୋଜନା କାର୍ଯ୍ୟକାରୀ ହେବା ପରେ ବେଆଇନ ସଫେଇ ତଥା ନିଷ୍କାସନ ରୋକିବା ପାଇଁ ପଦକ୍ଷେପ ନିଆଯିବା ଉପରେ ସିଏମ୍ସିର ଡେପୁଟୀ କମିଶନର ଶ୍ରୀମତୀ ସଞ୍ଜୀବୀତା ରାୟ ସୂଚନା ଦେଇଥିଲେ । ଅପରାହ୍ନରେ, ସେମାନେ ଗାରିମା ଗୃହ, ସଫେଇ କର୍ମୀଙ୍କ ବିଶ୍ରାମ ଗୃହକୁ ପରିଦର୍ଶନ କରିଥିଲେ ଏବଂ ସ୍ୱେରେଜ୍ ଏବଂ ସେପ୍ଟିକ୍ ଟ୍ୟାଙ୍କ ସଫା କରିବାରେ ବ୍ୟବହୃତ ପିପିଇ, ସୁରକ୍ଷା ଉପକରଣ ଏବଂ ସଫେଇ ଉପକରଣର ପ୍ରଦର୍ଶନ କରାଯାଇଥିଲା । ଏହି ଦଳ ଗାରିମା ଯୋଜନା କାର୍ଯ୍ୟକାରୀ ହେବା ପରେ ସେମାନଙ୍କର ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନରେ ଘଟିଥିବା ପରିବର୍ତ୍ତନଗୁଡିକ ବିଷୟରେ ବୁଝିବା ପାଇଁ ସଫେଇ କର୍ମଚାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।
ଆଲୋଚନା ସମୟରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ, ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ, ଇଆଇସି, ଓଡବ୍ୁଏସଏସବି, ପି.କେ.ମହାପାତ୍ର ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।