Home General ଉତ୍କଳ ଦିବସ ପାଳନ

ଉତ୍କଳ ଦିବସ ପାଳନ

କୋଲକତା : ଓଡିଶା ଓ୍ୱେଲଫେୟାର ସୋସାଇଟି  ପକ୍ଷରୁ ଭବାନୀପୁର ଠାରେ ୮୯ ତମ ଉତ୍କଳ ଦିବସ ପାଳନ କରାଯାଇଛି । ସଭାପତି ନିରଞ୍ଜନ ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଓଡିଶା ସରକାରଙ୍କ ପୂର୍ବତନ ବରିଷ୍ଠ ଲୋକସଂପର୍କ ଅଧିକାରୀ ପ୍ରଭାକର ସାହୁ ଯୋଗଦେଇଥିଲେ ।

ପ୍ରଥମେ ଉତ୍କଳ ଗୌରବ ମଧୁସୂଦନ ଦାସ , ଉତ୍କଳମଣି ଗୋପବନ୍ଧୁ ଦାସ , ମହାରାଜା ଗଜପତି କୃଷ୍ଣଚନ୍ଦ୍ର ଦେବ, ପଦ୍ମଭୂଷଣ ରାଧାନାଥ ରଥଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରାଯାଇଥିଲା । ଅନ୍ୟତମ ଅତିଥିଭାବେ ବସନ୍ତମଞ୍ଜରୀ ସାହୁ , ଧରାଶ୍ରୀ ଭାନୁପ୍ରିୟା , ଗୌରାଙ୍ଗ ଚରଣ ରାଉତ , କାଳନ୍ଦି ଜେନା ପ୍ରମୁଖ ଶ୍ରଦ୍ଧାସୁମନ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସାହୁ କହିଥିଲେ ଯେ କୋଲକାତା ଆସି ଉତ୍କଳ ଦିବସ ସମାରେହରେ ଯୋଗଦେଇ ନିଜକୁ ଗର୍ବିତ ମନେକରୁଛି । କାରଣ ଏହି ସେହି ଭୂମି ଯେଉଁଠି ଓଡିଆ ଭାଷା ଏକ ଭାଷା ନୁହେଁ ବୋଲି ଦାବୀ ହେଉଥିଲା , କିନ୍ତୁ ସମୟ ସ୍ରୋତରେ ସେହି ରାଜ୍ୟରେ ଆଜି ଓଡିଶା ଦିବସ ପାଳନ ସହିତ ଓଡିଆ ଭାଷାର ମର୍ଯ୍ୟାଦା ବୃଦ୍ଧି ନିମିତ୍ତ ସଂକଳ୍ପ ଗ୍ରହଣ କରାଯାଉଛି । ବିଶେଷ କରି ଓଡିଆ ଭାଷାଭାଷୀମାନେ ଯେପରି ସଂଗଠିତ ହୋଇ ଓଡିଆ ଭାଷା ଓ ସଂସ୍କୃତିର ସମୃଦ୍ଧି ପାଇଁ ଭୁମିକା ପାଳନ କରୁଛନ୍ତି , ତାହା ପ୍ରକୃତରେ ଜଣେ ଓଡିଆ ଭାବେ ନିଜକୁ ଆନନ୍ଦିତ ମନେହୁଏ ।

ସେ କହିଥିଲେ ଯେ ସମୟ ଥିଲା ଓଡିଶା ଦାରିଦ୍ର୍ୟର କଳଙ୍କ ମୁଣ୍ଡାଉଥିଲା , କିନ୍ତୁ ଆଜି ସମୃଦ୍ଧ ଓଡିଶା କହିବାରେ ଗର୍ବ ଲାଗେ । ଓଡିଶା ସରକାର ଏକ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ଏବଂ ନିକଟରେ ସଫଳତାର ସହିତ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଆୟାଜନ କରି ସମଗ୍ର ବିଶ୍ୱରେ ନଜିର ସୃଷ୍ଟି କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ପ୍ରତ୍ୟେକ ଓଡିଆ ମାତୃଭାଷାର ବିକାଶ ପାଇଁ କାର୍ଯ୍ୟକରିବା ଉଚିତ । ଆଜି ସେହି ତ୍ୟାଗବୀର ମନିଷମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଜଣାଇବା ସହିତ ଓଡିଶା ଓ୍ୱେଲଫେୟାର ସୋସାଇଟି କର୍ମକର୍ତ୍ତାଙ୍କୁ ଶ୍ରୀ ସାହୁ ନିଜର କୃତଜ୍ଞତା ଜଣାଇ ଥିଲେ ।

ସଭାରେ ସମାଜ ସେବୀ ଦାମୋଦର ଲେଙ୍କା କହିଥିଲେ ଯେ ପ୍ରତିଟି ଓଡିଆ ନିଜ ଭାଷା ସଂସ୍କୃତିକୁ ଯଦି ଉନ୍ନତ କରିନପାରିବ ତେବେ ତାର ବିକାଶ ଘଟିବା ଅସମ୍ଭବ । ବିକାଶର ମୂଳଭିତ୍ତି ହେଉଛି ଭାଷା , ତେଣୁ ଆଜିର ଦିନରେ ମାତୃଭାଷାକୁ ସମୃଦ୍ଧ କରିବା ପାଇଁ ଶପଥ ନେବା ଉଚିତ୍ । ଅନ୍ୟତମ ଅତିଥି ଗୌରାଙ୍ଗ ଚରଣ ରାଉତ କହିଥିଲେ ଯେ ଏକଦା ଏହି କୋସକତାର ଓଡିଆ ଭାଷାଭାଷୀଙ୍କୁ ଭିନ୍ନ ଚକ୍ଷୁରେ ବିବେଚନା କରାଯାଉଥିଲା , ଆଜି ଯାହାକି ସମୟସ୍ରୋତରେ ବଦଳି ଯାଇଛି । କାର୍ଯ୍ୟକ୍ରମରେ ସଭାପତିତ୍ୱକରି ନିରଞ୍ଜନ ରାଉତ କହିଥିଲେ ଯେ ସାଂପ୍ରତିକ ପରିବେଶରେ ଯିଏ ଯେଉଁ ପଦରେ ରୁହନ୍ତୁନା କାହିଁ କି ମାଆ-ମାଟି ପ୍ରତି ସମର୍ପିତ ହେବାକୁ ପଡିବ । ନଚେତ୍ ନିଜର ସ୍ୱତନ୍ତ୍ରତା ରହିବ ନାହିଁ ।