ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମିତି ‘‘ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ’’ ଯୋଜନା ଅଧୀନରେ ଓଡ଼ିଶା ପାଇଁ ୨୦୧.୧୦ କୋଟି ଟଙ୍କା ମଞ୍ଜୁର କରିଛି । ତିନିଟି ପ୍ରକଳ୍ପ ପାଇଁ ମୋଟ୍ ୭୨୫.୬୨ କୋଟି ଟଙ୍କା ମଂଜୁର ହୋଇଥିବାବେଳେ ଛତିଶଗଡ଼ ପାଇଁ ୧୪୭.୭୬ କୋଟି ଟଙ୍କା, ଓଡ଼ିଶା ପାଇଁ ୨୦୧.୧୦ କୋଟି ଟଙ୍କା ଏବଂ ପଶ୍ଚିମବଙ୍ଗ ପାଇଁ ୩୭୬.୭୬ କୋଟି ଟଙ୍କା ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପର୍ଯ୍ୟୟ ପ୍ରଶମନକ୍ଷମ ଭାରତ ନିର୍ମାଣ ଲକ୍ଷ୍ୟକୁ ପୂରଣ କରିବା ଲାଗି ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଦେଶରେ ବିପର୍ଯ୍ୟୟର ପ୍ରଭାବୀ ପ୍ରଶମନ ସୁନିଶ୍ଚିତ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନେକ ପଦକ୍ଷେପ ଗ୍ରହଣ କରିଛି। ଭାରତରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପ୍ରଣାଳୀକୁ ମଜବୁତ କରି ବିପର୍ଯ୍ୟୟ ସମୟରେ ବ୍ୟାପକ ଧନଜୀବନ ହାନିକୁ ରୋକିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ।
କେନ୍ଦ୍ର ସରକାର ‘‘ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ବିସ୍ତାର ଏବଂ ଆଧୁନିକୀକରଣ’’ ଯୋଜନା ଲାଗି ଏନଡିଆରଏଫ ଅଧୀନରେ ୫୦୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏଥିପୂର୍ବରୁ ୧୫ଟି ରାଜ୍ୟ ନିମନ୍ତେ ୨୫୪୨.୧୨ କୋଟି ଟଙ୍କାର ମୋଟ୍ ପରିବ୍ୟୟ ପ୍ରସ୍ତାବକୁ ମଞ୍ଜୁର କରାଯାଇସାରିଛି।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଶାହଙ୍କ ମାର୍ଗଦର୍ଶନରେ ଚଳିତ ବର୍ଷ ରାଜ୍ୟଗୁଡ଼ିକୁ ୨୧ ହଜାର ୨୬ କୋଟି ଟଙ୍କାର ଅର୍ଥରାଶି ପୂର୍ବରୁ ଆବଣ୍ଟନ କରାଯାଇ ସାରିଛି। ଏଥିରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ରୁ ୨୬ଟି ରାଜ୍ୟକୁ ୧୪ ହଜାର ୮୭୮ କୋଟି ୪୦ ଲକ୍ଷ ଟଙ୍କା, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଆରଏଫ)ରୁ ୧୫ଟି ରାଜ୍ୟକୁ ୪,୬୩୭ କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସଡିଏମଏଫ)ରୁ ୧୧ଟି ରାଜ୍ୟକୁ ୧୩୮୫ କୋଟି ୪୫ ଲକ୍ଷ ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏନଡିଏମଏଫ)ରୁ ତିନୋଟି ରାଜ୍ୟକୁ ୧୨୪ କୋଟି ୯୩ ଲକ୍ଷ ଟଙ୍କା ସାମିଲ ରହିଛି।