ଭୁବନେଶ୍ୱର : ମହିଳାମାନଙ୍କ ସହାୟତା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ କରି ୱାନ ଷ୍ଟପ ସେଣ୍ଟର କାର୍ଯ୍ୟ କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହା ଜରିଆରେ ୨୧ହଜାରରୁ ଅଧିକ ମହିଳା ଉପକୃତ ହୋଇଛନ୍ତି । ଏହି କେନ୍ଦ୍ରଗୁଡିକୁ ବିଗତ ତିନି ବର୍ଷରେ ୨୩କୋଟିରୁ ଅଧିକ ଟଙ୍କା ଯୋଗାଇ ଦିଆଯାଇଛି ।
ବିଜେଡି ସାଂସଦ ସୁଜିତ କୁମାର ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ମିଶନ ଶକ୍ତିର ସମ୍ବଳ ଅଂଶ ଭାବେ ୱାନ ଷ୍ଟପ ସେଣ୍ଟର ୨୦୧୫ ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିଲା । ସମଗ୍ର ଦେଶ ପାଇଁ ୮୦୧ଟି ସେଣ୍ଟରକୁ ମଞ୍ଜୁରୀ ମିଳିଥିବାବେଳେ ଓଡିଶାରେ ବର୍ତ୍ତମାନ ଏହି ଯୋଜନାରେ ୩୦ଟି ୱାନ ଷ୍ଟପ ସେଣ୍ଟର କାର୍ଯ୍ୟ କରୁଛି ।
ସମଗ୍ର ଦେଶରେ ଥିବା ୱାନ ଷ୍ଟପ ସେଣ୍ଟର ପାଇଁ ୨୦୨୦-୨୧ ବର୍ଷରେ ୧୬୦୨୩.୩୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ୨୦୨୧-୨୨ ବର୍ଷରେ ଏହି ପରିମାଣ ୧୪୫୩୯.୩୫ ଲକ୍ଷ ଟଙ୍କା ଥିଲା । ତେବେ ୨୦୨୨-୨୩ ବର୍ଷରେ ଏହା ୬୫୬୮.୯୨ ଲକ୍ଷ ଟଙ୍କାକୁ ହ୍ରାସ ପାଇଥିଲା ।
ଓଡିଶାର ୩୦ ଟି ଜିଲ୍ଲାରେ କାର୍ଯ୍ୟ କରୁଥିବା ୱାନ ଷ୍ଟପ ସେଣ୍ଟର ପାଇଁ ୨୦୨୦-୨୧ ବର୍ଷରେ ୯୩୧.୫୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ଏଥିରୁ ୮୩୪.୪୭ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା । ୨୦୨୧-୨୨ବର୍ଷରେ ଏଥିପାଇଁ ୭୩୯.୩୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ୮୪୮.୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୨-୨୩ ବର୍ଷରେ ୱାନ ଷ୍ଟପ ସେଣ୍ଟର ପାଇ ୬୧୪.୬୭ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ବ୍ୟୟ ହୋଇଛି ୨୩୯.୫୦ ଲକ୍ଷ ଟଙ୍କା ।
ତେବେ ୨୦୨୨-୨୩ ବର୍ଷରେ ଅନୁଗୁଳ, ବରଗଡ, କନ୍ଧମାଳ, ଭୁବନେଶ୍ୱର, କୋରାପୁଟ, ନବରଙ୍ଗପୁର, ନୟାଗଡ, ପୁରୀ ଆଦି ଜିଲ୍ଲାକୁ କୌଣସି ଅର୍ଥ ମଞ୍ଜୁର ହୋଇନାହିଁ । ପୂର୍ବ ବର୍ଷର ବଳକା ଅର୍ଥ ରହିଥିବା ଏବଂ ଏସଏନଏ ମାର୍ଗଦର୍ଶିକା ଅନୁପାଳନ କରିନଥିବାରୁ ଏହିସବୁ ୱାନ ଷ୍ଟପ ସେଣ୍ଟରକୁ ଅର୍ଥ ଦିଆଯାଇଥିବା ଦର୍ଶାଯାଇଛି ।
ସେହିଭଳି ପ୍ରତ୍ୟେକ ୱାନ ଷ୍ଟପ ସେଣ୍ଟରରେ ୧୩ ଜଣଙ୍କୁ ନିଯୁକ୍ତ କରିବାର ବ୍ୟବସ୍ଥା ରହିଛି । ଏମାନଙ୍କୁ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ କିମ୍ବା ଜିଲ୍ଲା କର୍ତ୍ତୃପକ୍ଷ ନିଯୁକ୍ତି ଦେବେ ଅଥବା କୌଣସି ସଂସ୍ଥାରୁ ଆଣିପାରିବେ । ଏହି ୧୩ଜଣଙ୍କ ମଧ୍ୟରେ ଜଣେ କେନ୍ଦ୍ର ପ୍ରଶାସକ, ଦୁଇ ଜଣ କେୟାରଟେକର, ଜଣେ ଆଇନ୍ ବିଶେଷଜ୍ଞ, ଜଣେ ପାରାମେଡିକାଲ କର୍ମୀ, ଜଣେ ମନସ୍ତତ୍ୱବିତ୍, କମ୍ପ୍ୟୁଟର ଜ୍ଞାନ ଥିବା ଜଣେ ଅଫିସ ସହାୟକ, ତିନି ଜଣ ରୋଷେୟା ଓ ଅନ୍ୟ କର୍ମଚାରୀ ଏବଂ ୩ଜଣ ସୁରକ୍ଷା କର୍ମୀ ରହିବେ । (ତଥ୍ୟ)