ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ଭୁବନେଶ୍ୱର ଠାରେ ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହ ସଚିବ ତଥା ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି ।
ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି ବିପର୍ଯ୍ୟୟ ପ୍ରଶମନ ଦିଗରେ ରାଜ୍ୟର ପଦକ୍ଷେପକୁ ଗୃହମନ୍ତ୍ରୀ ସ୍ୱାଗତ କରିଛନ୍ତି, ଯାହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତକୁ ବିପର୍ଯ୍ୟୟ ପ୍ରତିରୋଧ କରିବାର ଦୃଷ୍ଟିକୋଣ ସହିତ ଅନୁରୂପ ଅଟେ । ଶ୍ରୀ ଅମିତ ଶାହା ଓଡିଶାକୁ ବିପର୍ଯ୍ୟୟ ସହନଶୀଳ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି ।
୧୯୯୯ ର ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନାରେ ଅନେକ ଅଗ୍ରଗତି କରିଥିବାରୁ ଶ୍ରୀ ଅମିତ ଶାହା ରାଜ୍ୟର ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ । ସେ ପରାମର୍ଶ ଦେଇଛନ୍ତି ଯେ ଆପଦା ମିତ୍ର ଏବଂ ରାଜ୍ୟରେ ବିପର୍ଯ୍ୟୟ ଯୋଦ୍ଧାମାନଙ୍କୁ ବହୁମୁଖୀ ବିପର୍ଯ୍ୟୟ ପ୍ରଶିକ୍ଷଣ ଦିଆଯିବା ଉଚିତ, ବିଶେଷକରି ରସାୟନିକ ଏବଂ ଆଣବିକ ବିପର୍ଯ୍ୟୟ ଏବଂ ସେଭଳି ବିପର୍ଯ୍ୟୟର ମୁକାବିଲା କରାଯିବ ଯାହା ବିନା ଚେତାବନୀରେ ଘଟିଥାଏ । ହୋମ ଗାର୍ଡ ସ୍ୱେଚ୍ଛୋସେବୀମାନଙ୍କୁ ଦକ୍ଷ କରାଯିବା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ତାଲିମ ଦିଆଯିବା ଉଚିତ ବୋଲି ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାବାଦ୍ ରାଜ୍ୟରେ ପ୍ରତିଷ୍ଠିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା, ପ୍ରତିଷ୍ଠା କରିବା ପାଇଁ ବଜେଟ୍ରୁ ନିୟମିତ ଅର୍ଥ ପ୍ରଦାନ କରାଯିବା ଉଚିତ ।
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଜୋର ଦେଇଛନ୍ତି ଯେ ରାଜ୍ୟ ପ୍ରଶାସନ ଏସଓପି ଗୁଡିକୁ ଗ୍ରହଣ କରିବା ଉଚିତ ଏବଂ ବଜ୍ରପାତ, ଗ୍ରୀଷ୍ମ ପ୍ରଦାହ ଏବଂ ଜଙ୍ଗଲ ଅଗ୍ନିକାଣ୍ଡରୁ ଜୀବନ ରକ୍ଷା କରିବା ପାଇଁ ଉପଯୁକ୍ତ ପ୍ରସ୍ତୁତି ଏବଂ ନିରାକରଣ ପାଇଁ ପ୍ରୟାସ କରିବା ଉଚିତ । ବିପର୍ଯ୍ୟୟ ସମୟରେ ପଶୁମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ । ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ସମୟରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବାରୁ ଗୃହମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଗ୍ରାମ୍ୟ ସ୍ତରର ସ୍ୱେଚ୍ଛାସେବୀ ତଥା ସମଗ୍ର ରାଜ୍ୟ ପ୍ରଶାସନିକ କଳକୁ ପ୍ରଶଂସା କରିଛନ୍ତି ।
ବାମପନ୍ଥୀ ଉଗ୍ରବାଦ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଏବଂ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ର ପଦକ୍ଷେପକୁ ସହଯୋଗ ଲାଗି ଭିତ୍ତିଭୂମି ବିକାଶରେ ପୁଞ୍ଜି ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ବାମପନ୍ଥୀ ଉଗ୍ରବାଦକୁ ମୂଳପୋଛ କରିବା ପାଇଁ କେନ୍ଦ୍ରୀୟ ବାହିନୀର ସହାୟତା ନେଇ ସେ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି । ପ୍ରଭାବିତ ଅଞ୍ଚଳରେ ସଡକ ଏବଂ ଯୋଗାଯୋଗ ନେଟୱାର୍କକୁ ମଜବୁତ କରିବାରେ ବିଶେଷ କରି ସମସ୍ତ ଗ୍ରାମକୁ ଇଣ୍ଟରନେଟ୍ ସହିତ ସଂଯୋଗ କରିବାରେ ସେ ସମସ୍ତ ସମ୍ଭାବ୍ୟ ସମର୍ଥନକୁ ନିଶ୍ଚିତ କରିଛନ୍ତି ।