Home Health ଓଡିଶାରେ ୭୫୩ ଜନ ଔଷଧି କେନ୍ଦ୍ର

ଓଡିଶାରେ ୭୫୩ ଜନ ଔଷଧି କେନ୍ଦ୍ର

ଭୁବନେଶ୍ୱର : ଜନସାଧାରଣଙ୍କୁ ସୁଲଭ ଦରରେ ଔଷଧ ଯୋଗାଣ ପାଇଁ କେନ୍ଦ୍ର ସରକାର ଅଧିକରୁ ଅଧିକ ଜନ ଔଷଧି କେନ୍ଦ୍ର ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ଓଡିଶାରେ ଏହି ସଂଖ୍ୟା ୭୫୩ରେ ପହଞ୍ଚିଛି । ସମଗ୍ର ଦେଶରେ ଜନ ଔଷଧ କେନ୍ଦ୍ର ସଂଖ୍ୟା ୧୬,୯୧୨ ହୋଇଥିବା ଜଣାଯାଇଛି ।

ସରକାରୀ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ବର୍ତ୍ତମାନ ଜନ ଔଷଧି କେନ୍ଦ୍ର ସରକାର ୫୦ ରୁ ୮୦ ପ୍ରତିଶତ କମ୍‍ ଦରରେ ଔଷଧ ଯୋଗାଇ ଦେଉଛନ୍ତି । ଏହିସବୁ ଔଷଧ କେନ୍ଦ୍ରରେ ହୃଦରୋଗ, କର୍କଟ, ମଧୁମେଧ, ପେଟରୋଗ ଆଦି ପାଇଁ ଔଷଧ ଉପଲବ୍ଧ ହେଉଛି । ବର୍ତ୍ତମାନ ସୁଦ୍ଧା ଏହିସବୁ କେନ୍ଦ୍ରଗୁଡିକରେ ୨୧୧୦ ପ୍ରକାରର ଔଷଧ ଏବଂ ୩୧୫ ପ୍ରକାରର ଚିକିତ୍ସା ପାଇଁ ଆବଶ୍ୟକ ସାଜ ସରଞ୍ଜାମ ଉପଲବ୍ଧ ହେଉଛି । ସମସ୍ତ ପ୍ରକାରର ଜେନେରେକ୍‍ ଔଷଧ ଯାହାକି ଜାତୀୟ ଜରୁରୀ ଔଷଧ ତାଲିକାରେ ରହିଛି ସେଗୁଡିକ ଏଠାରେ ଉପଲବ୍ଧ ହେଉଛି ।

ଜନ ଔଷଧି କେନ୍ଦ୍ରରେ ଲୋକେ ଯେଭଳି ସୁଲଭ ଦରରେ ଓ ସହଜରେ ଔଷଧ ପାଇପାରିବେ ସେଥିପାଇଁ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରାଯାଉଛି । ଔଷଧ ମହଜୁଦ ପାଇଁ ଗୁରୁଗ୍ରାମରେ ଗୋଟିଏ କେନ୍ଦ୍ରୀୟ ଔଷଧ ଭଣ୍ଡାର ଥିବାବେଳେ ଆଞ୍ଚଳିକ ସ୍ତରରେ ବେଙ୍ଗାଲୁର, ଗୌହାଟø, ଚେନ୍ନାଇ ଏବଂ ସୁରଟରେ ୪ଟି ଆଞ୍ଚଳିକ ଗୋଦାମ ରହିଛି । ଏହାବାଦ୍‍ ସମଗ୍ର ଦେଶରେ ୩୬ଜଣ ଯୋଗାଣକାରୀ ନିଯୁକ୍ତି ହୋଇଛି ।

ଏଥି ସହିତ ନିୟମିତ ଭାବେ ଅଧିକ ବ୍ୟବହାର ହେଉଥିବା ୪୦୦ ପ୍ରକାରର ଔଷଧର ନିୟମିତ ସମୀକ୍ଷା କରାଯାଉଛି । ସବୁଠାରୁ ଅଧିକ ବିକ୍ରି ହେଉଥିବା ୧୦୦ ପ୍ରକାରର ଔଷଧ ସହିତ ତ୍ୱରିତ ଭାବେ ବିକ୍ରି ହେଉଥିବା ୧୦୦ ପ୍ରକାରର ଔଷଧ, ଏହିଭଳି ୨୦୦ ପ୍ରକାରର ଔଷଧ ମହଜୁଦ ରଖିବା ବାଧ୍ୟତାମୂଳକ କରାଯାଇଛି । ଏହିସବୁ କେନ୍ଦ୍ରଗୁଡିକ ଔଦଗିକ ଢାଞ୍ଚାରେ ପରିଚାଳନା କରାଯାଉଛି । ଦେଶରେ ଜନ ଔଷଧି କେନ୍ଦ୍ରର ଚାହିଦା ବଢୁଥିବାରୁ ୨୦୨୭ ମାର୍ଚ୍ଚ ସୁଦ୍ଧା ୨୫,୦୦୦ ଜନ ଔଷଧି କେନ୍ଦ୍ର ଖୋଲିବାପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ।

ତେବେ ଚଳିତବର୍ଷ ଜୁନ୍‍ ୩୦ ତାରିଖ ସୁଦ୍ଧା ସମଗ୍ର ଦେଶରେ ୧୬,୯୧୨ଟି ଜନ ଔଷଧି କେନ୍ଦ୍ର ଖୋଲିଥିବାବେଳେ ଏଥି ମଧ୍ୟରେ ସର୍ବାଧିକ ୩୫୫୦ ଟି ଉତ୍ତରପ୍ରଦେଶରେ ରହିଛି । କେରଳରେ ୧୬୨୯, କର୍ଣ୍ଣାଟକରେ ୧୪୮୦ ଏବଂ ତାମିଲନାଡୁରେ ୧୪୩୨ଟି ଜନ ଔଷଧି କେନ୍ଦ୍ର ରହିଛି । ଲକ୍ଷାଦ୍ୱିପରେ ସବୁଠାରୁ କମ୍‍ ମାତ୍ର ଗୋଟିଏ ଜନ ଔଷଧି କେନ୍ଦ୍ର ଥିବାବେଳେ ଲଦାଖରେ ୨ଟି ଏବଂ ଆଣ୍ଡାମାନ ନିକୋବରରେ ୯ଟି କେନ୍ଦ୍ର ରହିଛି ।

ବର୍ତ୍ତମାନ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକରେ ସମବାୟ ଭିତ୍ତରେ ବିଶେଷକରି ପାକ୍‍ସ ଜରିଆରେ ଜନ ଔଷଧି କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିବାରୁ ଗାଁ ଗହଳରେ ଅଧିକରୁ ଅଧିକ ଜନ ଔଷଧ କେନ୍ଦ୍ର ଖୋଲିବା ନେଇ ଆଶା କରାଯାଉଛି । ବର୍ତ୍ତମାନ ଚିକିତ୍ସକମାନେ ଜନ ଔଷଧି କେନ୍ଦ୍ରରେ ମିଳୁଥିବା ଔଷଧ ଲେଖୁଥିବାବେଳେ ଆଗାମୀ ଦିନରେ ଏହାର ଚାହିଦା ଆହୁରି ବୃଦ୍ଧି ପାଇବ ବୋଲି ସରକାରୀ ସ୍ତରରେ ଆଶା କରାଯାଉଛି । (ତଥ୍ୟ)