Home General ଓଡିଶାରେ ୨୩୬୬ଟି ଅମୃତ ସରୋବର

ଓଡିଶାରେ ୨୩୬୬ଟି ଅମୃତ ସରୋବର

ଭୁବନେଶ୍ୱର : ଅମୃତ ସରୋବର ଯୋଜନାର ଓଡିଶାରେ ୨୩୬୬ଟି ପୋଖରୀ ଖୋଳାଯାଇଛି ହୋଇଛି । ଏଥିରୁ କେତୋଟି ନୂତନ ଭାବେ ଖୋଳା ହୋଇଥିବାବେଳେ ଆଉ କେତେକର ପୁନଃରୁଦ୍ଧାର କରାଯାଇଛି । କେନ୍ଦ୍ରର ସରକାରଙ୍କ ଅମୃତ ସରୋବର ଯୋଜନାରେ ସମଗ୍ର ଦେଶରେ ୬୮ ହଜାରରୁ ଅଧିକ ପୋଖରୀ ଖୋଳାଯାଇଛି ।

ଜଳ ସଂରକ୍ଷଣ ସହିତ ସବୁଜ ବଳୟ ସୃଷ୍ଟି ପାଇଁ କେନ୍ଦ୍ର ସରକାର ୨୦୨୨ ମସିହାରେ ଏହି ଅମୃତ ସରୋବର ଯୋଜନା ଆରମ୍ଭ କରିଥିଲେ । ଏଥିରେ ପ୍ରତ୍ୟେକ ଜିଲ୍ଲାର ଗ୍ରାମାଞ୍ଚଳରେ ୫୦ ହଜାର ପୋଖରୀ ଖନନ ଓ ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ରଖାଯାଇଛି । ଗତବର୍ଷ ଶେଷ ସୁଦ୍ଧା ଏହି କେନ୍ଦ୍ରୀୟ ଯୋଜନାରେ ୬୮ହଜାରରୁ ଅଧିକ ପୋଖରୀ ଖନନ ଓ ପୁନରୁଦ୍ଧାର ହୋଇଥିବା ଜଣାଯାଇଛି ।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍‍ ୬୮,୮୨୭ଟି ପୋଖରୀ ଖନନ ଓ ପୁନରୁଦ୍ଧାର ହୋଇଥିବାବେଳେ ଏଥି ମଧ୍ୟରେ ସର୍ବାଧିକ ୧୬,୬୩୨ଟି ଉତ୍ତରପ୍ରଦେଶରେ ରହିଛି । ମଧ୍ୟପ୍ରଦେଶରେ ଏହି ସଂଖ୍ୟା ୫୮୨୬ ଥିବାବେଳେ ମହାରାଷ୍ଟ୍ରରେ ୩ହଜାରରୁ ଅଧିକ ରହିଛି ସେହିଭଳି ପଡୋଶୀ ଆନ୍ଧ୍ରପ୍ରଦେଶରେ ଅମୃତ ସରୋବର ଯୋଜନାରେ ୨୧୫୪ଟି ପୋଖରୀ ସାମିଲ ହୋଇଥିବାବେଳେ ଛତିଶଗଡରେ ୨୯୦୨, ଝାଡଖଣ୍ଡରେ ୨୦୪୭ ଓ ପଶ୍ଚିମବଙ୍ଗରେ ଏହି ସଂଖ୍ୟା ମାତ୍ର ୨୭ରହିଛି, ଯାହାକି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତୁଳନାରେ କମ୍‍ ।

ଦେଶର କେତେକ ଅଞ୍ଚଳରେ ଦେଖା ଦେଇଥିବା ଗୁରୁତର ଜଳସଙ୍କଟର ସମାଧାନ ପାଇଁ ଭୂତଳ ଜଳସ୍ତର ରିଚାର୍ଜ ଲାଗି ଏହି ଯୋଜନାକୁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ । ଏହା ତତ୍କାଳ ଜଳ ସମସ୍ୟାର ସମାଧାନ ବଦଳରେ ଦୀର୍ଘସ୍ଥାୟୀ ଯୋଜନା ଥିଲା । ଏଥି ସହିତ ଏହା ଗୋଟିଏ ଦୀର୍ଘକାଳୀନ ପରିବେଶ ଅନୁକୂଳ ପ୍ରକଳ୍ପ ଭାବେ କାର୍ଯ୍ୟ କରିଥିଲା ।

ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଜନଭାଗିଦାରୀ ଭାବେ ଏଥିରେ ସାମିଲ ସହିତ ଗୋଷ୍ଠିକୁ ସାଙ୍ଗରେ ନେଇ କାର୍ଯ୍ୟ କରିବାର ଲକ୍ଷ୍ୟ ଥିଲା । ଏହି ଯୋଜନାରେ ୨୨୦୩ ସ୍ୱାଧୀନତା ସଂଗ୍ରାମୀ, ପଞ୍ଚାୟତର ୨୨,୯୯୩ ବୟସ୍କ ସଦସ୍ୟ, ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରର ୩୮୫ଜଣ ସଦସ୍ୟ, ଶହୀଦଙ୍କ ପରିବାରର ୭୪୨ ସଦସ୍ୟ ଏବଂ ୬୯ଜଣ ପଦ୍ମ ସମ୍ମାନିତ ବ୍ୟକ୍ତିଙ୍କୁ ଏହି ମିଶନରେ ସାମିଲ କରାଯ।।ଇଥିଲା । ଏଥି ସହିତ ନିମ୍ବ, ବର, ଓସ୍ତ ସହିତ ଅନ୍ୟାନ୍ୟ ଉପକାରୀ ବୃକ୍ଷ ଅମୃତ ସରୋବର ପୋଖରୀ ନିକଟରେ ରୋପଣ କରାଯାଇଥିଲା । ପାଖାପାଖି ଏହି ଯୋଜନାରେ ପୋଖରୀ କୂଳରେ ୨୩ଲକ୍ଷ ବୃକ୍ଷ ରୋପଣ କରାଯାଇଥିଲା ।

ଆଇଆଇଟି ଦିଲ୍ଲୀ କରିଥିବା ଅନୁଧ୍ୟାନରୁ ଜଣାପଡିଥିଲା ଯେ ଏହି ଯୋଜନା କାର୍ଯ୍ୟକାରୀ ହେବାପରେ ଜଳାଶୟ ଗୁଡିକରେ ଜଳସ୍ତର ୧୬.୩ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଶୁଖିଯାଉଥିବା ପୋଖରୀ ସଂଖ୍ୟା ୪୨ ପ୍ରତିଶତ ହ୍ରାସ ପାଇଥିଲା । ଜିଆଇଜେଡ୍‍ ପକ୍ଷରୁ ହୋଇଥିବା ଅନୁଧ୍ୟାନ ଅନୁଯାୟୀ ଦେଶରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ କୃଷି, ପରିବେଶ ଏବଂ ଜୀବିକା କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେଉଛି । (ତଥ୍ୟ)