ଭୁବନେଶ୍ୱର : ଛୋଟ ପିଲାଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ମାମଲାର ତ୍ୱରିତ ସମାଧାନ ପାଇଁ ସମଗ୍ର ଦେଶରେ ୪୦୮ ଟି ସ୍ୱତନ୍ତ୍ର ପୋକସୋ ଅଦାଲତ ପ୍ରତିଷ୍ଠା ହୋଇଥିବାବେଳେ ଓଡିଶାରେ ରହିଛି ଏହି ଧରଣର ୨୩ ଅଦାଲତ । ଏହିସବୁ ଅଦାଲତରେ ବର୍ତ୍ତମାନ ସୁଦ୍ଧା ୧୦ହଜାରରୁ ଅଧିକ ମାମଲା ଫଏସଲା ହୋଇ ସାରିଲାଣି ।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ରାଜ୍ୟସଭାରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି । କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ସମଗ୍ର ଦେଶରେ ୭୯୦ଟି ପୋକ୍ସୋ ଅଦାଲତ ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ମୋଟ୍ ୭୫୦ଟି ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ସ୍ଥାପନ ହୋଇଥିବାବେଳେ ସେଥି ମଧ୍ୟରେ ୪୦୮ଟି ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ରହିଛି ।
ଦେଶରେ ଥିବା ପୋକ୍ସୋ ଅଦାଲତଗୁଡିକ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୮୦ହଜାରରୁ ଅଧିକ ମାମଲା ଫଏସଲା କରିସାରିଲେଣି । ତେବେ ଏହି ଅଦାଲତ ସ୍ଥାପନ କ୍ଷେତ୍ରରେ ଉତ୍ତରପ୍ରଦେଶ ସବୁଠାରୁ ଆଗରେ ଥିବାବେଳେ ମଧ୍ୟପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି । ଉତ୍ତରପ୍ରଦେଶରେ ୭୪ଟି ପୋକ୍ସୋ ଅଦାଲତ ଥିବାବେଳେ ମଧ୍ୟପ୍ରଦେଶରେ ୫୭ଟି, ବିହାରରେ ୪୬ଟି ଓ ଗୁଜୁରାଟରେ ୨୪ଟି କୋର୍ଟ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଛତିଶଗଡ, ଗୋଆ, ମଣିପୁର, ନାଗାଲ୍ୟାଣ୍ଡ, ତେଲେଙ୍ଗନା ଓ ଉତ୍ତରାଖଣ୍ଡରେ ଏଭଳି ସ୍ୱତନ୍ତ କୋର୍ଟ ପ୍ରତିଷ୍ଠା ହୋଇନାହିଁ ।
ଇତିମଧ୍ୟରେ କେନ୍ଦ୍ର ଆଇନ୍ ଏବଂ ନ୍ୟାୟ ମନ୍ତ୍ରଣାଳୟ ଅଧିନରେ ଥିବା ନ୍ୟାୟ ବିଭାଗ ଦ୍ୱାରା ଇ-ଅଦାଲତକୁ ମିଶନ ମୋଡ୍ରେ କାର୍ଯ୍ୟକାରୀ କରାଯାଉଛି ଏବଂ ସର୍ବୋଚ୍ଚ ଅଦାଲତର ଇକମିଟି ଦ୍ୱାରା ଏହାର ତଦାରଖ କରାଯାଉଛି । ଇ କୋର୍ଟର ଦ୍ୱିତୀୟ ପର୍ଯ୍ୟାୟରେ ୧୪,୪୪୩ ଅଦାଲତ କୋଠରୀରେ ଭିଡିଓ କନଫରେନ୍ସିଂ ସାଜ ସରଞ୍ଜାମ ଖଞ୍ଜାଯାଇ ପାରିଛି । ମୋଟ୍ ୨୫୦୬ ଅଦାଲତୀ କୋଠରୀରେ ଭିସି ସ୍ଥାପନ ପାଇଁ ଅର୍ଥ ମହଜୁଦ ଥିବା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୩୨୪୦ ଅଦାଲତ ସୌଧ ଏବଂ ୧୨୭୨ ଜେଲ୍ରେ ଭିସି ସୁବିଧା ଉପଲବ୍ଧ ରହିଛି । ପୋକସୋ ଅଦାଲତରେ ମଧ୍ୟ ଏହି ସୁବିଧା ବ୍ୟବହାର କରାଯାଇ ପାରିବ ।
ଇକୋର୍ଟର ତୃତୀୟ ପର୍ଯ୍ୟାୟରେ ୨୨୮ କୋଟି ୪୮ଲକ୍ଷ ଟଙ୍କା ବ୍ୟୟରେ ୫୦୦ ଜେଲ୍ ସମେତ ୭୦୦ ସରକାରୀ ଡାକ୍ତରଖାନା ଏବଂ ୯୦୦୦ ଅଦାଲତରେ ଭିସି ବ୍ୟବସ୍ଥା କରାଯିବାର ଲକ୍ଷ୍ୟ ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)