Home News in Odia ଓଡିଶାରେ ୧୬ଟି ତାରକା ହୋଟେଲ

ଓଡିଶାରେ ୧୬ଟି ତାରକା ହୋଟେଲ

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ କିସମର ପ୍ରାୟ ଅଢେଇ ହଜାର ହୋଟେଲ ଥିବାବେଳେ ଏଥି ମଧ୍ୟରୁ ତାରକା ହୋଟେଲର ସଂଖ୍ୟା ମାତ୍ର ୧୬ । ଏହିସବୁ ତାରକା ହୋଟେଲରେ ରହିଛି ୨୫୪୦ଟି କୋଠରୀ । କମ୍‍ ସଂଖ୍ୟା ତାରକା ହୋଟେଲର ପ୍ରଭାବ ଆମର ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଭାବ ପକାଉଥିବା କୁହାଯାଉଛି ।

ରାଜ୍ୟକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟାନ୍ୟ ଭିଭିଆଇପି ପର୍ଯ୍ୟଟକମାନେ ସାଧାରଣତଃ ତାରକା ହୋଟେଲରେ ରହିବାକୁ ପସନ୍ଦ କରିଥାନ୍ତି । ପର୍ଯ୍ୟଟନ ଋତୁରେ ଏହାର ଚାହିଦା ବଢିଥାଏ । କୌଣସି ଅର୍ନ୍ତଜାତୀୟ କାର୍ଯ୍ୟକ୍ରମ ସମୟରେ ତାରକା ହୋଟେଲରେ କୋଠରୀଟିଏ ମିଳିବା ବି କଷ୍ଟକର । ତେଣୁ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକ କମ୍‍ ସଂଖ୍ୟାରେ ଆସିବାର ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି ।

ତେବେ ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପକୁ ଆଖିଆଗରେ ରଖି ରାଜ୍ୟରେ ଏକାଧିକ ହୋଟେଲ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି । ସରକାରଙ୍କ ପ୍ରୋତ୍ସାହନ ପାଇ ବହୁ ନାମୀ ଦାମୀ ହୋଟେଲ ଗୋଷ୍ଠି ମଧ୍ୟ ରାଜ୍ୟରେ ସେମାନଙ୍କର ହୋଟେଲ ପ୍ରତିଷ୍ଠା କରୁଛନ୍ତିା

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ୫୫ଟି ଛୋଟ ବଡ ହୋଟେଲ ନିର୍ମାଣକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଥି ମଧ୍ୟରୁ କେତେକ ହୋଟେଲ ସେମାନଙ୍କର ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ଏହି ୫୫ଟି ହୋଟେଲ ମଧ୍ୟରୁ ମାତ୍ର ୩ଟି ପାଞ୍ଚ ତାରକା ହୋଟେଲ ଥିବାବେଳେ ୮ଟି ଚାରି ତାରକା ଓ ୬ଟି ତିନି ତାରକା ହୋଟେଲ ରହିଛନ୍ତି । ଅନ୍ୟ କିଛି ହୋଟେଲକୁ ସରକାର ତାରକା ହୋଟେଲ ତାଲିକାରେ ରଖିଥିଲେ ମଧ୍ୟ ଏମାନେ କେଉଁବର୍ଗ ତାହା ଉଲ୍ଲେଖ କରାଯାଇ ନାହିଁ ।

ରାଜ୍ୟ ସରକାର ଓଡିଶା ପର୍ଯ୍ୟଟନ ନୀତି -୨୦୨୨ ଅନୁସାରେ ମଞ୍ଜୁରୀପ୍ରାପ୍ତ ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇର୍ ତିନି ବର୍ଷର ସମୟସୀମା ଧାର୍ଯ୍ୟ କରିଛନ୍ତି । ତେବେ କେତେକ ହୋଟେଲ ଧାର୍ଯ୍ୟ ସମୟ ପୂର୍ବରୁ ନିଜ ନିଜର ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ମଞ୍ଜୁରୀପ୍ରାପ୍ତ ଏହିସବୁ ହୋଟେଲଗୁଡିକ ରାଜ୍ୟରେ ୩୨୧୧ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବେ ।

ଏହି ସମସ୍ତ ହୋଟେଲ ସମ୍ପୂର୍ଣ୍ଣ ହେଲାପରେ ବର୍ତ୍ତମାନ ପର୍ଯ୍ୟଟନ ଋତୁ ଓ ଅନ୍ୟାନ୍ୟ ସମୟରେ ଦେଖାଦେଉଥିବା ହୋଟେଲ ସଙ୍କଟ ଆଉ ରହିବନାହିଁ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । ଏହା କେବଳ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କିମ୍ବା ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବ ନାହିଁ, ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ମଧ୍ୟ ଓଡିଶା ପାଇଁ ବଡ ସୁଯୋଗ ଆଣିଦେବ ।

ତେବେ ପର୍ଯ୍ୟଟନ ଶିଳ୍ପ ସହିତ ଜଡିତ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ରାଜ୍ୟ ରାଜଧାନୀ ବାହାରେ ନିର୍ମାଣ ହେଉଥିବା ତାରକା ହୋଟେଲଗୁଡିକ ପାଇଁ ସବୁଠାରୁ ବଡ ଆହ୍ୱାନ ହେଉଛି ଯୋଗାଯୋଗ । ଯଦି ଏହିସବୁ ସ୍ଥାନକୁ ବିମାନ ସେବା କିମ୍ବା ସେହିଭଳି ତ୍ୱରିତ ଯୋଗାଯୋଗ ସେବା ଆରମ୍ଭ ହୋଇପାରିବ ତେବେ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କ୍ଷେତ୍ରରେ ଏହା ବଡ ସହାୟକ ହେବ । (ତଥ୍ୟ)