Home General ଓଡିଶାରେ ୧୦ ସ୍ମାର୍ଟ ପୁଷ୍ଟି ଗ୍ରାମ

ଓଡିଶାରେ ୧୦ ସ୍ମାର୍ଟ ପୁଷ୍ଟି ଗ୍ରାମ

ଭୁବନେଶ୍ୱର : ସମଗ୍ର ଦେଶରେ ୭୫ଟି ସ୍ମାର୍ଟ ପୁଷ୍ଟି ଗ୍ରାମର ଶୁଭାରମ୍ଭ ହୋଇଥିବାବେଳେ ଏଥି ମଧ୍ୟରେ ଓଡିଶାର ୧୦ଟି ରହିଛି । ଏହି ଗ୍ରାମଗୁଡିକ ପୁରୀ, ଖୋରଧା, କଟକ ଓ ଜଗତ୍‍ସିଂହପୁର ଜିଲ୍ଲାରେ ଥିବା ଜଣାଯାଇଛି ।

ଏଠାରେ ଥିବା ଆଇସିଏଆର-ସିଆଇଡବ୍ଳ୍ୟୁଏ ଠାରେ ଆୟୋଜିତ ସ୍ମାର୍ଟ ପୁଷ୍ଟି ଗ୍ରାମ କାର୍ଯ୍ୟକ୍ରମକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ୭୫ଟି ଗ୍ରାମକୁ ‘ସ୍ମାର୍ଟ ପୁଷ୍ଟି’ ଗ୍ରାମ ଭାବେ ଚିହ୍ନଟ ହୋଇଥିବାବେଳେ ଲୋକେ ଘରେ ଏବଂ ବିଦ୍ୟାଳୟରେ କିଭଳି ପୁଷ୍ଟିକର ବଗିଚା ସୃଷ୍ଟି କରିପାରିବେ ତାହା ଉପରେ ମତ ଦେଇଥିଲେ । ଏହାଦ୍ୱାରା ଦେଶରୁ ପୁଷ୍ଟିହୀନତା ଦୂର କରାଯାଇ ପାରିବ ।

ଏହି କାର୍ଯ୍ୟକ୍ରମରେ ‘ମୋ ଗାଁ ମୋ ଗର୍ବ’ (ଏମ୍‍ଜିଏମ୍‍ଜି) ଗ୍ରାମର ୧୦୦ ଜଣ କୃଷିଜୀବି ମହିଳା ଯୋଗ ଦେଇଥିଲେ । ଓଡିଶା ସ୍ମାର୍ଟ ପୁଷ୍ଟି ଗ୍ରାମ ଭାବେ ଚିହ୍ନଟ ହୋଇଥିବା ଗାଁ ଗୁଡିକ ମଧ୍ୟରେ ପୁରୀ ଜିଲ୍ଲା ପିପିଲି ବ୍ଲକର ମାଟିଆପଡା ଓ କୁଞ୍ଜର, କଣାସ ବ୍ଲକର ଲୋକପାଳ, ନିମାପଡା ବ୍ଲକର ଚିତ୍ରା ଓ ଶଗଡା, ଖୋରଧା ଜିଲ୍ଲା ବାଲିପାଟଣା ବ୍ଲକର ମଝିଘର, କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକର ଶଙ୍କିଲୋ, ତେନ୍ତଲପୁର ଓ କଟରାପଡା ଏବଂ ଜଗତ୍‍ସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ଶ୍ରୀବନ୍ତପୁର ଗ୍ରାମ ରହିଛି ।

ଏହି କାର୍ଯ୍ୟକ୍ରମରେ ଡକ୍ଟର ବି. ସାହୁ ଅଧ୍ୟକ୍ଷତା କରିଥିବାବେଳେ ଯୋଜନାର ନୋଡାଲ ଅଧିକାରୀ ଡକ୍ଟର ଜ୍ୟୋତି ନାୟକ ଉପସ୍ଥିତ ଥିଲେ । ଡକ୍ଟର ସାହୁ ଏହି ଅବସରରେ ଉପସ୍ଥିତ ମହିଳା ମାନଙ୍କୁ ଜୈବିକ ଖାଦ୍ୟ, ପୁଷ୍ଟିକର ରୋଷେଇ ବଗିଚା, ପୁଷ୍ଟିକର ମଡେଲର କୃଷି, ସଘନ ଚାଷ ପ୍ରଣାଳୀ, ସମନ୍ୱିତ ଚାଷ ବ୍ୟବସ୍ଥା, ଅଧିକ ଅମଳ ପାଇଁ ବିଭିନ୍ନ ଜ୍ଞାନକୌଶଳର ପ୍ରୟୋଗ ଏବଂ ଗୁଣାତ୍ମକ ବିହନ ଉପରେ ପରାମର୍ଶମାନ ଦେଇଥିଲେ ।

ଏଥି ସହିତ କାଦ୍ୟରେ ଥିବା ଭିଟାମିନ, ଶିଶୁଙ୍କ ପାଇଁ ଖାଦ୍ୟରେ ଆବଶ୍ୟକ ଖଣିଜ ପଦାର୍ଥ, କିଶୋରୀ ଏବଂ ଗର୍ଭବତୀ ମହିଳା ବିଶେଷକରି ରକ୍ତହୀନତାର ଶିକାର ମହିଳାମାନେ କିଭଳି ଖାଦ୍ୟ ଗ୍ରହଣ କରିବେ ସେ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ପୁଷ୍ଟିକର ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଁ ମହିଳାମାନଙ୍କ ତାଲିମ କ୍ଷେତ୍ରରେ କୃଷି ବିଜ୍ଞାନ କେନ୍ଦ୍ର ଏବଂ ସର୍ବଭାରତୀୟ କୃଷି ଗବେଷଣା କେନ୍ଦ୍ରର ଅବଦାନ ସଂକ୍ରାନ୍ତରେ କହିଥିଲେ ।

ନୋଡାଲ ଅଫିସର ଡକ୍ଟର ଜ୍ୟୋତି ନାୟକ ଖାଦ୍ୟରେ ପୁଷ୍ଟିକର ଗୁଣବତ୍ତା ବଜାୟ ରଖିବାପାଇଁ ରୋଷେଇ ପ୍ରଣାଳୀ ସଂକ୍ରାନ୍ତରେ ଅବଗତ କରିଥିଲେ । ଠିକଣା ଭାବେ ଖାଦ୍ୟ ଗ୍ରହଣ ନକଲେ ତାହାର ପ୍ରଭାବ କିଶୋରୀ, ଗର୍ଭବତୀ ଓ ପିଲାଙ୍କୁ କ୍ଷୀର ଖୁଆଉଥିବା ମହିଳାଙ୍କ ଉପରେ କ’ଣ ପଡିଥାଏ ତାହା ଜଣାଇବା ସହିତ ବିଭିନ୍ନ ବର୍ଗଙ୍କ ପାଇଁ ଆବଶ୍ୟକ ପୁଷ୍ଟିକର ଖାଦ୍ୟର ତାଲିକା ଉଲ୍ଲେଖ କରିଥିଲେ ।

ଏହାପରେ ମହିଳାମାନଙ୍କ ପାଇଁ ଏକ ବୈଷୟିକ ଅଧିବେଶନର ଅନୁଷ୍ଠିତ ହୋଇଥିଲା । ଏଥିରେ ଆଇସିଏଆର-ସିଆଇଡବ୍ଲ୍ୟୁଏ ର ବୈଜ୍ଞାନିକମାନେ ‘ପୋଷଣ ବାଟିକା’ ମଣିଷ ଶରୀର ପାଇଁ ଦୁଗ୍ଧର ଆବଶ୍ୟକତା, ପୁଷ୍ଟିକରଣ ଖାଦ୍ୟରେ ଡାଲିଜାତୀୟ ଖାଦ୍ୟର ଭୂମିକା ଆଦି ସଂକ୍ରାନ୍ତରେ ବୁଝାଇଥିଲେ । ମହିଳାମାନେ ମଧ୍ୟ ବିଶେଷଜ୍ଞଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୀ ସେମାନଙ୍କର ଶଙ୍କା ଦୂର କରିଥିଲେ । (ତଥ୍ୟ)