ଭୁବନେଶ୍ୱର : ଓଡିଶାରେ ବଢୁଛି ମିଲେଟ ବା ଶ୍ରୀ ଅନ୍ନର ଉତ୍ପାଦନ । ଗତ ୫ବର୍ଷ ମଧ୍ୟରେ ଏହା ପ୍ରାୟ ୩୦ହଜାର ମେଟ୍ରିକ ଟନ୍ ବୃଦ୍ଧି ପାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଲେଟ୍ ଉପରେ ଫୋକସ୍ କରିବା ଫଳରେ ଜାତୀୟ ସ୍ତରରେ ମଧ୍ୟ ମିଲେଟ୍ ଜାତୀୟ ଶସ୍ୟର ଉତ୍ପାଦନ ବଢିବାରେ ଲାଗିଛି ।
କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ଓଡିଶାରେ ୨୦୧୮-୧୯ ରେ ୪୮.୧୮ ହଜାର ମେଟ୍ରିକ୍ ଟନ୍ ମିଲେଟ ଉତ୍ପାଦନ ହୋଇଥିବାବେଳେ ଏହା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ୨୦୨୦-୨୧ ବର୍ଷରେ ଏହା ୫୦ହଜାର ଟନ୍କୁ ଅତିକ୍ରମ କରିଯାଇଥିବାବେଳେ ୨୦୨୨-୨୩ ବର୍ଷରେ ରାଜ୍ୟ ୭୬.୩୪ ହଜାର ମେଟ୍ରିକ ଟନ୍ ମିଲେଟ୍ ଉତ୍ପାଦିତ ହୋଇଛି । ଏହି ସମୟ ମଧ୍ୟରେ ପଡୋଶୀ ଆନ୍ଧ୍ରପ୍ରଦେଶକୁ ବାଦ୍ ଦେଲେ ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟ ମିଲେଟ୍ ଉତ୍ପାଦନ କ୍ଷେତ୍ରରେ ଓଡିଶା ଠାରୁ ଢେର ପଛରେ ପଡିଛନ୍ତି ।
ଜାତୀୟ ସ୍ତରରେ ମଧ୍ୟ ମିଲେଟ ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି । ୨୦୧୮-୨୯ ବର୍ଷରେ ସମଗ୍ର ଦେଶରେ ୧୩.୭୧ କୋଟି ମେଟ୍ରିକ ଟନ୍ ମିଲେଟ ଉତ୍ପାଦନ ହୋଇଥିବାବେଳେ ୨୦୨୨-୨୩ ବର୍ଷରେ ତାହା ୧୭ କୋଟି ମେଟ୍ରିକ ଟନ୍କୁ ଅତିକ୍ରମ କରିଯାଇଛି । ମିଲେଟ ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ରାଜସ୍ଥାନ । ରାଜସ୍ଥାନରେ ୨୦୨୨-୨୩ ବର୍ଷରେ ୫୬.୭୩ ଲକ୍ଷ ମେଟ୍ରିକ ଟନ୍ ମିଲେଟ ଉତ୍ପାଦନ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୨୩.୬୮ଲକ୍ଷ, କର୍ଣ୍ଣାଟକରେ ୨୦.୩୨ଲକ୍ଷ, ମହାରାଷ୍ଟ୍ରରେ ପାଖାପାଖି ୧୯ଲକ୍ଷ ଏବଂ ମଧ୍ୟପ୍ରଦେଶରେ ୧୨.୫୩ଲକ୍ଷ ମେଟ୍ରିକ ଟନ୍ ମିଲେଟ ଉତ୍ପାଦିତ ହୋଇଛି ।
ଓଡିଶାର ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୨୦୧୯-୨୦ ଓ ୨୦୨୦-୨୧ ବର୍ଷ ତୁଳନାରେ ମିଲେଟ ଉତ୍ପାଦନ ୨୦୨୨-୨୧ରେ ହ୍ରାସ ପାଇଛି । ଉପରୋକ୍ତ ଦୁଇଟି ବର୍ଷରେ ଆନ୍ଧ୍ରପ୍ରଦେଶରେ ୫ଲକ୍ଷ ଟନ୍ରୁ ଅଧିକ ମିଲେଟ ଉତ୍ପାଦନ ହୋଇଥିବାବେଳେ ୨୦୨୨-୨୩ ବର୍ଷରେ ତାହା ୪ଲକ୍ଷ ମେଟ୍ରିକ ଟନ୍ ତକଳୁ ଖସି ଆସିଛି । ତେବେ ଏହିବର୍ଷ ଛତିଶଗଡରେ ୨୩.୫୪ ହଜାର ଟନ୍ ମିଲେଟ ଫଳିଥିବାବେଳେ ଝାଡଖଣ୍ଡରେ ୧୩.୬୨ ହଜାର ଟନ୍ ଏବଂ ପଶ୍ଚିମବଙ୍ଗରେ ମାତ୍ର ୬.୧୯ ହଜାର ଟନ୍ ଉତ୍ପାଦନ ହୋଇଛି ।
ମିଲେଟକୁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚିତି ଦେବାପାଇଁ ଭାରତର ପ୍ରସ୍ତାବ କ୍ରମେ ୨୦୨୩କୁ ଆର୍ନ୍ତଜାତୀୟ ମିଲେଟ ବର୍ଷ ଭାବେ ଜାତିସଂଘ ଘୋଷଣା କରିଛି । ନିକଟରେ ଅନୁଷ୍ଠିତ ଆର୍ନ୍ତଜାତୀୟ ସମ୍ମିଳନୀ ଜି-୨୦ ରେ ମଧ୍ୟ ମିଲେଟ ସ୍ଥାନ ପାଇଥିଲା । ସେହିଭଳି ଇଣ୍ଡୋନେସିଆ ଏବଂ ଦିଲ୍ଲୀ ଠାରେ ଏସିଆନ ମିଲେଟ ଉତ୍ସବ ପାଳନ କରାଯାଇଛି ।
ରାଜ୍ୟ ସ୍ତରରେ ମଧ୍ୟ ମିଲେଟକୁ ପ୍ରୋତ୍ସାହନ ଦେବାପାଇଁ ଓଡିଶା ସରକାର ମିଲେଟ ମିଶନ ଗଠନ କରିଛନ୍ତି । ଏଥି ସହିତ ମିଲେଟ ଉତ୍ପାଦିତ ସାମଗ୍ରୀକୁ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି ମିଶନ ଶକ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲିଥିବା ମିଶନ ଶକ୍ତି ବିକ୍ରୟକେନ୍ଦ୍ରରେ ମିଲେଟରୁ ଉତ୍ପାଦିତ ବହୁ ସାମଗ୍ରୀ ମିଳିପାରୁଛି । ଇତି ମଧ୍ୟରେ ହାଇଦ୍ରାବାଦ ଠାରେ ଥିବା ଭାରତୀୟ ମିଲେଟ ଗବେଷଣା କେନ୍ଦ୍ର ପକ୍ଷରୁ ଚାଷୀ, ମହିଳା କୃଷକ, ଗୃହୀଣୀ, ଛାତ୍ରଛାତ୍ରୀ ଏବଂ ଯୁବ ଉଦ୍ୟୋଗୀମାନଙ୍କୁ ମିଲେଟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଉଛି । (ତଥ୍ୟ)