Home General ଓଡିଶାରେ ନାହିଁ ଇ-ଯାନ କାରଖାନା

ଓଡିଶାରେ ନାହିଁ ଇ-ଯାନ କାରଖାନା

ଭୁବନେଶ୍ୱର : ବ୍ୟାଟେରୀଚାଳିତ ଗାଡିର ଚାହିଦା ଦିନକୁ ଦିନ ବଢୁଥିବାବେଳେ ଓଡିଶାରେ ଗୋଟିଏ ହେଲେ ବ୍ୟାଟେରୀଚାଳିତ ଗାଡି କାରଖାନା ନାହିଁ । ସେହିଭଳି କେନ୍ଦ୍ର ସରକାର ମଞ୍ଜୁର କରିଥିବା ଚାର୍ଜିଂ ଷ୍ଟେସନ ସଂଖ୍ୟା ବି ଓଡିଶାରେ ଢେର କମ୍‍ ।

ଫେମ୍‍-ଇଣ୍ଡିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ୬୪ଟି କମ୍ପାନୀ ଦୁଇ ଚକିଆ ବ୍ୟାଟେରୀଚାଳିତ ଯାନ ନିର୍ମାଣ କରୁଥିବାବେଳେ ସେଥି ମଧ୍ୟରୁ ଗୋଟିଏ ହେଲେ ଓଡିଶାରେ ନାହିଁ । ଅଧିକାଂଶ କାରଖାନା ଦକ୍ଷିଣଭାରତ, ମହାରାଷ୍ଟ୍ର, ହରିଆନା ଆଦି ରାଜ୍ୟରେ ରହିଛି । ସେଠାରୁ ଦୁଇ ଚକିଆ ଗାଡି ନିର୍ମାଣ ହୋଇ ଓଡିଶାକୁ ଆସୁଥିବା ଜଣାଯାଉଛି । ଅନୁରୂପ ଭାବେ ଦେଶରେ ଦୁଇଟି ଚାରିଚକିଆ ଇ-ଯାନ ନିର୍ମାତା ଥିବାବେଳେ ଓ ୭ଟି ଇ-ବସ୍‍ ନିର୍ମାଣକାରୀ ସଂସ୍ଥା ରହିଛନ୍ତି । ଏମାନଙ୍କର କାରଖାନା ବି ଓଡିଶା ବାହାରେ ।

ସେହିଭଳି ଏହି ଯୋଜନାରେ କେନ୍ଦ୍ର ଭାରି ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୮୭୭ଟି ଚାର୍ଜିଂ ଷ୍ଟେସନ ନିର୍ମାଣକୁ ମଞ୍ଜୁରୀ ମିଳିଛି । ବ୍ୟାଟେରୀ ଚାଳିତ ଯାନ ବ୍ୟବହାର ବଢାଇବାପାଇଁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ତେବେ ଏଥିରୁ ଓଡିଶା ଭାଗରେ ମାତ୍ର ୧୮ଟି ଚାର୍ଜିଂ ଷ୍ଟେସନ ପଡିଥିବା ଜଣାଯାଇଛି ।

ବିଭିନ୍ନ ସହରାଞ୍ଚଳ ସମେତ ଏକ୍ସପ୍ରେସ ୱେ ଓ ରାଜପଥ ପାଶ୍ୱର୍ରେ ମଧ୍ୟ ଚାର୍ଜିଂ ଷ୍ଟେସନ ନିର୍ମାଣ ପାଇଁ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ହୋଇଛି । ଏଥିରେ ୯ଟି ଏକ୍ସପ୍ରେସୱେ ଓ ୧୬ଟି ରାଜପଥ ସାମିଲ ଥିବାବେଳେ ଏହା ପାଶ୍ୱର୍ରେ ୧୫୭୬ଟି ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯିବ । ତେବେ ଓଡିଶାକୁ ଯୋଡୁଥିବା ଜାତୀୟ ରାଜପଥରେ ଏଥିରୁ ୧୬୪ଟି ପ୍ରତିଷ୍ଠା ଯୋଜନା ରହିଛି । ଏଥି ମଧ୍ୟରେ କୋଲକତା-ଭୁବନେଶ୍ୱର ମଧ୍ୟରେ ୪୪ଟି ଥିବାବେଳେ ଚେନ୍ନାଇ ଭୁବନେଶ୍ୱର ମଧ୍ୟରେ ୧୨୦ଟି ରହିଛି ।

ଫେମ୍‍ ଇଣ୍ଡିଆର ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ ୫୨୦ଟି ଚାର୍ଜିଂ ଷ୍ଟେସନ ନିର୍ମାଣକୁ ମଞ୍ଜୁରୀ ମିଳିଥିଲା । ଏଥି ମଧ୍ୟରୁ ୪୭୯ଟି ନିର୍ମାଣ ହୋଇଛି । ନିର୍ମାଣ ହୋଇଥିବା ଚାର୍ଜିଂ ଷ୍ଟେସନ ମଧ୍ୟରୁ ୯ଟି ରାଜ୍ୟରେ ୩୯୮ଟି ଥିବାବେଳେ ୪ଟି ଜାତୀୟ ରାଜପଥ ପାଶ୍ୱର୍ରେ ୮୧ଟି ରହିଛି । ଏଥି ମଧ୍ୟରେ ଓଡିଶାର ସ୍ଥାନ ନାହିଁ ।

ତେବେ ଇତି ମଧ୍ୟରେ ବ୍ୟାଟେରୀ ଚାଳିତ ଗାଡି ଉପରୁ କେନ୍ଦ୍ର ସରକାର ଜିଏସ୍‍ଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିଥିବାବେଳେ ଚାର୍ଜିଂ ଷ୍ଟେସନ ଉପରୁ ମଧ୍ୟ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିଛନ୍ତି । ବ୍ୟାଟେରୀ ଚାଳିତ ଯାନରେ ବ୍ୟବହାର ହେଉଥିବା ବ୍ୟାଟେରୀର ଦର ହ୍ରାସ ଯୋଗୁଁ ଏହି ଧରଣର ଯାନ ବାହାନ ଦର ମଧ୍ୟ ହ୍ରାସ ପାଇଛି । ତେବେ ଓଡିଶାରେ ବ୍ୟାଟେରୀ ଚାଳିତ ଯାନ ବିକ୍ରେତାଙ୍କ ଉପରେ ସରକାରଙ୍କର ସେଭଳି କୌଣସି ନିୟନ୍ତ୍ରଣ ନଥିବାରୁ ସେମାନେ ଗ୍ରାହକଙ୍କ ଠାରୁ ମନଇଚ୍ଛା ଅର୍ଥ ଆଦାୟ କରୁଛନ୍ତି ।

ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାରଙ୍କ ନିୟମ ଆଧାରରେ ରାଜ୍ୟ ସରକାର ବ୍ୟାଟେରୀ ଚାଳିତ ଯାନର ପଞ୍ଜିକରଣ ଛାଡ କରିଥିବାବେଳେ ଟିକସ ମଧ୍ୟ ଛାଡ କରିଛନ୍ତି । ଏଥି ସହିତ କେତେକ ଦୁଇ ଚକିଆ ଯାନ ସହିତ ତିନି ଓ ଚାରି ଚକିଆ ଯାନ ଉପରେ ରିହାତି ପ୍ରଦାନ କରୁଛନ୍ତି । (ତଥ୍ୟ)