ଭୁବନେଶ୍ୱର : ଶେଷ ଜନଗଣନା ବେଳେ ଓଡ଼ିଶାରେ ନିରକ୍ଷରଙ୍କ ସଂଖ୍ୟା ପ୍ରାୟ ୧କୋଟି ୧୪ଲକ୍ଷ ଥିଲା । ଏବେ ଏହି ସଂଖ୍ୟା କେତେ କମିଛି କି ବଢ଼ିଛି ସେ ସଂକ୍ରାନ୍ତରେ କିଛି ସ୍ପଷ୍ଟ ଚିତ୍ର ନଥିଲେ ବି ଆଗାମୀ ଜନଗଣନାରେ ଏହି ପରିସଂଖ୍ୟାନ ଜଣାପଡିବ । କେବଳ ସେତିକି ନୁହେଁ, ଓଡ଼ିଶାରେ ମହିଳା ଏବଂ ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କ ସଂଖ୍ୟା ସଂପର୍କରେ ମଧ୍ୟ ବାସ୍ତବ ଚିତ୍ର ପରବର୍ତ୍ତୀ ଜନଗଣନାରେ ଆସିବ ।
ଗତ ଜନଗଣନା ବେଳକୁ ଓଡ଼ିଶାର ଜନସଂଖ୍ୟା ୪,୧୯,୭୪,୨୧୮ ଥିଲା । ଏବେ ଏହି ସଂଖ୍ୟା ୪ କୋଟି ୪୦ଲକ୍ଷରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଥିବା ବେଳେ କେତେକ ଏହି ସଂଖ୍ୟା ସାଢ଼େ ଚାରିକୋଟି ଟପିପାରେ ବୋଲି ମଧ୍ୟ ଅନୁମାନ କରୁଛନ୍ତି । ସେତେବେଳେ ଓଡ଼ିଶାରେ ଅନୁସୂଚିତ ଜାତିର ଜନସଂଖ୍ୟା ପାଖାପାଖି ୭୨ଲକ୍ଷ ଥିବାବେଳେ ଅନୁସୂଚିତ ଜନଜାତିର ଲୋକଙ୍କ ସଂଖ୍ୟା ପ୍ରାୟ ୯୬ଲକ୍ଷ ଥିଲା ।
ଇତିମଧ୍ୟରେ ନୂଆ ଜନଗଣନା ହୋଇନଥିବା ବେଳେ ରାଜ୍ୟର ଜନଜାତି ବର୍ଗର ଜନସଂଖ୍ୟା କୋଟିଏକୁ ଟପିଯାଇଥିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଥିବା ବେଳେ ଅନୁସୂଚିତ ଜାତିର ଲୋକଙ୍କ ସଂଖ୍ୟା ୮୦ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ଜାତିଭିତ୍ତିକ ଜନଗଣନା ହୋଇନଥିବାରୁ ଓଡ଼ିଶାରେ ପଛୁଆବର୍ଗର ଜନସଂଖ୍ୟା କେତେ ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ ।
କେହି କେହି ଓଡ଼ିଶାରେ ପଛୁଆ ବର୍ଗର ଜନସଂଖ୍ୟା ୫୦ ପ୍ରତିଶତରୁ ଅଧିକ ବୋଲି ଦାବି କରିବା ସହିତ ଏହି ବର୍ଗର ଲୋକଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନ ନାମାଙ୍କନ କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦାବି କରୁଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ଜନସଂଖ୍ୟା ଆଧାରରେ ୩୮.୭୫ ପ୍ରତିଶତ ସଂରକ୍ଷଣ ସରକାରୀ ଚାକିରି କ୍ଷେତ୍ରରେ ରହିଛି ।
ଗତ ଜନଗଣନା ସମୟରେ ଜଣାପଡିଥିଲା ଯେ ରାଜ୍ୟରେ ସାକ୍ଷରଙ୍କ ସଂଖ୍ୟା ୭୨.୯ ପ୍ରତିଶତ । ଅର୍ଥାତ୍ ସେତେବେଳକୁ ଓଡ଼ିଶାରେ ସାକ୍ଷର ଲୋକଙ୍କ ସଂଖ୍ୟା ପ୍ରାୟ ୩ କୋଟି ୯୬ଲକ୍ଷ ଥିବାବେଳେ ନିରକ୍ଷରଙ୍କ ସଂଖ୍ୟା ପାଖାପାଖି ୧ କୋଟି ୧୪ଲକ୍ଷ ରହିଥିଲା । ସାରା ଦେଶରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ବହିପତ୍ର, ଜୋତା ସମେତ ସ୍କୁଲ ପୋଷାକ ଆଦି ମାଗଣାରେ ଯୋଗାଇ ଦେବା ସଂଗେ ସଂଗେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବାରୁ ଅଧିକ ସଂଖ୍ୟକ ପିଲା ବିଦ୍ୟାଳୟକୁ ଆସୁଥାଇପାରନ୍ତି ବୋଲି ଆକଳନ କରାଯାଉଛି ।
ତେଣୁ ଆଗାମୀ ଜନଗଣନା ବେଳେ ଓଡ଼ିଶାରେ ନିରକ୍ଷରଙ୍କ ହାର ପୂର୍ବାପେକ୍ଷା କମିଥିବ ବୋଲି ଆଶା କରିବା ସ୍ୱାଭାବିକ । ଏଠାରେ ଉଲ୍ଲେଖନୀୟ ଯେ ଗତ ଜନଗଣନା ବେଳେ ଭାରତର ନିରକ୍ଷରଙ୍କ ଲୋକଙ୍କ ସଂଖ୍ୟା ୨୮କୋଟିରୁ ଅଧିକ ଥିଲା ଯାହାକି ସେତେବେଳରୁ ଯୁକ୍ତରାଷ୍ଟ୍ର ଆମେରିକାର ଜନସଂଖ୍ୟା ସହ ପ୍ରାୟ ସମାନ ଥିଲା ।
ଶିକ୍ଷାବିତ୍ମାନେ କହୁଛନ୍ତି ଯେ ରାଜ୍ୟରେ ସାକ୍ଷରଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇବା ସମ୍ଭାବନା ଥିବାବେଳେ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ବହୁ ଛାତ୍ରଛାତ୍ରୀ ପାଠ ପଢ଼ା ଛାଡ଼ିଦେଉଥିବା ଏବଂ ଅନେକଙ୍କ ଶିକ୍ଷାର ମାନ ନିମ୍ନମାନର ଥିବାଯୋଗୁ ଓଡ଼ିଶାରେ ଅର୍ଦ୍ଧଶିକ୍ଷିତ ଲୋକଙ୍କ ସଂଖ୍ୟା ବଢ଼ୁଛି । ଜନସଂଖ୍ୟା ବୃଦ୍ଧି ସହ ତାଳ ଦେଇ ବେକାରୀ ଓ ବେରୋଜଗାରୀ ବଢ଼ି ଚାଲିବା ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ଦାରିଦ୍ର୍ୟ, ଅନଗ୍ରସରତା, ଋଣବୋଝ ଓ ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶା ପାଇଁ ସ୍ଥାୟୀ ଆହ୍ୱାନ ଭାବେ ଉଭା ହୋଇଛି । ସେହିଭଳି ଗତ ଜନଗଣନା ବେଳେ ଓଡ଼ିଶାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ପ୍ରାୟ ୫ଲକ୍ଷ କମ୍ ଥିଲା । ରାଜ୍ୟରେ ପୁରୁଷଙ୍କ ହାର ସେତେବେଳେ ୫୦.୫ ପ୍ରତିଶତ ଥିବାବେଳେ ମହିଳାଙ୍କ ହାର ଥିଲା ୪୯.୫ ପ୍ରତିଶତ । ଇତିମଧ୍ୟରେ ମହିଳାଙ୍କ ହାର ପୁରୁଷଙ୍କ ତୁଳନାରେ ବଢ଼ିଥାଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି । (ତଥ୍ୟ)