ଭୁବନେଶ୍ୱର : ପାରମ୍ପରିକ ଶିଳ୍ପର ବିକାଶ ଲାଗି କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ସ୍ଫୁର୍ତ୍ତି ଯୋଜନା ଓଡିଶାରେ ଉଧେଇ ପାରୁନାହିଁ । ରାଜ୍ୟକୁ ଆସିଥିବା ୪୮ଟି ପ୍ରକଳ୍ପ ମଧ୍ୟରୁ ମାତ୍ର ୭ଟି ସମ୍ପୂର୍ଣ୍ଣ ହୋଇଥିବା ।
ରାଜ୍ୟରେ ବିଭିନ୍ନ ପ୍ରକାର ପାରମ୍ପରିକ ଶିଳ୍ପ ଯଥା, ବାଉଁଶ, ସିଙ୍ଗ, ବେତ, କାଇଁଚ, କତା, କଂସା ପିତ୍ତଳ, ଲାଖ, ମହୁ, କୃଷିଜାତ ଦ୍ରବ୍ୟ ଆଦିର ବିକାଶ କରିବା ସହିତ ତାହା ଜରିଆରେ ସ୍ଥାନୀୟ ଅଞ୍ଚଳରେ ଆତ୍ମନିଯୁକ୍ତି ବୃଦ୍ଧି ପାଇଁ କେନ୍ଦ୍ର ସରକାର ସ୍ଫୁର୍ତ୍ତି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାଟି ବେସରକାରୀ ଅନୁଷ୍ଠାନ (ଏନ୍ଜିଓ)ମାନଙ୍କ ଦ୍ୱାରା ଚଳାଯାଉଛି ।
କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ପ୍ରକଳ୍ପ ପାଇଁ ଏନ୍ଜିଓ ୧୦ ପ୍ରତିଶତ ଅର୍ଥ ଯୋଗାଇବ ଏବଂ ଅବଶିଷ୍ଟ ୯୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିବେ । ତେବେ ସମସ୍ତ କାର୍ଯ୍ୟ ରାଜ୍ୟ ସରକାର ଏମ୍ଏସ୍ଏମଇ ବିଭାଗ ତତ୍ୱାବଧାନରେ ହେବ । ଘର ତିଆରି ଠାରୁ ଆରମ୍ଭ କରି ଯନ୍ତ୍ରପାତି ଖରିଦ ପର୍ଯ୍ୟନ୍ତ ସବୁକିଛି ଟେଣ୍ଡର ଜରିଆରେ ହେବ ଏବଂ ଟେଣ୍ଡରଧାରୀ ରାଜ୍ୟ ସରକାରଙ୍କ ଠାରୁ ଅର୍ଥ ପାଇବେ ।
୨୦୧୬ ମସିହାରେ ସ୍ଫୁର୍ତ୍ତି ଯୋଜନାରେ ଓଡିଶାକୁ ୨୭ଟି ପ୍ରକଳ୍ପ ଆସିଥିବାବେଳେ ଚଳିତବର୍ଷ ଆଉ ୨୧ଟି ପ୍ରକଳ୍ପ ମଞ୍ଜୁର ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ମିଳିଥିବା ୨୭ଟି ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୭ଟି ସମ୍ପୂର୍ଣ୍ଣ ହୋଇଛି । ଅନ୍ୟଗୁଡିକ ଏକ ପ୍ରକାର ଅଧାପନ୍ତରିଆ ଅବସ୍ଥାରେ । ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଏବେ ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଲାଣି ।
ତେବେ ରାଜ୍ୟରେ ଏହି କେନ୍ଦ୍ରୀୟ ଯୋଜନାର ଏଭଳି ଧିମା ଗତି ସଂକ୍ରାନ୍ତରେ ଜଣାପଡିଛି ଯେ ପ୍ରକଳ୍ପ ପାଇଥିବା କେତେକ ସଂସ୍ଥା ସେମାନଙ୍କର ୧୦ ପ୍ରତିଶତ ଅର୍ଥ ଦେବାକୁ ମଧ୍ୟ ସକ୍ଷମ ହୋଇପାରୁନାହାନ୍ତି । ଗୋଟିଏ ଗୋଟିଏ ପ୍ରକଳ୍ପ ଲାଗି କେତେକ ଏନ୍ଜିଓଙ୍କୁ ୨୦ ରୁ ୪୦ଲକ୍ଷ ଟଙ୍କା ଖଟାଇବାକୁ ପଡୁଥିବାବେଳେ ବିଭିନ୍ନ ସ୍ତରରେ କାର୍ଯ୍ୟର ମନ୍ଥରତା ଯୋଗୁଁ ସେମାନେ ଏହି ବିପୁଳ ଅର୍ଥ ଖଟାଇବାକୁ ପଛଘୁଞ୍ଚା ଦେଉଛନ୍ତି ।
ବିଶେଷକରି ପ୍ରକଳ୍ପ ପାଇଁ ଘର ତିଆରି ଏବଂ ବିଦ୍ୟୁତ୍, ପାଣି, ସଡକ ଆଦିର ସଂଯୋଗ ପାଇଁ କେତେକ ଏନ୍ଜିଓ କର୍ତ୍ତୃପକ୍ଷ ନାକେଦମ ହେଉଛନ୍ତି । ସେହିଭଳି ପ୍ରକଳ୍ପ ପାଇଁ ଆବଶ୍ୟକ ଯନ୍ତ୍ରପାତି ରାଜ୍ୟ ବାହାରୁ ଆଣିବାକୁ ପଡୁଥିବାରୁ ତାହା ମଧ୍ୟ ଠିକଣା ସମୟରେ ପହଞ୍ଚି ପାରୁନାହିଁ । ଏଥି ସହିତ ସରକାରୀ ସ୍ତରରେ କାଗଜଚାଷ ମଧ୍ୟ ଅନେକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।
ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ସ୍ଫୁର୍ତ୍ତି ଯୋଜନାକୁ ଗୁରୁତ୍ୱ ଦେଉଥିବାବେଳେ ଗତ ତିନିବର୍ଷ ମଧ୍ୟରେ ୩୬୫ ଟି କ୍ଲଷ୍ଟର ମଞ୍ଜୁର ସହିତ ଏ ବାବଦରେ ୧୦୨୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ତେବେ କେନ୍ଦ୍ର ସରକାର ଏତେ ବିପୁଳ ପରିମାଣର ଅର୍ଥ ଯୋଗାଣ କରୁଥିବାବେଳେ ଓଡିଶାରେ ଯୋଜନାର କଚ୍ଛପ ଗତି ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଏକ ପ୍ରକାର ଚିନ୍ତାର କାରଣ ହୋଇଛି । (ତଥ୍ୟ)