Home Education ଓଡିଶାରେ ଆରମ୍ଭ ହୋଇନି ପିଏମ ଶ୍ରୀ

ଓଡିଶାରେ ଆରମ୍ଭ ହୋଇନି ପିଏମ ଶ୍ରୀ

ଭୁବନେଶ୍ୱର : ଗତବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ପିଏମ୍‍ ଶ୍ରୀ ଯୋଜନାରୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଲାଭ ଉଠାଇ ନାହାନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହାକୁ କାର୍ଯ୍ୟକାରୀ ଲାଗି କେନ୍ଦ୍ର ସହ ରାଜିନାମା ହୋଇନଥିବା ଜଣାଯାଇଛି । କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଲୋକସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି ।

ବିଜେପି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଯେ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ସହିତ ରାଜିନାମା ସ୍ୱାକ୍ଷର ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କୁହାଯାଇଛି । ତେବେ ଓଡିଶା ବର୍ତ୍ତମାନ ସୁଦ୍ଧା ଏହି ରାଜିନାମା ସ୍ୱାକ୍ଷର କରିନାହିଁ । ଏହି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଟି ୨୦୨୨ ସେପ୍ଟେମ୍ବର ୭ ତାରିଖରେ କ୍ୟାବିନେଟ୍‍ ଅନୁମୋଦନ ଲାଭ କରିଥିବା ମନ୍ତ୍ରୀ କହିଛନ୍ତି ।

ଏହି ଯୋଜନାରେ ପିଏମ୍‍ ଶ୍ରୀ ବିଦ୍ୟାଳୟଗୁଡିକୁ ଏଭଳି ପ୍ରସ୍ତୁତ କରାଯିବ ଯେଉଁଠାରେ ପିଲାମାନେ ପାଠପଢା ସହିତ ଅନ୍ୟାନ୍ୟ ଶିକ୍ଷା ବିଶେଷକରି ଶାରୀରିକ ଶିକ୍ଷା ଆଦି ପାଇପାରିବେ । ଏଥି ସହିତ ବିଦ୍ୟାଳୟଗୁଡିକ ପରିବେଶ ଅନୁକୂଳ ହେବ ଯେପରିକି ଏଠାରେ ସୌରଶକ୍ତି ପ୍ୟାନେଲ ଏବଂ ଏଲ୍‍ଇଡି ଲାଇଟ୍‍ ଲଗାଯିବା ସହିତ ପୁଷ୍ଟିକର ବଗିଚା, ଜୈବିକ ଚାଷ, ବର୍ଜ୍ୟ ପରିଚାଳନା, ପ୍ଲାଷ୍ଟିକ ମୁକ୍ତ ପରିବେଶ, ଜଳ ସଂରକ୍ଷଣ ଏବଂ ପରିଚାଳନା, ପାରମ୍ପରିକ ଶୈଳୀରେ ପରିବେଶ ସଂରକ୍ଷଣ, ଜଳବାୟୁ ପରିବେଶ ସମ୍ପର୍କିତ ହାକାଥନ ସହିତ ଜୈବିକ ଜୀବନଶୈଳୀ ଆଦି ରହିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହି ଯୋଜନାରେ ୧୪,୫୦୦ ରୁ ଅଧିକ ପିଏମ ଶ୍ରୀ ବିଦ୍ୟାଳୟ ସ୍ଥାପନ ସହିତ ରାଜ୍ୟ, କେନ୍ଦ୍ର ଓ ସାୟତସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ବିଦ୍ୟାଳୟଗୁଡିକୁ ଅଧିକ ସୁଦୃଢ କରାଯିବ । ଯୋଜନାଟି ୨୦୨୨-୨୩ ରୁ ୨୦୨୬-୨୭ ମଧ୍ୟରେ କାର୍ଯ୍ୟକାରୀ ହେବ । ଏଡାପରେ ସମ୍ପୃକ୍ତ ବିଦ୍ୟାଳୟଗୁଡିକର ପରିଚାଳନା ଦାୟିତ୍ୱ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ହାତରେ ରହିବ ।

ଏହି ଯୋଜନାରେ ୨୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ପ୍ରକଳ୍ପର ମୋଟ୍‍ ବ୍ୟୟ ୨୭,୩୬୦ କୋଟି ଟଙ୍କା ଥିବାବେଳେ ଏଥିରେ କେନ୍ଦ୍ର ସରକାରଙ୍କ ଅଂଶଧନ ୧୮,୧୨୮ କୋଟି ଟଙ୍କା ରହିବ । ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡିଶା ସରକାରଙ୍କୁ ଏହି ଯୋଜନାରେ ସାମିଲ ପାଇଁ ରାଜିନାମାରେ ସ୍ୱାକ୍ଷର କରିବା ସହିତ ୧୬୦୦ କୋଟି ଟଙ୍କା ମୂଲ୍ୟର ୮୦୦ଟି ବିଦ୍ୟାଳୟ ପାଇବାପାଇଁ କହିଥିଲେ । ତେବେ ରାଜ୍ୟ ସରକାର ୫-ଟି ବିଦ୍ୟାଳୟ ରୂପାନ୍ତରଣ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ କେନ୍ଦ୍ରୀୟ ଯୋଜନା ପ୍ରତି ଆଗ୍ରହୀ ନାହାନ୍ତି । ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ବ୍ୟାପକ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ହାତକୁ ନେଇଛନ୍ତି । (ତଥ୍ୟ)