Home General ଓଡିଶାରେ ଆଗଉନି ସ୍ଫୁର୍ତ୍ତି

ଓଡିଶାରେ ଆଗଉନି ସ୍ଫୁର୍ତ୍ତି

ଭୁବନେଶ୍ୱର : ଗାଁ ଗହଳରେ ଥିବା ପାରମ୍ପରିକ କାରିଗରମାନଙ୍କ ହାତକୁ କାମ ଯୋଗାଇବା ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ କେନ୍ଦ୍ର ସରକାର ସ୍ଫୁର୍ତ୍ତି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ଓଡିଶାକୁ ସବୁଠାରୁ ଅଧିକ ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ସବୁଗୁଡିକ କାର୍ଯ୍ୟକାରୀ ହୋଇପାରୁ ନାହିଁ ।

କେନ୍ଦ୍ର ସରକାର ସ୍ଫୁର୍ତ୍ତି ଯୋଜନାରେ ଓଡିଶାକୁ ୭୦ଟି ପ୍ରକଳ୍ପ ମଞ୍ଜୁର ହୋଇଛି । ଏ ବାବଦରେ ୨୦୪ କୋଟି ଟଙ୍କାରୁ ଅଧିକ ଅର୍ଥ ଦିଆଯାଇଛି । ଏହିସବୁ ପ୍ରକଳ୍ପରେ ପ୍ରାୟ ୪୭ହଜାର କାମ ପାଇବାର ଆକଳନ କରାଯାଇଛି । ସରକାରୀ ଭାବେ ଦର୍ଶାଯାଇଛି ଯେ ମଞ୍ଜୁର ହୋଇଥିବା ୭୦ଟି ପ୍ରକଳ୍ପ ମଧ୍ୟରୁ ୪୦ଟି କାର୍ଯ୍ୟ କରୁଛି । ତେବେ ଏଥି ମଧ୍ୟରୁ ହାତଗଣତି ମାତ୍ର କୋତୋଟି ପ୍ରକଳ୍ପ ଠିକଣା ଭାବେ କାର୍ଯ୍ୟ କରୁଥିବା ଜଣାଯାଇଛି ।

ଗାଁ ଗହଳରେ ଥିବା ବିଭିନ୍ନ ପ୍ରକାର କାରିଗର ଯଥା ବାଉଁଶ, ଲାଖ, ପିତ୍ତଳ, ଶିଙ୍ଗ, କତା, ତାରକସି, ସବାଇଘାସ, ଜଉ, ମାଟି କାରିଗରମାନଙ୍କୁ ଅତ୍ୟାଧୁନିକ ସାଜ ସରଞ୍ଜାମ ଯୋଗାଇଦେବା ସହିତ ସେମାନଙ୍କ ହାତକୁ କାମ ଯୋଗାଇ ଦେବାପାଇଁ ସ୍ଫୁର୍ତ୍ତି ଯୋଜନା କାର୍ଯ୍ୟକାରୀ ହେଉଛି । ଏଥି ସହିତ ମହୁ ଚାଷକୁ ମଧ୍ୟ ଏହି ପ୍ରକଳ୍ପରେ ସାମିଲ କରାଯାଇଛି । ସମଗ୍ର ଦେଶ ପାଇଁ ୫୧୩ ଟି ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ଓଡିଶା ପାଇଁ ସର୍ବାଧିକ ୭୦ଟି ମଞ୍ଜୁର ହୋଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ପ୍ରକଳ୍ପ ମଞ୍ଜୁର କରିବାପରେ ଅର୍ଥ ମିଳିବାରେ ବିଳମ୍ବ ସହିତ କେତେକ କଠିନ ସର୍ତ୍ତପାଇଁ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହୋଇଥିଲା । ପ୍ରକଳ୍ପ ପାଇଥିବା ଅନେକ ସଂସ୍ଥା ମଧ୍ୟ ଠିକଣା ସମୟରେ ଯନ୍ତ୍ରପାତି ଆଦି ପାଇପାରିନଥିଲେ । ତେବେ ଯେଉଁମାନେ ବି ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ୱେ ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ ଉତ୍ପାଦିତ ସାମଗ୍ରୀ ପାଇଁ ବଜାରର ଅଭାବ ଯୋଗୁଁ ସେମାନଙ୍କ ସଂସ୍ଥା ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ।

ତେବେ ଆଉ କିଛି ସଂସ୍ଥା କେନ୍ଦ୍ର ସରକାରଙ୍କ ଠାରୁ ଅନୁଦାନ ପାଇବା ପରେ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ପ୍ରକଳ୍ପକୁ ଋଗଣ ଘୋଷଣା କରିବାରେ ଲାଗିଛନ୍ତି । ଏଭଳି ସ୍ଥିତି ଲାଗି ରହିଲେ ଯେଉଁ କେତୋଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଆଗାମୀ କିଛିଦିନ ମଧ୍ୟରେ ସେଥିରେ ମଧ୍ୟ ତାଲାପଡିବାରେ ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ଅବଶିଷ୍ଟ ୩୦ଟି ପ୍ରକଳ୍ପର ଭାଗ୍ୟ କ’ଣ ତାହା ନେଇ ସମସ୍ତେ ସନ୍ଦେହରେ ରହିଛନ୍ତି ।

ତେଣୁ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ ସେଥିରୁ ଏତେ ସୁଫଳ ମିଳିବା ଲକ୍ଷ୍ୟ କରାଯାଉ ନାହିଁ । ବିଶେଷକରି ଗାଁ ଗହଳର ପାରମ୍ପରିକ କାରିଗରମାନଙ୍କୁ ସ୍ୱାବଲମ୍ବି କରିବା ସହିତ ସ୍ଥାନୀୟ ଉତ୍ପାଦକୁ ନେଇ ବାଜରରେ ପ୍ରବେଶ କରିବାର ସ୍ୱପ୍ନ ଏକ ପ୍ରକାର ମଉଳିବାରେ ଲାଗିଛି । (ତଥ୍ୟ)