ଭୁବନେଶ୍ୱର : ଓଡିଶାର ଏକ କୋଟିରୁ ଅଧିକ ଶ୍ରମିକ କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ନିଜକୁ ପଞ୍ଜିକୃତ କରିଛନ୍ତି । ପଞ୍ଜିକୃତ ଶ୍ରମିକ ସଂଖ୍ୟା ଆଧାରରେ ଓଡିଶାର ସ୍ଥାନ ସମଗ୍ର ଦେଶରେ ଷଷ୍ଠ ସ୍ଥାନରେ ରହିଛି । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବ ଲୋକସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି ।
ଏହି ସୂଚନା ଅନୁଯାୟୀ କେନ୍ଦ୍ର ସରକାର ୨୦୨୧ ଅଗଷ୍ଟ ୨୬ ତାରିଖରେ ସମଗ୍ର ଦେଶରେ ଇ-ଶ୍ରମ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଏଥିରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ନିଜକୁ ପଞ୍ଜିକୃତ କରୁଥିବାବେଳେ ସେମାନଙ୍କୁ ପ୍ରଧାନ ମନ୍ତ୍ରୀ ଶ୍ରମ ଯୋଗୀ ମନ-ଧନ ଯୋଜନା ସହିତ ଯୋଡିଦିଆଯାଇଛି ଯେଉଁଥିରେ ସେମାନେ ପେନ୍ସନ ସୁବିଧା ପାଇପାରିବେ । ସେହିଭଳି ଇ-ଶ୍ରମ ପୋର୍ଟାଲକୁ ନେସନାଲ କ୍ୟାରିଅର ସର୍ଭିସେସ୍ (ଏନ୍ସିଏସ୍) ସହିତ ମଧ୍ୟ ଯୋଡିଦିଆଯାଇଛି । ଏହା ଜରିଆରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ନିଯୁକ୍ତି ମିଳିପାରିବ । ଏନସିଏସ୍ରେ ଉପଲବ୍ଧ ନିଯୁକ୍ତିକୁ ଦୃଷ୍ଟିରେ ରଖି ନିଜ ନିଜ ଦକ୍ଷତା ଓ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପଞ୍ଜିକୃତ ଶ୍ରମିକମାନେ ଆବେଦନ କରିପାରିବେ ।
ଈ-ଶ୍ରମ ପୋର୍ଟାଲ ଆରମ୍ଭ ହେବା ପରଠାରୁ ଗତ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଦେଶରେ ମୋଟ୍ ୨୮,୫୦,୭୫,୦୩୬ ଜଣ ଶ୍ରମିକ ଏଥିରେ ପଞ୍ଜିକୃତ କରିଥିବାବେଳେ ଓଡିଶାରୁ ପଞ୍ଜିକୃତ ହୋଇଛନ୍ତି ୧,୩୩,୨୦,୦୧୪ ଜଣ । ଉତ୍ତରପ୍ରଦେଶରୁ ସର୍ବାଧିକ ଶ୍ରମିକ ପଞ୍ଜିକୃତ ହୋଇଥିବାବେଳେ ଏହାକୁ ମିଶାଇ ଓଡିଶା ଉପରେ ଥିବା ରାଜ୍ୟଗୁଡିକ ହେଲେ ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦି ରହିଛନ୍ତି । ତେବେ ପଶ୍ଚିମବଙ୍ଗ ଓ ବିହାରରେ ପଞ୍ଜିକୃତ ଶ୍ରମିକଙ୍କ ସଂଖ୍ୟା ୨.୫ କୋଟି ଉପରେ ଥିବାବେଳେ ଉତ୍ତରପ୍ରଦେଶରେ ଏହା ୮.୨୯ କୋଟିରୁ ଅଧିକ ରହିଛି । ସବୁଠାରୁ କମ୍ ମାତ୍ର ୨୪୧୧ ଜଣ ଶ୍ରମିକ ଲକ୍ଷାଦ୍ୱିପରେ ନିଜକୁ ପଞ୍ଜିକୃତ କରିଛନ୍ତି । ଓଡିଶାର ପଡୋଶୀ ଆନ୍ଧ୍ରପ୍ରଦେଶରେ ୮୦ ହଜାରରୁ କମ୍ ଶ୍ରମିକ ପଞ୍ଜିକୃତ କରିଥିବାବେଳେ ଝାଡଖଣ୍ଡରେ ୯୧ହଜାରରୁ ଅଧିକ ଏବଂ ଛତିଶଗଡରେ ୮୨ହଜାରର ଅଧିକ ଶ୍ରମିକ ଏହି ତାଲିକାରେ ରହିଛନ୍ତି ।
ଶ୍ରମିକମାନଙ୍କୁ ମନ୍ତ୍ରାଳୟ ପକ୍ଷରୁ ସାଧାରଣ ସେବା କେନ୍ଦ୍ର (ସିଏସସି) ଏବଂ ରାଜ୍ୟ ସେବା କେନ୍ଦ୍ର (ଏସଏସକେ) ଜରିଆରେ ପଞ୍ଜିକରଣ ସୁବିଧା ଯୋଗାଇ ଦିଆଯାଉଛି । ଇ-ଶ୍ରମ ପୋର୍ଟାଲକୁ ଉମଙ୍ଗ ମୋବାଇଲ ଆପ୍ଲିକେଶନ ସହିତ ସଂଯୋଗ କରାଯାଇଛି ଯାହା ଫଳରେ ସେମାନେ ମୋବାଇଲରେ ନିଜ ନିଜ ପଞ୍ଜିକରଣକୁ ଅପଡେଟ୍ କରିବା ସହିତ ଏକ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ୍) ପାଇପାରିବେ । (ତଥ୍ୟ)