Home News in Odia ରାଜ୍ୟସଭା ଯାଇଛନ୍ତି ୫ଜଣ ଅଣଓଡିଆ

ରାଜ୍ୟସଭା ଯାଇଛନ୍ତି ୫ଜଣ ଅଣଓଡିଆ

ଭୁବନେଶ୍ୱର :ଏଯାବତ୍‍ ଓଡିଶା ଛଅ ଜଣ ଅଣଓଡିଆଙ୍କୁ ସାଂସଦ ଭାବେ ପଠାଇଥିବାବେଳେ ଜଣେ ମାତ୍ର ଓଡିଆ ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ଯାଇଛନ୍ତି । ଏହି ଛଅ ଜଣ ଅଣଓଡିଆଙ୍କ ଭିତରୁ ୫ଜଣ ରାଜ୍ୟସଭାକୁ ଯାଇଥିବାବେଳେ ଜଣେ ନିର୍ବାଚିତ ହୋଇଛନ୍ତି ଲୋକସଭାକୁ ।

୧୯୮୪ ମସିହାରେ ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ତଥା କେରଳର କଂଗ୍ରେସ ନେତା କେ.ବାସୁଦେବ ପାନିକର ନିଜ ରାଜ୍ୟରୁ ରାଜ୍ୟସଭାକୁ ଯିବାରେ ଅସୁବିଧା ହେବାରୁ ତାଙ୍କୁ ଓଡିଶାରୁ କଂଗ୍ରେସ ରାଜ୍ୟସଭାକୁ ପଠାଇଥିଲା । ପାନିକର ୧୯୯୦ ମସିହା ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତାଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏସ.ଆର.ବୋମାଇଙ୍କୁ ଜନତାଦଳ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ଓଡିଶାରୁ ପଠାଯାଇଥିଲା । ଶ୍ରୀ ବୋମାଇ ଏଚ.ଡି.ଦେବେଗୌଡା ଓ ଆଇ.କେ.ଗୁଜୁରାଲ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ । ୧୯୯୮ ପର୍ଯ୍ୟନ୍ତ ସେ ଓଡିଶାର ସାଂସଦ ଥିଲେ ।

ଓଡିଶାରେ ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ୨୦୦୪ ଜୁଲାଇ ମାସରେ ଉତ୍ତରପ୍ରଦେଶର ବିଜେପି ନେତା ଛତ୍ରପାଳ ସିଂହ ଲୋଧାଙ୍କୁ ଓଡିଶାରୁ ରାଜ୍ୟସଭା ପଠାଯାଇଥିଲା । ତେବେ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହି ଧରାପଡିବା ପରେ ୨୦୦୫ ଡିସେମ୍ବର ମାସରେ ଛତ୍ରପାଳ ସିଂହଙ୍କ ସଭ୍ୟପଦ ରାଜ୍ୟସଭା ଅଧ୍ୟକ୍ଷ ରଦ୍ଦ କରିଥିଲେ । ଏହି ମେଣ୍ଟ ଭାଙ୍ଗିବା ପୂର୍ବରୁ ପଞ୍ଜାବର ବିଜେପି ନେତା ବଲବୀର ପୁଞ୍ଜ ୨୦୦୮ରେ ଓଡିଶାରୁ ରାଜ୍ୟସଭା ଯାଇଥିଲେ ଏବଂ ସେ ଏହି ପଦବୀରେ ୨୦୧୪ ପର୍ଯ୍ୟନ୍ତ ଥିଲେ ।

ବରିଷ୍ଠ କଂଗ୍ରେସ ନେତା ତଥା ସେତେବେଳର ପ୍ରଧାନମନ୍ତ୍ରୀ ପି.ଭି.ନରସିଂହରାଓ ନିଜ ରାଜ୍ୟରୁ ଲୋକସଭାକୁ ନିର୍ବାଚିତ ହେବାରେ ସମସ୍ୟା ଥିବାରୁ ତାଙ୍କୁ ଓଡିଶାରୁ ଲୋକସଭା ପାଇଁ ପ୍ରାର୍ଥୀ କରାଯାଇଥିଲା ଏବଂ ବିପୁଳ ଭୋଟ ବ୍ୟବଧାନରେ ନରସିଂହରାଓ ପ୍ରଧାନମନ୍ତ୍ରୀ ଥାଇ ସାଂସଦ ଭାବେ ଜିଣିଥିଲେ ।

ଆଇଏଏସ୍‍ ଚାକିରି ଛାଡି ବ୍ୟବସାୟରେ ପାଦ ଥାପିଥିବା ରାଜସ୍ଥାନରେ ଜନ୍ମିତ ଅଶ୍ୱିନୀ ବୈଷ୍ଣବଙ୍କୁ ୨୦୨୧ରେ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଥିଲା । ବିଧାନସଭାରେ ଅଶ୍ୱିନୀଙ୍କୁ ଜିଣାଇବାପାଇଁ ବିଜେପି ହାତରେ ପର୍ଯ୍ୟାପ୍ତ ଭୋଟ ନଥିଲା । ତେବେ ଶାସକ ବିଜୁ ଜନତା ଦଳର ପୂର୍ଣ୍ଣ ସମର୍ଥନ କ୍ରମେ ସେ ନିର୍ବାଚନ ଜିଣି କେନ୍ଦ୍ରରେ ରେଳ, ଆଇଟି ଓ ଯୋଗାଯୋଗ ବିଭାଗର ମନ୍ତ୍ରୀ ଅଛନ୍ତି । ପୂର୍ବରୁ ଅବଶ୍ୟ ରାଜ୍ୟସଭା ଗଠନ ପରେ ପଶ୍ଚିମବଙ୍ଗରେ ଜନ୍ମିତା ଶୈଳବାଳା ଦାସଙ୍କୁ ପଚାଶ ଦଶକରେ ଓଡିଶାରୁ ରାଜ୍ୟସଭାକୁ ପଠାଯାଇଥିଲା । ତେବେ ହାଜରା ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସ ଶୈଳବାଳାଙ୍କୁ ପାଳିତ କନ୍ୟା ଭାବେ ପିଲାବେଳୁ ଗ୍ରହଣ କରିଥିଲେ । ତେବେ ଶୈଳବାଳା ଉତ୍କଳ ସମ୍ମିଳନୀ ସମେତ ଓଡିଶାର ସ୍ୱାର୍ଥ ବିଜଡିତ ବିଭିନ୍ନ ପ୍ରସଙ୍ଗରେ ସାମିଲ ହୋଇ ସଚ୍ଚା ଓଡିଆଣୀ ଭାବେ କାମ କରିଯାଇଛନ୍ତି । ଏହାର ଢେର ପୂର୍ବରୁ ବ୍ରହ୍ମପୁରରେ ଜନ୍ମିତ ବରାହ ଗିରି ଭେଙ୍କଟ ଗିରି ଆନ୍ଧ୍ରପ୍ରଦେଶର ଆଗଧାଡିର କଂଗ୍ରେସ ନେତା ଥିଲେ ଓ ପରବର୍ତ୍ତୀ ସମୟରେ ସେ ଦେଶର ରାଷ୍ଟ୍ରପତି ମଧ୍ୟ ହୋଇଥିଲେ ।

ଅନ୍ୟ ପକ୍ଷରେ ଏକଦା ପାଲଲହଡାରୁ ବିଧାନସଭା ଓ ଦେବଗଡ ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ୨୦୦୯ ଲୋକସଭା ନିର୍ବାଚନରେ ହାରିବା ପରେ ବିଜେପି ତାଙ୍କୁ ପ୍ରଥମେ ବିହାରରୁ ରାଜ୍ୟସଭାକୁ ନେଇଥିଲା । ନରେନ୍ଦ୍ର ମୋଦୀଙ୍କ ପ୍ରଥମପାଳି ସରକାରରେ ସେ ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଥିଲେ । ଛଅ ବର୍ଷର କାର୍ଯ୍ୟକାଳ ପୂରଣ ପରେ ଧର୍ମେନ୍ଦ୍ରଙ୍କୁ ପୁଣି ବିଜେପି ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠାଇଛି ଏବଂ ମୋଦୀଙ୍କ ଦ୍ୱିତୀୟପାଳି ସରକାରରେ ଏବେ ସେ କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ମନ୍ତ୍ରୀ ଅଛନ୍ତି । (ତଥ୍ୟ)