ଭୁବନେଶ୍ୱର : ରାଜ୍ୟସଭା ଗଠନ ହେବାର ୭୨ବର୍ଷ ମଧ୍ୟରେ ରାଷ୍ଟ୍ରପତି ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୧୫୦ଜଣଙ୍କୁ ମନୋନୀତ ସଦସ୍ୟ ଭାବେ ନିଯୁକ୍ତି ଦେଇଥିବାବେଳେ ଏମାନଙ୍କ ଭିତରେ କେବଳ ଜଣେ ମାତ୍ର ଓଡ଼ିଆଙ୍କ ନାମ ଥିଲା । ଏବେ ରାଜ୍ୟସଭାରେ ଓଡ଼ିଶାରୁ କେହି ମନୋନୀତ ସଦସ୍ୟ ନାହାନ୍ତି ।
୨୦୧୮ ଜୁଲାଇ ୧୪ ତାରିଖରେ ବିଶିଷ୍ଟ ଓଡ଼ିଆ ସ୍ଥପତି ରଘୁନାଥ ମହାପାତ୍ର ପ୍ରଥମ ଓଡିଆ ଭାବେ ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଥିଲେ । ରଘୁନାଥ ମହାପାତ୍ରଙ୍କ କାର୍ଯ୍ୟକାଳ ୨୦୨୪ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ରହିଥିବାବେଳେ ୨୦୨୧ ମଇ ୯ ତାରିଖରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଏହାପରେ ଆଉ ଅନେକ ମନୋନୀତ ସଦସ୍ୟ ନିଯୁକ୍ତି ପାଇଥିଲେ ମଧ୍ୟ ଓଡ଼ିଶାରୁ କାହାକୁ ଚୟନ କରାଯାଇନାହିଁ ।
ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସଭାର ୨୫୦ଟି ଆସନ ମଧ୍ୟରୁ ବିଭିନ୍ନ ରାଜ୍ୟ ବିଧାନସଭାରୁ ୨୩୮ଟି ପୁରଣ କରାଯିବାର ବ୍ୟବସ୍ଥା ରହିଛି । ଅବଶିଷ୍ଟ ୧୨ଟି ଆସନ ରାଷ୍ଟ୍ରପତିଙ୍କ ମନୋନୀତ ବ୍ୟକ୍ତିଙ୍କ ଦ୍ୱାରା ପୂରଣ ହୋଇଥାଏ । ସମାଜସେବା, କଳା, ସଂସ୍କୃତି, ସାହିତ୍ୟ, ଆଇନ ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଥିବା ସ୍ୱନାମଧନ୍ୟ ବ୍ୟକ୍ତିମାନଙ୍କୁ ଏହି ପଦବୀରେ ଅଧିଷ୍ଠିତ କରାଇବା ପାଇଁ କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କୁ ସୁପାରିସ କରିଥାନ୍ତି ଏବଂ ତଦନୁଯାୟୀ ବିନା ନିର୍ବାଚନରେ ଉକ୍ତ ୧୨ଟି ରାଜ୍ୟସଭା ଆସନ ପୁରଣ ହୋଇଥାଏ ।
ରାଜ୍ୟସଭା ଗଠନ ହେବାପରେ ୧୯୫୨ ମସିହାରେ ଯେଉଁ ୧୨ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ମନୋନୀତ କରିଥିଲେ ସେମାନେ ଆଲାଡି କୃଷ୍ଣସ୍ୱାମୀ ଆୟାର, ସତ୍ୟନ୍ଦ୍ର ନାଥ ବୋଷ, ପୃଥ୍ୱୀରାଜ କାପୁର, ଜେ. ଏମ୍. କୁମାରାପ୍ପା. କାଳିଦାସ ନାଗ୍, ରୁକ୍ତିଣୀ ଦେବୀ ଅରୁଣ୍ଡେଲ, ଏମ୍. ଆର୍. ମାଲକାନି, ସାହେବ ସିଂ ସୋଲାଙ୍କି, ଜାକିର ହୁସେନ୍, ମୈଥିଲୀ ଶରଣ ଗୁପ୍ତ, କାକା କାଲେଲକର ଓ ରାଧାକୁମୁଦ ବାନାର୍ଜୀ ।
ଏହା ପରଠାରୁ ବିଭିନ୍ନ ସମୟରେ ରାଷ୍ଟ୍ରପତି ମନୋନୀତ ସସଦ୍ୟମାନଙ୍କୁ ନିଯୁକ୍ତି ଦେଇଆସୁଛନ୍ତି । ଏହି ମନୋନିତ ସଦସ୍ୟମାନଙ୍କର କାର୍ଯ୍ୟକାଳ ବି ୬ବର୍ଷ ପାଇଁ ରହିଥାଏ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ବର୍ଷ ଧରି ବହୁ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ଅର୍ଥନୀତିଜ୍ଞ ଆଦି ଏହି ପଦବୀ ମଣ୍ଡନ କରୁଥିଲେ । ଆର୍. ଆର୍. ଦିବାକର, ଏସ୍. ନୁରୁଲ୍ ହାସନ, କ୍ରିଷ୍ଣା କ୍ରିପାଳିନୀ, ମାଲକମ୍ ଆଦିଶେଷେୟା, ନର୍ଗିସ୍ ଦତ୍ତ, ଖୁସ୍ୱନ୍ତ ସିଂ, ଶିବାଜୀ ଗଣେଶନ୍, ସଲିମ୍ ଅଲ୍ଲୀ, ଏମ୍. ଏଫ୍. ହୁସେନ୍, ଇଲା ଭଟ୍ଟ, ସାବ୍ନା ଆଜ୍ମୀ, କୂଲଦୀପ ନାୟାର, ମୃଣାଳ ସେନ୍, ନାନାଦୀ ଦେଶମୁଖ, ଲତା ମଙ୍ଗେସକର, ଏଫ୍. ଏସ. ନରିମାନ୍, ଦାରା ସିଂ, ରାମଜେଠ୍ ମାଳାନୀ, ମଣିଶଙ୍କର ଆୟାର, ସଚିନ ତେନ୍ଦୁଲକର, ରୁପା ଗାଙ୍ଗୁଲିଙ୍କ ଠାରୁ ସୁବ୍ରମଣ୍ୟମ ସ୍ୱାମୀ, ରଞ୍ଜନ ଗୋଗୋଇ, ପିଟି ଉଷା, ସୁଧା ମୂର୍ତ୍ତି ପର୍ଯ୍ୟନ୍ତ ବହୁ ବିଶିଷ୍ଟ ବ୍ୟକ୍ତି କେନ୍ଦ୍ର ସରକାରଙ୍କ ସୁପାରିଶ କ୍ରମେ ରାଜ୍ୟସଭା ସଦସ୍ୟ ହୋଇଛନ୍ତି ।
ଦେଶର ଅନେକ ରାଜ୍ୟରୁ ଏକାଧିକ ବ୍ୟକ୍ତି ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଆସୁଥିବାବେଳେ ବହୁ ବିଳମ୍ବରେ ୨୦୧୮ ମସିହାରେ ଓଡ଼ିଆ ସ୍ଥପତି ରଘୁନାଥ ମହାପାତ୍ରଙ୍କ ନାମ ଏହି ତାଲିକାରେ ସ୍ଥାନ ପାଇଥିଲା । ତେବେ କାର୍ଯ୍ୟକାଳ ଅଧାହେବା ପୂର୍ବରୁ ତାଙ୍କର ଅକାଳ ବିୟୋଗ ହୋଇଥିଲା । ଏ ପରିପ୍ରେକ୍ଷୀରେ ଓଡ଼ିଶାରୁ ଅନ୍ୟୁନ ୨/୩ଜଣଙ୍କୁ ରାଷ୍ଟ୍ରପତିଙ୍କ ମନୋନୀତ ପ୍ରାର୍ଥୀ ହିସାବରେ ରାଜ୍ୟସଭା ସଦସ୍ୟଭାବେ ନିଯୁକ୍ତି ଦେବାକୁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି । ଚଳିତବର୍ଷ ଜୁଲାଇ ମାସରେ ଅନ୍ୟୁନ ୪ଜଣ ମନୋନୀତ ସଦସ୍ୟଙ୍କ କାର୍ଯ୍ୟକାଳ ପୁରି ଯାଉଥିବାରୁ ସେମାନଙ୍କ ସ୍ଥାନରେ ରାଷ୍ଟ୍ରପତି ନୂତନ ସଦସ୍ୟଙ୍କୁ ନିଯୁକ୍ତି ଦେଇପାରନ୍ତି । (ତଥ୍ୟ)