Home General ଓଡିଶାକୁ ୧୪୦ କୋଟିର ନିର୍ଭୟା ପାଣ୍ଠି

ଓଡିଶାକୁ ୧୪୦ କୋଟିର ନିର୍ଭୟା ପାଣ୍ଠି

ଭୁବନଶ୍ୱେର : ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ନିର୍ଭୟା ପାଣ୍ଠିରୁ ଓଡିଶାକୁ ମିଳିଥିବା ପାଖପାଖି ୧୪୦ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ନିର୍ଭୟା ପାଣ୍ଠିରୁ ଉତ୍ତରପ୍ରଦେଶକୁ ସର୍ବାଧିକ ପ୍ରାୟ ୭୦୦ କୋଟି ଟଙ୍କା ମିଳିଥିବାବେଳେ ଏହା ପଛକୁ ଦିଲ୍ଲୀ ରହିଛି । ରାଜ୍ୟସଭାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଦେଇଥିବା ସୂଚନାରୁ ଏହା ଜଣାପଡିଛି ।

ଏହି ସୂଚନା ଅନୁଯାୟୀ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ନିର୍ଭୟା ପାଣ୍ଠି ଜରିଆରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପାଣ୍ଠି ଯୋଗାଇ ଦିଆଯାଉଛି । ୨୦୨୪-୨୫ ମସିହା ସୁଦ୍ଧା ଏ ବାବଦରେ କେନ୍ଦ୍ର ସରକାର ମୋଟ୍‍ ୭୭୧୨ କୋଟି ୮୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ତେବେ ଏଥିରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ୬୨୩୨ କୋଟି ୮୩ଲକ୍ଷ ଟଙ୍କା ବ୍ୟୟ କରିକାରେ ସକ୍ଷମ ହୋଇଛନ୍ତି ଯାହା କି ମିଳିଥିବା ଅର୍ଥର ପାଖପାଖି ୮୧ ପ୍ରତିଶତ ।

ଏହି ସୂଚନା ଅନୁଯାୟୀ ୨୦୧୮ ମସିହାରେ ମହିଳାମାନଙ୍କ ବରୁଦ୍ଧରେ ୨୦,୨୭୪ଟି ହିଂସା ମାମଲା ରୁଜୁ ହୋଇଥିବାବେଳେ ୨୦୨୧ ରେ ଏହି ସଂଖ୍ୟା ୩୧ ହଜାରକୁ ଅତିକ୍ରମ କରିଥିଲା । ତେବେ ୨୦୨୨ରେ ଏହି ସଂଖ୍ୟା ୨୩,୬୪୮କୁ ହ୍ରାସ ପାଇଥିଲା । ତେବେ ଏହିବର୍ଷ ଉତ୍ତରପ୍ରଦେଶରେ ମହିଳା ବିରୋଧି ହିଂସା ମାମଲା ୬୫ ହଜାରକୁ ଅତିକ୍ରମ କରିଥିବାବେଳେ ପଶ୍ଚିମବଙ୍ଗ ଓ ରାଜସ୍ଥାନରେ ଏହି ସଂଖ୍ୟା ୩୫ହଜାର ପାଖାପାଖି ରହିଥିଲା । ତେବେ ଦିଲ୍ଲୀରେ ମହିଳା ବିରୋଧି ହିଂସା ସଂଖ୍ୟା ୧୫ହଜାର ମଧ୍ୟରେ ରହିଛି ।

ଗତ ୫ବର୍ଷ ମଧ୍ୟରେ ମହିଳାଙ୍କ କ୍ଷେତ୍ରରେ ଘଟିଥିବା ବିଭିନ୍ନ ପ୍ରକାର ହିଂସା ହ୍ରାସ ପାଇଛି । ୨୦୧୮ ମସିହାରେ ସମଗ୍ର ଦେଶରେ ୧୩୧ ଟି ଏସିଡ୍‍ ଆକ୍ରମଣ ହୋଇଥିବାବେଳେ ୨୦୨୨ରେ ତାହା ୧୨୪କୁ ହ୍ରାସ ପାଇଛି । ଯୌତୁକ ଜନିତ ହତ୍ୟାକାଣ୍ଡ ମଧ୍ୟ ୭ହଜାର ତଳକୁ ଖସି ଆସିଛି । ତେବେ ସ୍ୱାମୀ ଓ ପରିବାର ସଦସ୍ୟଙ୍କ ଦ୍ୱାରା ମହିଳାମାନେ ନିର୍ଯ୍ୟାତନାର ଶିକାର ସଂଖ୍ୟା ବୃଦ୍ଧି ପାଇଛି ।

ବର୍ତ୍ତମାନ ସୁଦ୍ଧା ନିର୍ଭୟା ପାଣ୍ଠରୁ ଓଡିଶାରୁ ୧୩୯କୋଟି ୫୨ଲକ୍ଷ ଟଙ୍କା ମିଳିଥିବା ପଡୋଶୀ ପଶ୍ଚିମବଙ୍ଗକୁ ୧୩୬ କୋଟି ୭ଲକ୍ଷ, ଝାଡଖଣ୍ଡକୁ ୬୯କୋଟି ୨୦ଲକ୍ଷ, ଛତିଶଗଡକୁ ୧୧୭କୋଟି ୨ଲକ୍ଷ ଟଙ୍କା ମିଳିଛି । ଆନ୍ଧ୍ରପ୍ରଦେଶକୁ ୧୩୩କୋଟି ୭ଲକ୍ଷ ଟଙ୍କା ମିଳିଥିବାବେଳେ ତେଲେଙ୍ଗାନା ପାଇଛି ୨୯୮କୋଟି ୪୯ଲକ୍ଷ ଟଙ୍କା । ସବୁଠାରୁ କମ୍‍ ୧୦ କୋଟି ୧୯ଲକ୍ଷ ଟଙ୍କା ଲକ୍ଷାଦ୍ୱୀପକୁ ମିଳିଥିବା ଜଣାଯାଇଛି ।

ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ସାଇବର ଅପରାଧକୁ ନିୟନ୍ତ୍ରଣ କରିବାପାଇଁ ଓଡିଶାକୁ ୪କୋଟି ଟଙ୍କା ମିଳିଥିବାବେଳେ ଚଣ୍ଡିଗଡକୁ ପ୍ରାୟ ୨୪ କୋଟି ଟଙ୍କା ମିଳିଛି । ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମିଳିଥିବା ଅର୍ଥ ୧୦ କୋଟି ଟଙ୍କାରୁ କମ୍‍ ରହିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି । (ତଥ୍ୟ)