ଭୁବନେଶ୍ୱର : ଓଡିଶାକୁ ତାପଜ ବିଦ୍ୟୁତ୍ ଭରସା ପାଲଟିଛି । ରାଜ୍ୟରେ ଯେତିକି ବିଜୁଳି ଉତ୍ପାଦନ ହେଉଛି ତାହାର ସିଂହଭାଗ ତାପଜ କେନ୍ଦ୍ରରୁ ଆସୁଛି । ଏହା ପଛକୁ ଜଳବିଦ୍ୟୁତ୍ ରହିଥିବାବେଳେ ଏଥିରେ ଏବେ ଅକ୍ଷୟଶକ୍ତି ଯୋଡିହେଉଛି ।
ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୨୪ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ରାଜ୍ୟରେ ବିଭିନ୍ନ ସୂତ୍ରରୁ ୪୯୮୪ ମେଗାୱାଟ ବିଜୁଳି ଉତ୍ପାଦନ ହୋଇଛି । ଏଥି ମଧ୍ୟରେ କେନ୍ଦ୍ରୀୟ ସଂସ୍ଥାରୁ ୧୯୩୨ ମେଗାୱାଟ ବିଜୁଳି ମିଳିଥିବାବେଳେ ରାଜ୍ୟରେ ଥିବା ସଂସ୍ଥାଗୁଡିକରୁ ୨୮୭୫ ମେଗାୱାଟ ଏବଂ ଟ୍ରେଡିଂରୁ ୧୭୭ ମେଗାୱାଟ ବିଜୁଳି ଆସିଛି ।
ତେବେ କେନ୍ଦ୍ରୀୟ ସଂସ୍ଥାରୁ ମିଳିଥିବା ୧୯୩୨ ମେଗାୱାଟ ବିଜୁଳି ମଧ୍ୟରୁ ୧୬୦୫ ମେଗାୱାଟ ତାପଜ କେନ୍ଦ୍ରରୁ ମିଳିଥିବାବେଳେ ଜଳବିଦ୍ୟୁତ୍ କେନ୍ଦ୍ରରୁ ୭୧ ମେଗାୱାଟ ଓ ଅକ୍ଷୟଶକ୍ତିରୁ ୨୫୬ ମେଗାୱାଟ ଉତ୍ପାଦିତ ହୋଇଛି । ସେହିଭଳି ରାଜ୍ୟ ସଂସ୍ଥାରୁ ମିଳିଥିବା ୨୮୭୫ ମେଗାୱାଟ ବିଜୁଳି ମଧ୍ୟରୁ ସରକାରୀ ତାପଜ କେନ୍ଦ୍ରରୁ ୧୩୪୯ ମେଗାୱାଟ, ବିଭିନ୍ନ କମ୍ପାନୀର ଆଇପିପିରୁ ୬୧୭ମୋଗାୱାଟ, ସିପିପିରୁ ୪୨ ମେଗାୱାଟ ଉତ୍ପାଦିତ ହୋଇଛି । ରାଜ୍ୟରେ ଥିବା ଜଳବିଦ୍ୟୁତ୍ କେନ୍ଦ୍ରରୁ ୭୨୪ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଥିବାବେଳେ ଅକ୍ଷୟଶକ୍ତି ଉତ୍ସରୁ ୧୪୩ ମେଗାୱାଟ ଶକ୍ତି ମିଳିଛି । ମୋଟାମୋଟି ଭାବେ ରାଜ୍ୟରେ ଉପଲବ୍ଧ ବିଜୁଳିର ସିଂହଭାଗ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ହିଁ ଆସୁଛି ।
ସେହିଭଳି ରାଜ୍ୟରେ ଖର୍ଚ୍ଚ ହେଉଥିବା ବିଜୁଳିର ସିଂହଭାଗ ଶିଳ୍ପସଂସ୍ଥାକୁ ଯାଉଛି । ଶିଳ୍ପସଂସ୍ଥାରେ ୮୫୨୫ ନିୟୁତ୍ ୟୁନିଟ୍ ବ୍ୟବହାର ହୋଇଛି ଯାହା ଖର୍ଚ୍ଚ ହୋଇଥିବା ମୋଟ୍ ବିଜୁଳିର ୩୭.୨୮ ପ୍ରତିଶତ । ସେହଭଳି ଘରୋଇ କ୍ଷେତ୍ରରେ ୩୩.୫୬ ପ୍ରତିଶତ ବିଜୁଳି ବ୍ୟବହାର ହେଉଥିବାବେଳେ କୃଷି କ୍ଷେତ୍ରରେ ମାତ୍ର ୨.୨୭ ପ୍ରତିଶତ ବିଜୁଳି ଖର୍ଚ୍ଚ ହେଉଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।
ସେହିଭଳି ରାଜ୍ୟରେ ଉତ୍ପାଦିତ ବିଜୁଳି ମଧ୍ୟରୁ ଓଡିଶା ଅନ୍ୟ ରାଜ୍ୟକୁ ବିଜୁଳି ବିକ୍ରି କରୁଥିବା କେତେକ ରାଜ୍ୟରୁ ବିଜୁଳି କିରିଥାଏ । ତେବେ ୨୦୧୯-୨୦ ଓ ୨୦୨୦-୨୧ ରେ ଓଡିଶାରେ ଯେଉଁ ସରକାର ଅନ୍ୟ ରାଜ୍ୟକୁ ବିଜୁଳି ବିକ୍ରି କରିଛି ତାହାଠାରୁ ଅଧିକ ଦରରେ ବିଜୁଳି ଖରିଦ କରିଛି । ୨୦୧୯-୨୦ ମସିହାରେ ଓଡିଶା ରାଜ୍ୟ ବାହାରକୁ ୧୨୮୫ ନିୟୁତ ୟୁନିଟ୍ ବିଜୁଳି ୟୁନିଟ୍ ପିଛା ୨.୬୮ ଟଙ୍କାରେ ବିକ୍ରି କରିଥିବାବେଳେ ସେହିବର୍ଷ ୟୁନିଟ୍ ପିଛା ୩.୯୫ ଟଙ୍କାରେ ବିଜୁଳି କିଣିଥିଲା । ୨୦୨୦-୨୧ ବର୍ଷରେ ୨.୭୬ ଟଙ୍କାରେ ବିଜୁଳି ବିକ୍ରି କରିଥିବାବେଳେ ୩.୮୬ ପଇସା ଦରରେ ବିଜୁଳି କିଣିଥିଲା । ୨୦୨୨-୨୩ ମସିହାରେ ବି ଏଭଳି ଦେଖିବାକୁ ମିଳିଥିଲା । ଏହିବର୍ଷ ସରକାର ୫.୨୩ ଟଙ୍କାରେ ବିଜୁଳି ବିକ୍ରି କରିଥିବାବେଳେ ୬.୦୮ଟଙ୍କାରେ ବିଜୁଳି କିଣିଥିଲେ । ତେବେ ୨୦୨୩-୨୪ରେ ୫.୦୨ ଟଙ୍କାରେ ବିଜୁଳି ବିକ୍ରି କରିଥିବାବେଳେ ୪.୬୨ ଟଙ୍କାରେ ବିଜୁଳି କିଣିଛନ୍ତି । ଏହିବର୍ଷ ଓଡିଶା ଅନ୍ୟ ରାଜ୍ୟକୁ ୨୨୫୧ ନିୟୁତ ୟୁନିଟ୍ ବିଜୁଳି ବିକ୍ରି କରିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦେଖାଯାଇଛି । (ତଥ୍ୟ)