ଭୁବନେଶ୍ୱର : ବିଗତ ପାଞ୍ଚବର୍ଷ ମଧ୍ୟରେ ସମଗ୍ର ଦେଶରେ ୭୦ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଥିବାବେଳେ ଏଥି ମଧ୍ୟରେ ଓଡିଶାରେ ୬ଟି ରହିଛି । ନୂତନ ବିଦ୍ୟାଳୟ ଖୋଲିବା କ୍ଷେତ୍ରରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ପଛକୁ ଓଡିଶା ତୃତୀୟ ସ୍ଥାନରେ ରହିଛି ।
ବିଜେଡି ସାଂସଦ ସୁଜିତ କୁମାରଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣ ଦେବୀ । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗତ ୫ବର୍ଷ ଅର୍ଥାତ୍ ୨୦୧୮-୧୯ ରୁ ୨୦୨୨-୨୩ ମଧ୍ୟରେ ସମଗ୍ର ଦେଶରେ ୭୦ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଇଛି । ଏଥି ମଧ୍ୟରେ ଉତ୍ତରପ୍ରଦେଶରେ ସର୍ବାଧିକ ୧୧ଟି ବିଦ୍ୟାଳୟ ଖୋଲିଥିବାବେଳେ ମଧ୍ୟପ୍ରଦେଶରେ ଦ୍ୱିତୀୟ ସର୍ବାଧିକ ୮ଟି ବିଦ୍ୟାଳୟ ସ୍ଥାପନ ହୋଇଛି । ଏହାପଛକୁ ଓଡିଶାରେ ୬ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଅନ୍ୟ ରାଜ୍ୟ ମଧ୍ୟରେ କର୍ଣ୍ଣାଟକରେ ୫ଟି ନୂତନ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବାବେଳେ ଝାଡଖଣ୍ଡ ଓ ରାଜସ୍ଥାନରେ ୪ଟି କରି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଛି ।
ଓଡିଶାରେ ଏହି ୬ଟି ନୂତନ ବିଦ୍ୟାଳୟ ସହିତ ରାଜ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଖ୍ୟା ମୋଟ୍ ୬୬ରେ ପହଞ୍ଚିଛି । ସେହିଭଳି ସମଗ୍ର ଦେଶରେ ୧୨୫୧ଟି କେନ୍ଦ୍ରୀୟ ବିଦ୍ୟାଳୟରେ ପାଠପଢା ହେଉଛି । ଏଥି ମଧ୍ୟରେ ଉତ୍ତରପ୍ରଦେଶରେ ସର୍ବାଧିକ ୧୨୨ଟି କେନ୍ଦ୍ରୀୟ ବିଦ୍ୟାଳୟ ଥିବାବେଳେ ମଧ୍ୟପ୍ରଦେଶରେ ୧୧୨ଟି, ରାଜସ୍ଥାନରେ ୭୭ଟି ରହିଛି । ଓଡିଶାରେ ୬୬ଟି କେନ୍ଦ୍ରୀୟ ବିଦ୍ୟାଳୟ ସହିତ ଏହା ଦେଶର ଚତୁର୍ଥ ସ୍ଥାନରେ ଅଛି । ଅନ୍ୟ ରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗରେ ୬୨ଟି, ମହାରାଷ୍ଟ୍ରରେ ୫୯, କର୍ଣ୍ଣାଟକ ଓ ପଞ୍ଜାବରେ ୫୨ଟି କରି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି । ପଡୋଶୀ ଆନ୍ଧ୍ରପ୍ରଦେଶରେ ୩୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଥିବାବେଳେ ଛତିଶଗଡରେ ୩୬ଟି ଓ ଝାଡଖଣ୍ଡରେ ୪୧ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି ।
ଲକ୍ଷାଦ୍ୱୀପରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ଥିବାବେଳେ ସିକ୍କିମ, ଡାମନ ଏବଂ ଡିଉ ଏବଂ ଆଣ୍ଡାମାନ ଓ ନିକୋବରରେ ୨ଟି କରି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି । ଲଦାଖରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଥିବାବେଳେ ମିଜୋରାମ ଓ ପୁଡୁଚେରୀରେ ୪ଟି କରି ଏବଂ ଚଣ୍ଡିଗଡ ଓ ଗୋଆରେ ୫ଟି କରି ରହିଛି ।
ମନ୍ତ୍ରୀ ଦର୍ଶାଇଛନ୍ତି ଯେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ଏକ ନିୟମିତ ଧାରା । ପ୍ରାରମ୍ଭରେ ଏହି ବିଦ୍ୟାଳୟଗୁଡିକ ବଦଳି ହେଉଥିବା କେନ୍ଦ୍ର ସରକାର କର୍ମଚାରୀଙ୍କ ସହିତ ସେନା କର୍ମଚାରୀ, କେନ୍ଦ୍ରୀୟ ସ୍ୱୟଂଶାସିତ ଓ ରାଷ୍ଟ୍ରାୟତ ସଂସ୍ତାରେ କାର୍ଯ୍ୟରେ ବ୍ୟକ୍ତିଙ୍କ ପିଲାଙ୍କୁ ସୁବିଧାରେ ଶିକ୍ଷାଦାନ ଲାଗି ପ୍ରତିଷ୍ଠା ହୋଇଥିଲା । ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାପାଇଁ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ଜମି ଓ ଅନ୍ୟାନ୍ୟ ଭିତ୍ତିଭୂମି ସହିତ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇ ଦେଇଥାନ୍ତି । ନୂତନ ବିଦ୍ୟାଳୟ ଖୋଲିବା ପ୍ରସ୍ତାବ ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ମଞ୍ଜୁର ହେଲାପରେ ତାହା ପ୍ରତିଷ୍ଠା କରାଯାଇଥାଏ । (ତଥ୍ୟ)