Home General ଓଡିଓପିରେ ମିଳିଛି ୬୩କୋଟି ଟଙ୍କା

ଓଡିଓପିରେ ମିଳିଛି ୬୩କୋଟି ଟଙ୍କା

ଭୁବନେଶ୍ୱର : ଭାରତ ସରକାର ଗତ ତିନଟି ଆର୍ଥିକ ବର୍ଷ ମଧ୍ୟରେ ଗୋଟିଏ ଜିଲ୍ଲା ଏକ ଉତ୍ପାଦ (ଓଡିଓପି) ସମେତ କେନ୍ଦ୍ରୀୟ ପ୍ରାୟୋଜିତ ପିଏମ୍ ଫର୍ମାଇଜେସନ୍ ଅଫ୍ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍ (ପିଏମ୍ ଏଫ୍‌ଏମ୍‌ଇ) ଯୋଜନା ଅଧୀନରେ ମୋଟ ୬୩.୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ନିକଟରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ସଂସଦରେ ଏକ ଲିଖିତ ବିବୃତିରେ କହିଛନ୍ତି ଯେ ଏହି ଯୋଜନାରେ ସାମଗ୍ରୀ କ୍ରୟ, ସାଧାରଣ ସେବା ପାଇବା ଏବଂ ଉତ୍ପାଦର ମାର୍କେଟିଂ କ୍ଷେତ୍ରରେ ବ୍ୟାପକ ଲାଭ ଉଠାଇବା ପାଇଁ ଓଡିଓପି ଆଭିମୁଖ୍ୟ ଗ୍ରହଣ କରାଯାଇଛି ।

ଏହି ଯୋଜନା ପାଇଁ ଓଡିଓପି ମୂଲ୍ୟ ଶୃଙ୍ଖଳା ବିକାଶ ଏବଂ ସହାୟତା ଭିତ୍ତିଭୂମିର ଢାଞ୍ଚା ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି । କୃଷି ଉତ୍ପାଦନ, କଞ୍ଚାମାଲ ଉପଲବ୍ଧତା, ଉତ୍ପାଦର ଖରାପତା, କ୍ଷୁଦ୍ର ଉଦ୍ୟୋଗର ଉପସ୍ଥିତି, ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚଜି) ସଂଖ୍ୟା ଏବଂ ସେହି ଉତ୍ପାଦର ପ୍ରକ୍ରିୟାକରଣରେ ନିୟୋଜିତ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)କୁ ଆଧାର କରି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଓଡିଓପି ଚିହ୍ନଟ କରିଥାନ୍ତି ବୋଲି ଶୋଭା କହିଛନ୍ତି ।

କେନ୍ଦ୍ର ସରକାର ୨୦୨୦-୨୧ ରେ ପିଏମ୍ ଏଫ୍ ଏମ୍ ଇ ଅଧୀନରେ ୩୦.୩୬ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ଯଥାକ୍ରମେ ୨୯.୪୫ କୋଟି ଓ ୩.୪୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ଯୋଜନା ଅଧୀନରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଗ୍ରହଣ କରାଯାଇଥିବା ଉତ୍ପାଦର ବିବରଣୀର ମଧ୍ୟ ସେ ସୂଚନା ଦେଇଥିଲେ ।

କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ଅନୁଗୁଳ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆମ୍ବ ଭିତ୍ତିକ ଉତ୍ପାଦକୁ ଗୋଟିଏ ଜିଲ୍ଲା ଏକ ଉତ୍ପାଦ (ଓଡିଓପି) ଅଧୀନରେ ଚୟନ କରାଯାଇଥିବା ବେଳେ ଓଡିଓପି ଅଧୀନରେ ବାଲେଶ୍ୱର, ଭଦ୍ରକ ଓ ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା ଜିଲ୍ଲା ପାଇଁ ମାଛ ଭିତ୍ତିକ ଉତ୍ପାଦ ଚୟନ କରାଯାଇଛି ।

ସେହିଭଳି ବରଗଡ଼ ଓ ଯାଜପୁର ଜିଲ୍ଲାରେ ତୈଳବୀଜ ଭିତ୍ତିକ ଉତ୍ପାଦ (ଚିନାବାଦାମ), ବଲାଙ୍ଗୀର, କଟକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ, ଡାଲି ଭିତ୍ତିକ ଉତ୍ପାଦ-ବୌଦ୍ଧ, ତେନ୍ତୁଳି ଭିତ୍ତିକ ଉତ୍ପାଦ-ଦେବଗଡ଼, ରାୟଗଡ଼ା, ସପୁରୀ ଭିତ୍ତିକ ଉତ୍ପାଦ-ଗଜପତି, ମସଲା ଭିତ୍ତିକ ଉତ୍ପାଦ (ଲଙ୍କା)-ଝାରସୁଗୁଡ଼ା ଓ ସମ୍ବଲପୁର, ମସଲା ଭିତ୍ତିକ ଉତ୍ପାଦ (ହଳଦୀ)-କନ୍ଧମାଳ, ମସଲା ଭିତ୍ତିକ ଉତ୍ପାଦ (ଅଦା)-କୋରାପୁଟ, ହରଡ ଭିତ୍ତିକ ଉତ୍ପାଦ ପାଇଁ କେନ୍ଦୁଝର, ମିଲେଟ୍‍ ଭିତ୍ତିକ ଉତ୍ପାଦ- ମାଲକାନଗିରି, ନୂଆପଡ଼ା, ମହୁ ଭିତ୍ତିକ ଉତ୍ପାଦ-ମୟୂରଭଞ୍ଜ, ମକା ଭିତ୍ତିକ ଉତ୍ପାଦ-ନବରଙ୍ଗପୁର, ଆଖୁ ଭିତ୍ତିକ ଉତ୍ପାଦ-ନୟାଗଡ଼ ଓ ଛତୁ ଭିତ୍ତିକ ଉତ୍ପାଦ-ସୁନ୍ଦରଗଡ଼ ।

ବର୍ତ୍ତମାନ ଓଡିଓପି ଦେଶର ପ୍ରାୟ ୧୦୦ ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ୩୫+ ବ୍ରାଣ୍ଡ ସହିତ ମିଶିଛି । ଉତ୍ପାଦର ଉପଲବ୍ଧତା ଏବଂ ଦୃଶ୍ୟମାନତା ବୃଦ୍ଧି କରିବା ପାଇଁ ଏହି ଅଭିଯାନ ଅଧୀନରେ ଅଧିକ ସହଯୋଗୀ ଆଣିବା ଦଳର ଲକ୍ଷ୍ୟ । ଓଡିଓପି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଜିଲ୍ଲାସ୍ତରରେ ସ୍ଥାୟୀ ନିଯୁକ୍ତି ସୃଷ୍ଟି କରିବା ସହ ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ।

ଦେଶର ପ୍ରତ୍ୟେକ ଜିଲ୍ଲାରୁ ଗୋଟିଏ ଉତ୍ପାଦ ଚୟନ, ବ୍ରାଣ୍ଡ ଏବଂ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ । ଓଡିଓପି ଉତ୍ପାଦଗୁଡ଼ିକୁ ଅଧିକ ପ୍ରଦର୍ଶନ ସହିତ ପ୍ରତ୍ୟେକ ଜିଲ୍ଲାର ପରିଚୟକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ୱାନ୍ ଷ୍ଟପ୍ ଅନଲାଇନ୍ ପ୍ଲାଟଫର୍ମରେ ଟ୍ୟାଗିଂ କରାଯାଇଛି । ଏହା ବିକ୍ରେତାମାନଙ୍କ ପାଇଁ କ୍ରେତାଙ୍କ ଠାରୁ ଉତ୍ପାଦ ଆବଶ୍ୟକତା ବିଷୟରେ ଅଧିକ ଜାଣିବା ଏବଂ ସେମାନଙ୍କ ଉତ୍ପାଦଗୁଡ଼ିକୁ ବିଶ୍ୱସ୍ତରରେ ବିକ୍ରୟଯୋଗ୍ୟ କରିବାର ସୁଯୋଗ ଆଣିଥାଏ । (ତଥ୍ୟ)