Home Environment ଓଡିଏଫ୍‍ ପ୍ଲସ ମାନ୍ୟତାରୁ ଦୂରରେ ୧୮୮୬ ଗାଁ

ଓଡିଏଫ୍‍ ପ୍ଲସ ମାନ୍ୟତାରୁ ଦୂରରେ ୧୮୮୬ ଗାଁ

ଭୁବନେଶ୍ୱର : ଓଡିଶାର ୧୮୮୬ଟି ଗାଁଏବେ ବି ଓଡିଏଫ୍‍ ପ୍ଲସ ମାନ୍ୟତା ପାଇପାରି ନାହାନ୍ତି । ସକଳ ଉଦ୍ୟମ ସତ୍ୱେ ବାହ୍ୟ ମଳତ୍ୟାଗମୁକ୍ତ (ଓଡିଏଫ୍‍) ପ୍ଲସ ଗ୍ରାମ ହାର ୯୫.୯୭ ପ୍ରତିଶତ ରହିଛି । ଓଡିଏଫ୍‍ ପ୍ଲସ ମାନ୍ୟତା ହେଉଛି ବାହ୍ୟ ମଳତ୍ୟାଗ ମୁକ୍ତ ଗ୍ରାମ ସହିତ କଠିନ ଓ ତରଳ ବର୍ଜ୍ୟର ପରିଚାଳନା ।

ସ୍ୱଚ୍ଛ ଭାରତ ମିଶନରେ ବାହ୍ୟ ମଳତ୍ୟାଗ ଗ୍ରାମ ସଂକ୍ରାନ୍ତରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି ସେମାନ୍ନା ରାଜ୍ୟସଭାରେ ଦେଇଥିବା ଏକ ଉତ୍ତରରେ ଏହି ସୂଚନା ମିଳିଛି । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ସମଗ୍ର ଦେଶରେ ମୋଟ୍‍ ୫,୮୬,୬୧୧ଟି ଗ୍ରାମ ଥିବାବେଳେ ଚଳିତ ବର୍ଷ ଫେବୃୟାରୀ ୭ତାରିଖ ସୁଦ୍ଧା୫,୬୩,୨୪୨ଟି ଗ୍ରାମ ଓଡିଏଫ୍‍ ପ୍ଲସ ତାଲିକାରେ ସ୍ଥାନ ପାଇଛି । ଅର୍ଥାତ୍‍ ଦେଶର ୯୬ ପ୍ରତିଶଗ ଗାଁ ଓଡିଏଫ୍‍ ପ୍ଲସ ଗାଁ ପାଲଟିଛି ।

ସେହିଭଳି ଓଡିଶାରେ ମୋଟ୍‍ ୪୬,୮୨୩ଟି ଗାଁ ଥିବାବେଳେ ଏଥି ମଧ୍ୟରୁ ୯୫.୯୭ ପ୍ରତିଶତ ଗାଁକୁ ଓଡିଏଫ୍‍ ପ୍ଲସ ଗାଁର ମାନ୍ୟତା ମଳିଛି । ତେବେ ଏବେ ବି ରାଜ୍ୟର ୧୮୮୬ଟି ଗାଁ ଲୋକେ କଠିନ ଓ ତରଳ ବର୍ଜ୍ୟ ପରିଚାଳନାରୁ ଦୂରରେ ରହିଛନ୍ତି । ତେବେ ଓଡିଶାର ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୯୯.୭୨ ପ୍ରତିଶତ ଓଡିଏଫ୍‍ ପ୍ଲସ ମାନ୍ୟତା ପାଇଥିବାବେଳେ ପଶ୍ଚିମବଙ୍ଗରେ ଏହି ହାର ୯୬.୬୩ ପ୍ରତିଶତ ରହିଛି । ଛତିଶଗଡରେ ଏହା ୯୫.୧୩ ପ୍ରତିଶତ ଥିବାବେଳେ ଝାଡଖଣ୍ଡରେ ୯୦.୪୩ ପ୍ରତିଶତ ରେକର୍ଡ କରାଯାଇଛି ।

ତେବେ ଶତ ପ୍ରତିଶତ ବାହ୍ୟ ମଳତ୍ୟାଗମୁକ୍ତ ସହିତ କଠିନ ଓ ତରଳ ବର୍ଜ୍ୟ ପରିଚାଳନା ଗ୍ରାମତାଲିକାରେ ଥିବା ରାଜ୍ୟଗୁଡିକ ମଧ୍ୟରେ ଲଦାଖ, ଲକ୍ଷାଦୀପ, ସିକିମ୍‍, ପୁଡୁଚେରୀ ଆଦି ରହିଥିବାବେଳେ ଆନ୍ଧ୍ରପ୍ରଦେଶ, ଆସାମ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହି ହାର ୯୯ ପ୍ରତିଶତରୁ ଅଧିକ ରହିଛି । ସବୁଠାରୁ କମ୍‍ ୫୮.୬୦ ପ୍ରତିଶତ ଓଡିଏଫ୍‍ ପ୍ଲସ ଗାଁ ରହିଛି ନାଗାଲାଣ୍ଡରେ ।

କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) କାର୍ଯ୍ୟକ୍ରମ ଅକ୍ଟୋବର ୨ ୨୦୧୪ ଗାନ୍ଧୀଜୟନ୍ତୀ ଅବସରରେ ଆରମ୍ଭ ହୋଇଥିଲା ଏବଂ ୨୦୧୯ ଗାନ୍ଧୀ ଜୟନ୍ତୀ ସୁଦ୍ଧା ଦେଶର ସମସ୍ତ ଗ୍ରାମକୁ ବାହ୍ୟ ମଳତ୍ୟାଗମୁକ୍ତ ଗ୍ରାମରେ ପରିଣତ ପାଇଁ ଲକ୍ଷ୍ୟଥିଲା । ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୦ କୋଟି ଲୋକ ନିଜ ଘରେ ପାଇଖାନା ନିର୍ମାଣ କରିଥିଲେ ଏବଂ ଦେଶର ସମସ୍ତ ଗ୍ରାମକୁ ବାହ୍ୟା ମଳତ୍ୟାଗମୁକ୍ତ ଗାଁ ଭାବେ ଘୋଷଣା କରିଥିଲେ ।

ତେବେ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ୨୦୨୦-୨୧ ରୁ ୨୦୨୫-୨୬ ପର୍ଯ୍ୟନ୍ତ ଚଳାଯାଉଛି । ଏହି ପର୍ଯ୍ୟାୟରେ ଦେଶର ସମସ୍ତ ଗ୍ରାମକୁ ବାହ୍ୟା ମଳତ୍ୟାଗମୁକ୍ତ ଗ୍ରାମ ଭାବେ ଗଢିତୋଳିବା ସହିତ ଉଭୟ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏହାକୁ ଓଡିଏଫ୍‍ ରୁ ଓଡିଏଫ୍‍ ପ୍ଲସକୁ ପରିବର୍ତ୍ତିତ କରାଯାଇଛି । (ତଥ୍ୟ)