Home Culture ଓଡିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ନାହିଁ

ଓଡିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ନାହିଁ

ଭୁବନେଶ୍ୱର : ଓଡିଆ ଭାଷା ପ୍ରତିଷ୍ଠାକୁ ୧୮ବର୍ଷ ପୂରିଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହାର ନିଜସ୍ୱ ଦପ୍ତରଟିଏ ଗଠନ ହୋଇପାରିଲା ନାହିଁ । ବର୍ତ୍ତମାନ ସୁଦ୍ଧା ଏହା ଦୁଇଟି ସ୍ଥାନ ବଦଳାଇ ଏବେ ତୃତୀୟ ସ୍ଥାନ ଖାରବେଳଭବନରେ କାର୍ଯ୍ୟ କରୁଛି ।

ଓଡିଆ ଭାଷା ପ୍ରତିଷ୍ଠାନର ସ୍ଥିତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି । ମନ୍ତ୍ରୀ କହିଛନ୍ତି ଯେ ୨୦୦୬ ମସିହାରେ ଓଡିଆ ଭାଷା ପ୍ରତିଷ୍ଠାନ ଗଠନ ହେବା ପରଠାରୁ ପ୍ରଥମେ ଏହା ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ରର ପ୍ରଥମ ମହଲାରେ ୨୦୧୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା । ଏହାପରେ ୨୦୧୬ରୁ ୨୦୨୩ ପର୍ଯ୍ୟନ୍ତ ଏହା ସଂସ୍କୃତି ବିଭାଗ ଅଧିନସ୍ଥ ସଂସ୍କୃତି ଭବନରେ କାର୍ଯ୍ୟ କରିଥିଲା । ଗତବର୍ଷ ଠାରୁ ଏହା ଖାରବେଳ ଭବନର ପ୍ରଥମ ମହଲାରେ ପ୍ରତିଷ୍ଠାନ କାର୍ଯ୍ୟ କରୁଛି ।

ତେବେ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ଗଠନ ପାଇଁ ରାଜ୍ୟ ସରକାର ୨୦୦୯ ମସିହାରେ ଖାରବେଗନର ଅଞ୍ଚଳରେ ୧୭,୫୦୦ ବର୍ଗଫୁଟର ଏକ ଜମି ଯୋଗାଇ ଦେଇଥିଲେ । ଏହି ଜମି ଉପରେ ଘର ତିଆରି କରିବାପାଇଁ ୨୦୦୫-୨୦୦୬ ବର୍ଷରେ ୧କୋଟି ୫ହଜାର ଟଙ୍କା ଯୋଗାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୧୭ ମସିହାରେ ରାସ୍ତା ଓ କୋଠାବାଡି ନିର୍ମାଣ, ଭୁବନେଶ୍ୱର ଡିଭିଜନର ନିର୍ବାହୀଯନ୍ତ୍ରୀ ଏ ସମ୍ପର୍କରେ ଆଉ ନ ଆଗେଇବାପାଇଁ ଓଡିଶା ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କୁ ଜଣାଇଥିଲେ ।

ଏହା ପରଠାରୁ ଓଡିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ଗଠନ ଯୋଜନା ଏକ ପ୍ରକାର ଶୀତଳଭଣ୍ଡାରରେ ରହିଯାଇଛି । ଯାହା ଫଳରେ ରାଜ୍ୟର ସ୍ୱାଭିମାନ ସହିତ ଜଡିତ ଏହି ସରକାରୀ ସଂସ୍ଥାଟି ମୁଣ୍ଡ ଗୁଞ୍ଜିବାପାଇଁ ବାର ଦୁଆର ବୁଲିବା ସାର ହୋଇଛି ।

କେବଳ ନିଜସ୍ୱ ଦପ୍ତର ନୁହେଁ, ଏଠାରେ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲି ପଡିଛି । ସଂସ୍ଥାର ମୁଖ୍ୟ ହେଉଛନ୍ତି ନିର୍ଦ୍ଦେଶକ । ତେବେ ବର୍ତ୍ତମାନ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଏହାର ଦାୟିତ୍ୱରେ ରହିଛନ୍ତି । ସଂସ୍ଥା ପାଇଁ ମଞ୍ଜୁରୀପ୍ରାପ୍ତ ୩୧ଟି ପଦବୀ ମଧ୍ୟରୁ ୧୬ଟି ଖାଲିପଡିଛି ।

ପ୍ରକଳ୍ପ ପରାମର୍ଶଦାତା ପାହ୍ୟାରେ ୪ଟି ପଦବୀ ଥିବାବେଳେ ସବୁତକ ଖାଲି ପଡିଛି । ଅତି କମ୍‍ରେ ୨ଟି ପଦବୀ ପୂରଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଦୁଇଟିଯାକ ସହକାରୀ କାର୍ଯ୍ୟକ୍ରମ୍‍ ସଂଯୋଜକ ପଦବୀ ଖାଲି ପଡିଥିବାବେଳେ ଅଡିଟର, ବରିଷ୍ଠ ଷ୍ଟେନୋ, ଡାଟାଏଣ୍ଟ୍ରି ଅପରେଟର ପଦବୀରେ କେହି ନାହାନ୍ତି । (ତଥ୍ୟ)