ଭୁବନେଶ୍ୱର : ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କ ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏହି ବିଶ୍ୱ ବିଦ୍ୟାଳୟରେ କେଉଁମାନେ ପାଠ ପଢାଇବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । କେବଳ ସେତିକି ନୁହେଁ ଏହି ବିଶ୍ୱବିଦ୍ୟାଳୟ ଲାଗି କୁଳପତିଙ୍କଠାରୁ ଆରମ୍ଭ କରି ଶିକ୍ଷକ, ପ୍ରଶାସକ ଓ ପିଅନ ପର୍ଯ୍ୟନ୍ତ କାହାକୁ ବି ନିଯୁକ୍ତି ଦିଆଯାଇନାହିିଁ ।
୨୦୧୮ ମସିହାରେ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପୁରୀରେ ଅନୁଷ୍ଠିତ ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଥିଲେ । ବହୁ ବିଳମ୍ବରେ ଏହି ବିଶ୍ୱବିଦ୍ୟାଳୟ ପାଇଁ ଜମି ଚିହ୍ନଟ ଓ ଅଧିଗ୍ରହଣ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଚଳିତ ଶିକ୍ଷାବର୍ଷରେ ବିଶ୍ୱ ବିଦ୍ୟାଳୟର ଘର ତିଆରି ସରିବ ନାହିଁ । ଏ ପରିପ୍ରେକ୍ଷୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପାଠପଢା କାମ ସାକ୍ଷୀଗୋପାଳରେ ଥିବା ଏକ ଘରୋଇ କଲେଜ ପରିସରରେ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି ।
ବିଶ୍ୱବିଦ୍ୟାଳୟ ପାଇଁ କୁଳପତି, କୁଳସଚିବ, ପରୀକ୍ଷା ନିୟନ୍ତ୍ରକ, ଅର୍ଥ ଅଧିକାରୀ, ପ୍ରଶାସନିକ ଅଧିକାରୀ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ, ଏନ୍ଏସ୍ଏସ୍ ସଂଯୋଜକ, ପ୍ରଫେସର, ସହଯୋଗୀ ପ୍ରଫେସର, ସହକାରୀ ପ୍ରଫେସର, ସେକ୍ସନ ଅଫିସର, ଏଏସ୍ଓ, ଗାଡ଼ି ଚାଳକ, କ୍ରୀଡା ଅଧିକାରୀ, ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ସମେତ ଅନ୍ୟ କେତେଗୁଡିଏ ବୈଷୟିକ ପଦବୀ ମଧ୍ୟ ରହିଥାଏ । ତେବେ ଏଯାବତ୍ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ନିଯୁକ୍ତ ହୋଇନାହାନ୍ତି । ସିନେଟ୍, ସିଣ୍ଡିକେଟ୍, ପିଜି କାଉନ୍ସିଲ୍ ଆଦି ଗଢା ଯାଇନାହିଁ । ଛାତ୍ରଛାତ୍ରୀଙ୍କ ଲାଗି ଛାତ୍ରାବାସର ବି ବ୍ୟବସ୍ଥା ହୋଇନାହିଁ ।
ବିଜ୍ଞପ୍ତି ମୁତାବକ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଏବର୍ଷ ଓଡ଼ିଆ ଭାଷା ସାହିତ୍ୟ, ଲିଙ୍ଗୁଷ୍ଟିକ୍ ଆଣ୍ଡ ନେଚୁରାଲ୍ ଲାଙ୍ଗୁଏଜ୍, ରିଜିଓନାଲ୍ ଓ ଟ୍ରାଇବାଲ୍ ଲାଙ୍ଗୁଏଜ୍, ହେରିଟେଜ୍ ଷ୍ଟଡିଜ୍ ଆଦି ବିଷୟରେ ପାଠ ପଢାଯିବ । ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ ବ୍ୟାଚରେ ନାମାଙ୍କନ ପାଇଁ ଚଳିତ ମାସ ୮ ତାରିଖରୁ ଆବେଦନ ଆହ୍ୱାନ କରାଯାଉଛି । ଏଥିପାଇଁ ଅଗଷ୍ଟ ୧୩ରେ ପ୍ରବେଶିକା ପରୀକ୍ଷା ହେବ ଓ ଅଗଷ୍ଟ ୨୩ରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ତାଲିକା ପ୍ରକାଶ କରାଯାଇ ଅଗଷ୍ଟ ୨୮ରେ ନାମାଙ୍କନ କରାଯିବ ।
ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭାଷା ସାହିତ୍ୟ ସଂକ୍ରାନ୍ତରେ ପଢିବା ପାଇଁ ଆଗ୍ରହ ରଖିଥିବା ଅନେକ ଛାତ୍ରଛାତ୍ରୀ ଇଣ୍ଟରନେଟ୍ ଖୋଲି ଓଡ଼ିଆ ବିଶ୍ୱବିଦ୍ୟାଳୟରେ କିଏ କେଉଁ ପଦବିରେ ଅଛନ୍ତି ଏବଂ ଏଠାରେ କେଉଁମାନେ ପାଠ ପଢାଇବେ ସେ ସଂକ୍ରାନ୍ତରେ ଖୋଜି ଖୋଜି ହାଲିଆ ହୋଇଗଲେ ବି କିଛି ତଥ୍ୟ ପାଉନାହାନ୍ତି । ଏମିତିକି ଏହି ବିଶ୍ୱବିଦ୍ୟାଳୟ ପାଇଁ କେତେ ଶିକ୍ଷକ ଓ ପ୍ରଶାସକ ପଦବୀ ମଞ୍ଜୁର ହୋଇଛି ଓ ତାହା ପୂରଣ ପାଇଁ କେବେ ବିଜ୍ଞାପନ ପ୍ରକାଶ ପାଇଛି ସେ ସଂକ୍ରାନ୍ତରେ ବି ଇଣ୍ଟରନେଟ୍ରୁ ତଥ୍ୟ ମିଳୁନାହିଁ । ଓଡ଼ିଆ ବିଶ୍ୱବିଦ୍ୟାଳୟ କେଉଁ ଠିକଣାରେ ଅବସ୍ଥିତ ଓ ସେଠାରେ କାହାଠାରୁ ବିଶ୍ୱ ବିଦ୍ୟାଳୟ ସଂକ୍ରାନ୍ତରେ ସୂଚନା ମିଳିବ ସେ ସଂକ୍ରାନ୍ତରେ ବି ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ କେହି ନିର୍ଦ୍ଦିଷ୍ଟ ଭାବେ କିଛି କହିପାରୁନାହାନ୍ତି ।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ପଞ୍ଚସଖାଙ୍କ ସାଧନାର ପିଠ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଉଥିବା ସ୍ୱାଗତଯୋଗ୍ୟ ବିଷୟ । କିନ୍ତୁ ସ୍ନାତକୋତ୍ତର ପାଠପଢା ସହ ଏଠାରେ ଉଚ୍ଚତର ଗବେଷଣା ପାଇଁ ଅଭିଜ୍ଞ ନିୟମିତ ଶିକ୍ଷକଙ୍କର ଆବଶ୍ୟକତା ରହିଛି । ଏହାଛଡା କେଉଁ ବିଷୟରେ କ’ଣ ପାଠପଢା ହେବ ସେଥିପାଇଁ କୁଳପତି, କୁଳସଚିବ, ପରୀକ୍ଷା ନିୟନ୍ତ୍ରକ, ପିଜି କାଉନ୍ସିଲ ଅଧ୍ୟକ୍ଷ ଆଦିଙ୍କ ତତ୍ତ୍ୱାବଧାନରେ ସିଲାବସ୍ କମିଟି ଗଠନ କରାଯିବା କଥା ।
ତେବେ ଉଚ୍ଚଶିକ୍ଷା ବିଭାଗର କିଛି ଅଧିକାରୀ ନିଜ ନାମ ପ୍ରକାଶ ନକରିବା ସର୍ତ୍ତରେ ସୂଚନା ଦେଉଛନ୍ତି ଯେ ଅନ୍ୟ ବିଶ୍ୱବିଦ୍ୟାଳୟର ଅଧିକାରୀ ଓ ଶିକ୍ଷକମାନଙ୍କୁ ସାମୟିକ ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଦାୟିତ୍ୱରେ ରଖାଯିବ । ତେବେ ଏହାକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ କେତେଦୂର ଗ୍ରହଣ କରିବ ସେ ସଂକ୍ରାନ୍ତରେ ଶିକ୍ଷାବିତ୍ମାନେ ପ୍ରଶ୍ନ ଉଠାଉଛନ୍ତି । ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ଓଡ଼ିଆ ବିଶ୍ୱବିଦ୍ୟାଳୟର ଯେଉଁ ଉତ୍କଟ ଅବସ୍ଥା ଜନ୍ମରୁ ସୃଷ୍ଟି ହୋଇଛି ତାହାର ତୁରନ୍ତ ନିରାକରଣ କରାଯାଇ ଏହାକୁ ଓଡ଼ିଶାର ଗର୍ବ, ଗୌରବ ଓ ଐତିହ୍ୟର ପ୍ରତୀକ ଭାବେ ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଶିକ୍ଷାବିତ୍ମାନେ ମତ ଦେଉଛନ୍ତି । (ତଥ୍ୟ)