ଭୁବନେଶ୍ୱର : ଓଡ଼ିଆ ଝିଅ ଜୟଶ୍ରୀ ମହାନ୍ତିଙ୍କ ଦ୍ୱାରା ଆମେରିକାରେ ସ୍ଥାପିତ ଆମ ବିଶ୍ୱାସ (ଆୱାର ବିଶ୍ୱାସ) ସଂସ୍ଥା ରାଜ୍ୟର କୋଭିଡ୍ ପରିଚାଳନାରେ ନିଜର ସହଯୋଗ ସ୍ୱରୂପ ୬୮,୫୦୦ ଡ଼ଲାର ଅନ୍ ଲାଇନ୍ ଟ୍ରାନ୍ସ୍ଫର୍ ମାଧ୍ୟମରେ ଦାନ କରିଛନ୍ତି ବୋଲି ଗୃହ ଓ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ଜଣାଇଛନ୍ତି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ।
ଏହି ଦାନ ପଠାଇ ଶ୍ରୀମତୀ ମହାନ୍ତି କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ କୋଭିଡ୍ ପରିଚାଳନା ଅନେକ ଉତ୍ତମ ଉଦାହରଣ ସୃଷ୍ଟି କରିଛି । ସମୟୋଚିତ ପଦକ୍ଷେପ ଯୋଗୁ ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧିନ ଅଛି । ପଶ୍ଚିମ ଡଡ଼ିଶା ଓ ବରଗଡ଼ ଜିଲ୍ଲାରେ କୋଭିଡ୍ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ହସ୍ପିଟାଲ୍ ପ୍ରତିଷ୍ଠା କରାଯାଇଛି । ଆଗାମୀ ଦିନରେ ଓଡ଼ିଶା କୋଭିଡ୍ ସଂଗ୍ରାମରେ ନିଶ୍ଚୟ ବିଜୟୀ ହେବ ।
ସୂଚନାଯୋଗ୍ୟ, ଆଓ୍ୱାର୍ ବିଶ୍ୱାସ ସଂସ୍ଥା ଶ୍ରୀମତୀ ମହାନ୍ତିଙ୍କ ଦ୍ୱାରା ସ୍ଥାପିତ ଏବଂ ପରିଚାଳିତ । ଏହି ସଂସ୍ଥା ୨୦୦୮ ମସିହାରୁ ଓଡ଼ିଶାର ବିଭିନ୍ନ ଅଂଚଳରେ ମହିଳା ବିକାଶ ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରିଆସୁଛି । ଏତାଦୃଶ୍ ସହଯୋଗ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଚୋପ୍ରା ଆଓ୍ୱାର ବିଶ୍ୱାସ ସଂସ୍ଥାର ସମସ୍ତ କର୍ମକର୍ତ୍ତା ଓ ପ୍ରତିଷ୍ଠାତାଙ୍କୁ ସାଧୁବାଦ ଜ୍ଞାପନ କରିବା ସହ ସଂସ୍ଥାର ଭବିଷ୍ୟତ ବିକାଶ କାମନା କରିଛନ୍ତି ।