ଭୁବନେଶ୍ୱର : ଓଡିଆ ଭାଷାରେ ସରକାରୀ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ତାଗିଦା କରିବାପରେ ମଧ୍ୟ ସାଧାରଣ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ସହିତ ଜଡିତ ବିଜୁଳି ବିଭାଗ, ବିଦ୍ୟୁତ୍ ନିୟାମକ ଆୟୋଗ ଓ ବିଜୁଳି ବଣ୍ଟନକାରୀ ସଂସ୍ଥାଗୁଡିକ ଏହାକୁ ଖାତିର କରୁନାହାନ୍ତି । ବିଜୁଳି କାଟ୍ ପାଇଁ ଲୋକଙ୍କୁ ସାଧାରଣ ବାର୍ତ୍ତାଟିଏ ଦେବାର ହେଉ କିମ୍ବା ବିଜୁଳି ସଂକ୍ରାନ୍ତୀୟ କୌଣସି ବିଜ୍ଞାପନ ହେଉ ସବୁକିଛି ଇାଂରାଜୀ ଭାଷାରେ ପ୍ରକାଶିତ କରୁଛନ୍ତି ।
ବିଦ୍ୟୁତ୍ ରକ୍ଷଣା ବେକ୍ଷଣ ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ବଣ୍ଟନକାରୀ କମ୍ପାନୀ ପ୍ରତିଦିନ ଉପଭୋକ୍ତାମାନଙ୍କ ନିକଟକୁ ମୋବାଇଲ୍ ମେସେଜ୍ ପଠାଉଛନ୍ତି । ତେବେ ଏହି ମେସେଜ ସମ୍ପୂର୍ଣ୍ଣ ଇଂରାଜୀରେ ପଠାଯାଉଛି । ଫଳରେ ଗାଁ ଗହଳର ଉପଭୋକ୍ତା ଏହାକୁ ସହଜରେ ଜାଣିପାରୁ ନାହାନ୍ତି । ସେହିଭଳି ମେସେଜ୍ରେ ମଧ୍ୟ କେଉଁ କାମ ପାଇଁ ବିଜୁଳି କାଟ୍ ହେବ ଏବଂ ଧାର୍ଯ୍ୟ ସମୟ ଠାରୁ ଅଧିକ କାଳ ବିଜୁଳି କଟିଲେ ସେଥିପାଇଁ କିଏ ଦାୟୀ ରହିବ ତାହା ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯାଉ ନାହିଁ ।
କେବଳ ଉପଭୋକ୍ତାଙ୍କୁ ବିଜୁଳି କାଟ୍ ବାର୍ତ୍ତା ନୁହେଁ, ଧାର୍ଯ୍ୟ ସମୟରେ ବିଜୁଳି ବିଲ୍ ପଇଠ କରିବା, ସିକ୍ୟୁରିଟି ଅର୍ଥ ଜମା କରିବା, ଉଭଭୋକ୍ତାଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଚଳନ କରିବା ସହିତ ଆଉ କେତେ ବିଜ୍ଞାପନ ବି ନିୟମିତ ଭାବେ ଗଣମାଧ୍ୟମରେ ଦିଆଯାଉଛି । ତେବେ ଏସବୁଗୁହିକ ପ୍ରାୟତଃ ଇଂରାଜୀ ଭାଷାରେ ଜାରି ହେଉଛି । ଯେଉଁ ହିତାଧିକାରୀଙ୍କ ରାଜସ୍ୱରେ ବଣ୍ଟନକାରୀ କମ୍ପାନୀ ଚାଲୁଛି ସେହି ହିତାଧିକାରୀମାନେ କିନ୍ତୁ ନିଜ ମାୃତଭାଷାରେ ସୂଚନା ପାଇପାରୁ ନାହାନ୍ତି ।
କେବଳ ବିଦ୍ୟୁତ୍ ବଣ୍ଟନକାରୀ କମ୍ପାନୀ ନୁହନ୍ତି, ହିତାଧିକାରୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ରାଜ୍ୟରେ ଥିବା ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗରେ ମଧ୍ୟ ସମାନ ଅବସ୍ଥା । ଆୟୋଗଙ୍କ ପକ୍ଷରୁ ବିଦ୍ୟୁତ୍ ହିତାଧିକାରୀଙ୍କ ପାଇଁ ସୂଚନା ଇଂରାଜୀ ଭାଷାରେ ଜାରି ହେଉଥିବାବେଳେ ବିଭିନ୍ନ ଟେଣ୍ଡର ମଧ୍ୟ ଇଂରାଜୀରେ ହେଉଛି । ଏଥି ସହିତ ଆୟୋଗଙ୍କ ୱେବସାଇଟ୍ର ଥିବା ସୂଚନା ମଧ୍ୟ ଓଡିଆ ଭାଷାରେ ଉପଲବ୍ଧ ହେଉନାହିଁ ।
ଆୟୋଗଙ୍କ ଦ୍ୱାରା ହିତାଧିକାରୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରସ୍ତୁତ ବିଭିନ୍ନ ଆଇନ୍, ନିୟମାବଳୀ ଓ ଧାରାଗୁଡିକ ସରଳ ଓଡିଆ ଭାଷାରେ ପ୍ରସ୍ତୁତ ସହିତ ସେମାନଙ୍କୁ ପୁସ୍ତିକା ଆକାରରେ ଏହା ଯୋଗାଇଦେବାପାଇଁ ଦାବି କରିଛନ୍ତି ଓଡିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଆବାହକ ରବି ବେହେରା । ଶ୍ରୀ ବେହେରା କହିଛନ୍ତି ଯେ ବଣ୍ଟନକାରୀ କମ୍ପାନୀ ଠାରୁ ଆରମ୍ଭ କରି ଆୟୋଗଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରକାଶ କରୁଥିବା ସୂଚନା, ବିଜ୍ଞାପନ ଆଦି ଇଂରାଜୀ ଭାଷାରେ ହେଉଥିବାରୁ ସାଧାରଣ ଉପଭୋକ୍ତାଟିଏ ଏହା ସହଜରେ ବୁଝିପାରୁ ନାହିଁ କିମ୍ବା ନିଜର ସ୍ୱାର୍ଥର ସୁରକ୍ଷା ପାଇଁ ଲଢେଇ କରିପାରୁ ନାହିଁ । ତେଣୁ ବିଦ୍ୟୁତ୍ ନିୟାମକ ଆୟୋଗ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ସେ ଦାବି କରିଛନ୍ତି ।
ସେହିଭଳି ବିଦ୍ୟୁତ୍ ବିଭାଗ ମଧ୍ୟ ନିୟମିତ ବ୍ୟବଧାନରେ ଜାରି କରୁଥିବା ସୂଚନା ଓ ଟେଣ୍ଡରଗୁଡିକ ଓଡିଆ ଭାଷାରେ ପ୍ରକାଶ କରିବାପାଇଁ ମହାସଂଘ ପକ୍ଷରୁ କୁହାଯାଇଛି । ଆବଶ୍ୟକସ୍ଥଳରେ ଏହିସବୁ ସୂଚନାଗୁଡିକ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ପ୍ରକାଶ କରିବାରେ କୌଣସି ସମସ୍ୟା ନାହିଁ । ତେଣୁ ନିଜେ ଶକ୍ତି ବିଭାଗ, ବିଦ୍ୟୁତ୍ ନିୟାମକ ଆୟୋଗ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟ ଓଡିଆରେ କରିବା ସହିତ ବଣ୍ଟନକାରୀ କମ୍ପାନୀକୁ ଏହା ପାଳନ ପାଇଁ କଡା ନିର୍ଦ୍ଦେଶ ଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)