Home Culture ମିଳୁନାହିଁ ଶାସ୍ତ୍ରୀୟ ମାନ୍ୟତା

ମିଳୁନାହିଁ ଶାସ୍ତ୍ରୀୟ ମାନ୍ୟତା

ଭୁବନେଶ୍ୱର : ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ଓଡ଼ିଶୀ ସଂଗୀତ ଓ ଓଡ଼ିଶୀ ନୃତ୍ୟକୁ ଏଯାବତ୍‍ ଶାସ୍ତ୍ରୀୟ ମାନ୍ୟତା ମିଳିନାହିଁ । ଶାସ୍ତ୍ରୀୟ ମାନ୍ୟତା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ଦପ୍ତରରେ ଓଡ଼ିଆ ଭାଷାରେ ନଥିପତ୍ର କାମ ଓ ଚିଠିପତ୍ର ଆଦାନ ପ୍ରଦାନ ହୋଇପାରୁ ନାହିଁ । କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନ ଲାଗି ଘରଖଣ୍ଡେ ତିଆରି ହୋଇପାରୁନାହିଁ କିମ୍ବା ଏହାର ସ୍ଥାୟୀ ନିର୍ଦ୍ଦେଶକ ଓ ପରିଚାଳନା କମିଟି ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉ ନାହିଁ । ରାଜ୍ୟରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ହଜାର ହଜାର ସଂଖ୍ୟାରେ ବନ୍ଦ ହୋଇଯାଉଥିବାବେଳେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା କିନ୍ତୁ ବଢ଼ିବାରେ ଲାଗିଛି ।

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଲାଗି ଚାଲିଥିବା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଭାଷା ବିଜ୍ଞାନୀ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ୯୬ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏଭଳି ମତ ପ୍ରକାଶ ପାଇଛି । ପ୍ରଫେସର ପଟ୍ଟନାୟକ ମଧ୍ୟ ସମ୍ବର୍ଦ୍ଧନାର ଉତ୍ତରରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଓଡ଼ିଆ ସମାଜର ସମୃଦ୍ଧି ପାଇଁ ପ୍ରତ୍ୟେକ ଓଡ଼ିଆ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସଂକଳ୍ପବଦ୍ଧ ସାଧକ ଭାବେ କାମ କରିବାକୁ ନିବେଦନ କରିଛନ୍ତି ।

ସଂସ୍କୃତି ଭବନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ଦେଶ ବିଦେଶରେ ଭାଷାର ବିକାଶ ପାଇଁ ଦେବୀବାବୁଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରିବା ସହିତ ତାଙ୍କୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ ଭାବେ ଅଭିହିତ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାହିତ୍ୟାୟନର ମିଳିତ ଉଦ୍ୟମରେ ଭାଷାବିତ୍‍ ଡ. ଦେବାଶିଷ ମହାପାତ୍ର ସଂଯୋଜନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‍ଗୋ, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ବିଶିଷ୍ଟ ଶିକ୍ଷାବିତ୍‍ ଦେବଦାସ ଛୋଟରାୟ, ନିବେଦିତା ମହାନ୍ତି, ନରେନ୍ଦ୍ର କୁମାର ମିଶ୍ର, ପ୍ରଫେସର ଜ୍ଞାନଦେବ ମହାରାଣା, ପ୍ରହଲ୍ଲାଦ ସିଂହ, ଫନି ମହାନ୍ତି, ପ୍ରିୟମ୍ବଦା ମହାନ୍ତି ହେଜମେଦି, ଇତି ସାମନ୍ତ, ସୁଦର୍ଶନ ଦାସ, ମେୟର ସୁଲୋଚନା ଦାସ, ସୁରେଶ ମନ୍ତ୍ରୀ, ଲୋପାମୁଦ୍ରା ମହାନ୍ତି ପ୍ରମୁଖ ପ୍ରଫେସର ପଟ୍ଟନାୟକଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହିତ ଦେଶ ବିଦେଶରେ ଭାଷା ଉପରେ ସେ କରିଥିବା ଗବେଷଣା ଓ ପ୍ରୟୋଗ ଭାରତର ବିଭିନ୍ନ ରାଜ୍ୟରେ ଭାଷାର ବିକାଶ ପାଇଁ ତାଙ୍କର ଅବଦାନ ଓ ଓଡ଼ିଆ ଭାଷାର ସମୃଦ୍ଧି ଲାଗି ନିରନ୍ତର ଉଦ୍ୟମ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଦେବୀବାବୁଙ୍କ କର୍ମମୟ ଜୀବନ ଉପରେ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଲିଖିତ ଏକ ପୁସ୍ତକ ମଧ୍ୟ ଲୋକାର୍ପିତ ହୋଇଥିଲା । କବି ସଂଜୟ ମହାନ୍ତି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ ।

କେତେକ ବକ୍ତା ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ, ଶ୍ରେଣୀ ଗୃହ ଓ ଭିତ୍ତିଭୂମି ନଥିବାରୁ ପିଲାମାନଙ୍କ ଓଡ଼ିଆ ଭାଷା ଜ୍ଞାନର ମୂଳଦୁଆ ଖଇଚା ହେଉଛି । ତେଣୁ ଅନେକ ଅଭିଭାବକ ପିଲାମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ାଇବାକୁ ବାଧ୍ୟ ହେଉଥିବାରୁ ହଜାର ହଜାର ସଂଖ୍ୟକ ସରକାରୀ ସ୍କୁଲ ବନ୍ଦ ହୋଇଯାଉଛି । ୧୯୫୪ରେ ନବକୃଷ୍ଣ ଚୌଧୁରୀଙ୍କ ସରକାର ପ୍ରଣୟନ କରିଥିବା ଓଡ଼ିଶା ସରକାରୀ ଭାଷା ଆଇନ୍‍ ଏବେ ବି ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇନାହିଁ । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ମରୁଡ଼ି ସମସ୍ୟାକୁ ବହୁ ଗୁଣିତ କରୁଛି । ଓଡ଼ିଆ ଭାଷା ପ୍ରତିଷ୍ଠାନ ଲାଗି ଘର ଖଣ୍ଡେ ତିଆରି ହୋଇପାରୁନାହିଁ କିମ୍ବା ଏହାର ପଦପଦବୀରେ ରହିବା ଲାଗି ସରକାର ଯୋଗ୍ୟ ଓଡ଼ିଆଟିଏ ପାଉନାହାନ୍ତି । ଏ ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ବଡ଼ ଆହ୍ୱାନ ସୃଷ୍ଟି ହୋଇଥିବାବେଳେ ଓଡ଼ିଶୀ ନୃତ୍ୟ ଓ ଓଡ଼ିଶାୀ ସଂଗତକୁ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ଦିଆଯାଉ ନାହିଁ । ଏ ପରିପ୍ରେକ୍ଷୀରେ ଓଡ଼ିଆ ଭାଷା ଓ ଓଡ଼ିଶାର ସମୃଦ୍ଧି ପାଇଁ ଐକ୍ୟବଦ୍ଧ ଉଦ୍ୟମ କରିବା ଲାଗି କେତେକ ବକ୍ତା ଆହ୍ୱାନ ଦେଇଛନ୍ତି ।(ତଥ୍ୟ)