ଭୁବନେଶ୍ୱର : ଯୌତୁକ ଏକ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ – ଏହା ଏକ ସାମାଜିକ ବ୍ୟାଧି । ଯୌତୁକ ନିଷେଧ ଆଇନ ୧୯୬୧ ପ୍ରଣୟନର ୬୦ ବର୍ଷ ପରେ ମଧ୍ୟ ସମାଜରେ ଏବେ ବି ଯୌତୁକ ଦିଆନିଆ ହଉଛି ବୋଲି ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପ ଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମରେ ଦୃଢ ମତ ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।
ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନର କନଭେନସେନ ସେଣ୍ଟରରେ ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପ-ଜିଲ୍ଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାକୁ ଏକ ଯୌତୁକମୁକ୍ତ ରାଜ୍ୟ ଭାବେ ପରିପ୍ରକାଶ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ତୃଣମୂଳସ୍ତରରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ଓ ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଛନ୍ତି । ଆମର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନଗୁଡିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ଵ ।
ତେଣୁ ଉପ-ଜିଲ୍ଲାପାଳ ଭାବରେ, ଏହି ଯୌତୁକ ନିଷେଧ ଅଧିନିୟମ, ୧୯୬୧ ଆଇନକୁ କଡାକଡି ଭାବେ କାର୍ଯ୍ୟକରି କରିବା ସହିତ ଏହି ଆଇନର ଦୁରୂପୋଯୋଗକୁ ରୋକିବାରେ ଉପ- ଜିଲ୍ଲାପାଳଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ଓଡ଼ିଶାରେ ଉପ-ଜିଲ୍ଲାପାଳ ତଥା ସବ-ଡିଭିଜନାଲ ମାଜିଷ୍ଟ୍ରେଟମାନଙ୍କୁ ଯୌତୁକ ନିଷେଧ ଅଧିକାରୀ ଭାବେ ଘୋଷଣା କରାଯାଇଛି ।
ଏହି ଆଇନ ଅନୁଯାୟୀ ଯୌତୁକ ନିଷେଧ ଅଧିକାରୀମାନଙ୍କୁ ଯୌତୁକ ମାମଲାରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା, ଅନୁସନ୍ଧାନ କରିବା ଏବଂ ପ୍ରମାଣ ସଂଗ୍ରହ କରିବାକୁ କ୍ଷମତା ପ୍ରଦାନ କରାଯାଇଛି। ପ୍ରତ୍ୟେକ ଅଧିନିୟମର ସଫଳତା ସଠିକ ଓ ସମୟୋଚିତ କାର୍ଯ୍ୟକାରିତା ତଥା ବ୍ୟାପକ ଜନସଚେତନତା ଉପରେ ନିର୍ଭର କରେ। ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ମାଧ୍ୟମରେ ଯୌତୁକ ଆଇନ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ସେ ଉପ-ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳାମାନଙ୍କ ସମ୍ମାନ ପାଇଁ ଏହା ଏକ ବଡ ପଦକ୍ଷେପ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଓ ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାର ଉପ-ଜିଲ୍ଲାପାଳ ମାନେ ଯୋଗ ଦେବା ସହ ମୁଖ୍ୟ ବକ୍ତା ଭାବେ ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ଶ୍ରୀ ଦୀପକ ନରେନ୍ଦ୍ର ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ କି ରାକ୍ଷସ ରୂପକ ଏହି କ୍ଷତିକାରକ ଅଭ୍ୟାସକୁ ଦୂର କରିବା ଉଦ୍ଦେଶ୍ୟରେ ଯୌତୁକ ନିଷେଧ ଅଧିନିୟମ, 1961 ପ୍ରଣୟନ କରାଯାଇଥିଲା। ଏହି ଆଇନ ଯୌତୁକକୁ ବିବାହ ସହିତ ଜଡିତ କୌଣସି ସମ୍ପତ୍ତି କିମ୍ବା ଅନ୍ୟ ପକ୍ଷ ଦ୍ୱାରା ଦିଆଯାଇଥିବା ମୂଲ୍ୟବାନ ସାମଗ୍ରୀ ଭାବରେ ବ୍ୟାଖ୍ୟା କରେ । ଏଥିରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ ଯୌତୁକ ଦାବି କରିବା, ଗ୍ରହଣ କରିବା କିମ୍ବା ଦେବା ଏକ ଦଣ୍ଡନୀୟ ଅପରାଧ, ଏବଂ ଏହା ବିବାହ ପୂର୍ବରୁ, ବିବାହ ସମୟରେ କିମ୍ବା ବିବାହ ପରେ ପ୍ରଯୁଜ୍ୟ। ଯୌତୁକ କାର୍ଯ୍ୟରେ ସାହାଯ୍ୟ କରୁଥିବା କିମ୍ବା ଉସୁକାଉଥିବା ଲୋକଙ୍କୁ ମଧ୍ୟ ଏହି ଅଧିନିୟମ ଦଣ୍ଡିତ କରେ। ଯୌତୁକ ଦାବି କିମ୍ବା ଗ୍ରହଣ କରିବା ପାଇଁ ଦଣ୍ଡ ହେଉଛି ୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ୧୫,୦୦୦ ପର୍ଯ୍ୟନ୍ତ ଜୋରିମାନା କିମ୍ବା ଦିଆଯାଇଥିବା ଯୌତୁକର ମୂଲ୍ୟ, ଯାହା ଅଧିକ। ଏପରିକି ଯୌତୁକକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନ ମଧ୍ୟ ଏହି ଆଇନ ଅନୁଯାୟୀ ବେଆଇନ ।