କଟକ : ଓଡିଶାର ପରିବହନ ସେବାକୁ ଉଚ୍ଚ ପ୍ରଶଂସା କରିଛନ୍ତି ତେଲେଙ୍ଗାନା ଓ ପଞ୍ଜାବରୁ ଆସିଥିବା ସେହିସବୁ ରାଜ୍ୟର ପରିବହନ ବିଭାଗର ପ୍ରତିନିଧିମଣ୍ଡଳୀ । ସେମାନେ ଆମ ରାଜ୍ୟର ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ମତ ବିନିମୟ କରିଛନ୍ତି । ବିଶେଷକରି,ଓଡ଼ିଶାରେ ପରିବହନ ସେବା କ୍ଷେତ୍ରରେ କାର୍ଯ୍ୟକ୍ଷମ ହୋଇଥିବା ଆଧୁନିକ ବୈଷୟିକ ଜ୍ଞାନକୌଶଳ ସଂପର୍କରେ ଅବଗତ ହୋଇଛନ୍ତି ।
ରାଜ୍ୟ ପରିବହନ କମିସନର ଅମିତାଭ ଠାକୁରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏସଂକ୍ରାନ୍ତରେ ବିସ୍ତୃତ ଭାବରେ ଦୁଇ ରାଜ୍ୟର ପ୍ରତିନିଧିମାନଙ୍କ ସହ ଆଲୋଚନା ହୋଇଥିଲା । ବୈଷୟିକ ଜ୍ଞାନକୌଶଳ ସହ ସଡ଼କ ସୁରକ୍ଷା, ଇ-ଗଭର୍ଣ୍ଣାନସ ଏବଂ ବାହନ ଓ ସାରଥୀର କାର୍ଯ୍ୟାନ୍ୱୟନ ସଂପର୍କରେ ମଧ୍ୟ ଚର୍ଚ୍ଚା ହୋଇଛି ।
ଏହି ଆଲୋଚନାରେ ଓଡ଼ିଶାର ପ୍ରଭାବୀ ଏନଫୋର୍ସମେଣ୍ଟ ପରିଚାଳନା ବ୍ୟବସ୍ଥା ସଂପର୍କରେ ମଧ୍ୟ ଆଲୋଚନା କରାଯ।ଇଥିଲା । ଟ୍ରାଫିକ ବ୍ୟବସ୍ଥାରେ ସୁଧାର ନିମନ୍ତେ ଗ୍ରହଣ କରାଯାଉଥିବା ସ୍ୱୟଂଚାଳିତ ପଦ୍ଧତି ସଂପର୍କରେ ଅବଗତ କର।ଯାଇଥିଲା । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ, କାର୍ଯ୍ୟକାରିତା ଓ ପ୍ରଭାବ ସଂପର୍କରେ ରିପୋର୍ଟ ଉପସ୍ଥାପିତ କରାଯାଇଥିଲା । ଓଡ଼ିଶାରେ ପରିବହନ ସେବା ଓ ସଡ଼କ ସୁରକ୍ଷା କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ଉଭୟ ରାଜ୍ୟର ପ୍ରତିନିଧିଙ୍କୁ ବେଶ୍ ପ୍ରଭାବିତ କରିଛି । ସେମାନେ ଆମ ରାଜ୍ୟ ସରକାରଙ୍କୁ ଏଥିପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି ।
ଏହି ଆଲୋଚନା ସମୟରେ ବୈଦ୍ୟୁତିକ ଯାନ, ଆଇଡିଟିଆର, ସୁବାହକ, ଆଇଇଏମଏସ, ଇ-ଚାଲାଣ, ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷଣ, ପେପରଲେସ ଡିଏଲ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ରାଜପଥରେ ଯାଉଥିବା ବେପରୁଆ ଗାଡ଼ି ଚାଳକଙ୍କୁ ଆଇଇଏମଏସଜରିଆରେ ଚିହ୍ନଟ କରାଯାଉଛି ଏବଂ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର କିଭଳି କାର୍ଯ୍ୟ କରୁଛି ଏ ସଂକାନ୍ତରେ ମଧ୍ୟ ସେମାନେ ଅବଗତ ହୋଇଥିଲେ ।
ଓଡ଼ିଶାରେ କାର୍ଯ୍ୟକ୍ଷମ ଭାରୀ ମୋଟର ଯାନ ତାଲିମ କେନ୍ଦ୍ର, ସ୍ୱୟଂକ୍ରିୟ ଗାଡ଼ିଚାଳନା ପରୀକ୍ଷଣ କେନ୍ଦ୍ର, ସ୍ୱୟଂକ୍ରିୟ ମୋଟର ଯାନ ଯାଞ୍ଚ କେନ୍ଦ୍ର, ୨୪ ଘଣ୍ଟିଆ ନିୟନ୍ତ୍ରଣ କେନ୍ଦ୍ରର ସଫଳତା ଅନ୍ୟ ରାଜ୍ୟକୁ ଆକୃଷ୍ଟ କରୁଛି । ସେମାନେ ଏହି ବ୍ୟବସ୍ଥା ସଂପର୍କରେ ବୁଝିବାକୁ ଆଗ୍ରହୀ ରହିଛନ୍ତି । ସେହିଭଳି ସେମାନଙ୍କ ରାଜ୍ୟରେ ଥିବା ସଫଳ ବ୍ୟବସ୍ଥା ସଂପର୍କରେ ଓଡ଼ିଶାର ଅଧିକାରୀମାନେ ମଧ୍ୟ ପଚାରି ବୁଝିଛନ୍ତି । କେମିତି ଆଗକୁ ଓଡ଼ିଶା ସଡ଼କ ସୁରକ୍ଷା କ୍ଷେତ୍ରରେ ଆହୁରି ଭଲ ପ୍ରଦର୍ଶନ କରିବ ସେ ପାଇଁ ଆମେ ଉଦ୍ୟମ ଜାରି ରଖିଥିବା କହିଛନ୍ତି ପରିବହନ କମିସନର ଅମିତାଭ ଠାକୁର । ଅନ୍ୟ ରାଜ୍ୟର ପ୍ରତିନିଧି ଆମ ମଡେଲ ଦେଖିବାକୁ ଆସିବା ଓ ପ୍ରଶଂସା କରିବା ଆମକୁ ଉତ୍ସାହିତ କରିଥିବା ସେ କହିଛନ୍ତି ।