ନୂଆଦିଲ୍ଲୀ : ଓଡ଼ିଶାରେ ୬ଟି ଭାଷା ସମେତ ୫୨ଟି ଭାରତୀୟ ଭାଷାରେ ବର୍ଣ୍ଣମାଳା ପୁସ୍ତକର ଉନ୍ମୋଚନ ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ପାଠ ପଢିବା ପାଇଁ ଆଗ୍ରହୀ କରାଇବ । ଲେଖା ସହ ପାଠ ପଢିବା ପାଇଁ ବିଶେଷ ଭାବରେ ପ୍ରୋତ୍ସାହିତ କରିବ ବେଲି ଶନିବାର ନୂଆଦିଲ୍ଲୀ ଠାରେ ସ୍କୁଲ ଶିକ୍ଷାକୁ ମଜଭୂତ୍ କରିବା ସହ ଶିକ୍ଷକଙ୍କ ଦକ୍ଷତା ବଢାଇବା ପାଇଁ ବିଭିନ୍ନ ଉପକ୍ରମର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଆଜି ୫୨ ପ୍ରାଇମର୍ସ ଅଫ୍ ଏନସିଇଆରଟି, ଡାଏଟ୍ସ ଏଫ୍ ଏକ୍ସଲେନ୍ସ, ନ୍ୟାସନାଲ ପ୍ରଫେସନାଲ ଷ୍ଟାଣ୍ଡାର୍ଡ ଫର୍ ଟିଚର୍ସ, ନ୍ୟାସନାଲ ମିଶନ ଫର୍ ମେଣ୍ଟରିଂ, ଜାତୀୟ ବିଦ୍ୟା ସମୀକ୍ଷା କେନ୍ଦ୍ର ଓ ୨୦୦ ଟିଭି ଚ୍ୟାନେଲର ଶୁଭାରମ୍ଭ କରିଛନ୍ତି । ଦେଶର ୧୭ଟି ରାଜ୍ୟରେ ୫୨ଟି ବର୍ଣ୍ଣମାଳା ପୁସ୍ତକ ମଧ୍ୟରୁ ଓଡ଼ିଶାର ୬ଟି ଭାରତୀୟ ଭାଷାରେ ବର୍ଣ୍ଣମାଳା ପୁସ୍ତକ ଉନ୍ମୋଚନ ହୋଇଛି ।
ସେ ଗୁଡିକ ହେଲା ଗାଦବା, ଜୁଆଙ୍ଗ, କୁଓ୍ୱି, କିସାନ, ସାନ୍ତାଳୀ, ସୋରା । ଓଡ଼ିଶା ବ୍ୟତିତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ଼, ହିମାଚଳ ପ୍ରଦେଶ, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ, ସିକିମ, ପଶ୍ଚିମବଙ୍ଗ ଓ ତ୍ରିପୁରାରେ ଭାରତୀୟ ଭାଷାରେ ବର୍ଣ୍ଣମାଳା ପୁସ୍ତକ ଉନ୍ମୋଚନ ହୋଇଛି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ସ୍କୁଲ ଶିକ୍ଷାକୁ ମଜଭୂତ୍ କରିବା ମୋଦୀ ଗ୍ୟାରେଣ୍ଟି ହୋଇଛି । ଆଜି ହେଉଛି ସେ ଦିଗରେ ଏକ ଐତିହାସିକ ଦିନ । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଏବଂ ମୋଦି ଗ୍ୟାରେଣ୍ଟିରେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଏକ ଦୃଢ ମୂଳଦୁଆ ପଡିଛି । ଆଜିର କାର୍ଯ୍ୟକ୍ରମ ଜାତୀୟ ଶିକ୍ଷା ନୀତିକୁ ତୃଣମୂଳ ସ୍ତରରେ କ୍ରିୟାନ୍ୱୟନ କରିବା ଦିଗରେ ରଥ ଚକ ଭଳି କାମ କରିବ ।
ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବ ଏବଂ ଗୁଣାତ୍ମକ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଏବଂ ସର୍ବସମାବେଶୀ କରାଇବ । ସ୍କୁଲ ଶିକ୍ଷା କ୍ଷେତ୍ରରେ ଗେମ୍ ଚେଞ୍ଜର ହେବାକୁ ଥିବା ଏହି ପଦକ୍ଷେପ ଗୁଡିକ ବିଶେଷତଃ ୫୨ ଭାରତୀୟ ଭାଷା ଗୁଡିକ ନିରନ୍ତର ଭାବରେ ନୂତନ ସଭ୍ୟତାର ନବଜାଗରଣ କରିବା ଦିଗରେ ମାର୍ଗ ପ୍ରଶସ୍ତ କରିବ ।
ସେ କହିଛନ୍ତି ଆମ ସମସ୍ତଙ୍କ ମଧ୍ୟରେ ଭାଷା ପ୍ରତି ଆସକ୍ତି ଅଛି । ମୋର ମାତୃଭାଷା ଓଡ଼ିଆ ପ୍ରତିଟି କ୍ଷେତ୍ରରେ ମୋର ଆତ୍ମବିଶ୍ୱାସ ବଢାଇଛି । ମାତୃଭାଷାରେ ନିଜର ମୌଳିକ ଶିକ୍ଷାକୁ ନେଇ ସ୍ପଷ୍ଟତା ଥିଲେ ଜଣେ ବ୍ୟକ୍ତି ବିଶ୍ୱର ଅନ୍ୟ ସମସ୍ତ ଭାଷାରେ ଦକ୍ଷ ହୋଇପାରିବ । ଗୋଟିଏ ପିଲା ଜନ୍ମ ହେବା ପରେ ଯେଉଁ ଭାଷା ଶିଖେ ଏବଂ ଯେଉଁ ଭାଷାରେ ଉଚ୍ଚାରଣ କରିବା ସହ ପାଠ ପଢେ, ତାର କ୍ରିଟିକାଲ ଥିଙ୍କିଂ ବିକାଶ ହୋଇଥାଏ । ଏହାର ଉଦାହରଣ ଦେବାକୁ ଯାଇ କୋଟିଆ ଗସ୍ତରେ ମର୍ମେ ଅନୁଭବ କରିଥିବା ଓଡ଼ିଆ ଶିକ୍ଷକ ଓ ଜନଜାତି ସ୍କୁଲ ପିଲାଙ୍କର ଭାଷାକୁ ନେଇ ଥିବା ପାର୍ଥତ୍ୟ କଥା କହିଥିଲେ କେନ୍ଦ୍ରମନ୍ତ୍ରୀ ।
ସେ କହିଥିଲେ ଗତ ଉତ୍କଳ ଦିବସ ଅବସରରେ କୋରାପୁଟ ଜିଲ୍ଲାର କୋଟିଆ ଅଂଚଳ ଗସ୍ତ କଲାବେଳେ ପିଲାମାନଙ୍କ ସହ କଥା ହୋଇଥିଲେ । ମାତ୍ର ସେଠାରେ କନ୍ଧ ସମୁଦାୟରେ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ଓଡ଼ିଆରେ କଥା ହୋଇପାରୁ ନଥିଲେ ଏବଂ ଶିକ୍ଷକମାନେ ସମସ୍ତେ ଓଡ଼ିଆ ହୋଇଥିବାରୁ ପିଲାଙ୍କ ଭାଷା ବୁଝିପାରୁ ନଥିବାର ସେ ଲକ୍ଷ୍ୟ କରିଥିଲେ । ଏଥିପାଇଁ ଜନଜାତି ପିଲା ମାନଙ୍କ ପାଇଁ ‘କୁଓ୍ୱି’ ଓ ‘ଦେଶୀଆ’ ଭାଷାରେ ଛବିଳ ମଧୁ ବର୍ଣ୍ଣବୋଧ ପରି ପୁସ୍ତକ କରିବା ପାଇଁ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହଯୋଗରେ ଏନସିଇଆରଟିକୁ ପରାମର୍ଶ ଦେଇଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଭାରତୀୟ ଭାଷାକୁ ରାଷ୍ଟ୍ରୀୟ ଭାଷା ବୋଲି ସମ୍ବୋଧନ କରିଛନ୍ତି । ବିବିଧତାର ଦେଶ ଓ ଅନେକ ଭାଷାର ରାଷ୍ଟ୍ର ଭାରତ ଆଜି ଚନ୍ଦ୍ରାୟାନ ମିଶନରେ ହିଁ ସଫଳତା ହାସଲ କରିଛି । ଭାରତ ବୃହତମ ପଞ୍ଚମ ଅର୍ଥନୀତିରେ ପରିଣତ ହୋଇଛି । ବିକଶିତ ଭାରତ ପୂରଣ ପାଇଁ ଆମକୁ ନିଜ ଭାଷାକୁ ପ୍ରାଥମିକତା ଦେବାକୁ ହେବ । ଭାରତକୁ ଅନେକ ସମୟ ପରାଧୀନତା ରଖିବା ପାଇଁ ଏଠାରେ ଟି.ବି.ମାକାଉଲେ ପଦ୍ଧତିର ଉପଯୋଗ କରାଯାଇଥିଲା ।
ମାକାଉଲେ ଭାରତରେ ଯେଉଁ ଶିକ୍ଷା ନୀତି ପ୍ରସ୍ତୁତ କରିଥିଲେ ତାହା କେବଳ ଭାରତକୁ ନୀଚ୍ଚ କରିବାର ଏକ ପ୍ରକ୍ରିୟା ଥିଲା । ମାତ୍ର ଏହି ଶିକ୍ଷା ନୀତିର ବିକଳ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆସିଛି । ମାକାଉଲେଙ୍କ ପରାଧୀନ ମାନସିକତାକୁ ବଦଳାଇ ଭାରତର ସ୍ୱାଧୀନ ମାନସିକତାକୁ ବିକାଶ କରିବା ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି । ଉପନିବେଶବାଦ ଶକ୍ତିକୁ ଭାଷା ହିଁ ଭାଙ୍ଗିବାର ଏକମାତ୍ର ବିକଳ୍ପ ।
୮ ହଜାର ବର୍ଷ ପୂର୍ବରୁ ବେଦ ତତ୍ତ୍ୱ ଅଛି । ଉଜ୍ଜୟିନୀର ପାଠଶାଳାରେ ୩୦୦ ବର୍ଷ ପୂର୍ବରୁ ଓଡ଼ିଆ ଲିପିରେ ସଂସ୍କୃତ ଭାଷାରେ ଋଗ୍ ବେଦର କଥା ରହିଛି । ଏହା ଆମ ସଭ୍ୟତାର ଜ୍ଞାନ ଗଭୀରତାର ପ୍ରମାଣ ଦେଉଛି । ଆଜିର ପଦକ୍ଷେପ ଗୁଡିକ ଭବିଷ୍ୟତ ଆଧାରିତ ପାଠପଢା ଦୃଶ୍ୟପଟ୍ଟ ତିଆରି କରିବ, ଭାରତୀୟ ଭାଷାକୁ ପ୍ରୋତ୍ସାହନ ଦେବ ଏବଂ ଜାତୀୟ ଶିକ୍ଷା ନୀତିର କଳ୍ପନାକୁ ବାସ୍ତବ ରୂପ ଦେଇ ସ୍କୁଲ ଶିକ୍ଷାର ସର୍ବାଙ୍ଗୀନ ବିକାଶ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତର ଶିକ୍ଷକଙ୍କର ନିଜସ୍ୱ ଉଚ୍ଚ ପରମ୍ପରା ଅଛି । ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଦକ୍ଷ ହେବା ଉଚିତ୍ । ଏଥିପାଇଁ ଭାରତ ସରକାରଙ୍କ ଦ୍ୱାରା ଶିକ୍ଷକଙ୍କୁ ଅଧିକ କୁଶଳୀ କରିବା ପାଇଁ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ କେନ୍ଦ୍ର(ଡାଏଟ)କୁ ମଜଭୂତ୍ କରାଯାଉଛି ବୋଲି ସେ କହିଛନ୍ତି ।