ଭୁବନେଶ୍ୱର : ମୁମ୍ବାଇରେ ଅନୁଷ୍ଠିତ ଚତୁର୍ଥ ଭାରତୀୟ ଶିଳ୍ପ ମହାସଂଘ, ପୂର୍ବ ଭାରତ ସମ୍ମିଳନୀ ୨୦୨୫ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଂଶଗ୍ରହଣ କରିଛନ୍ତି । ସମ୍ମିଳନୀରେ ନିବେଶକ ଏବଂ ସରକାରୀ ପ୍ରତିନିଧିମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ରାଜ୍ୟ ଅଧିବେଶନ, ଗୋଲଟେବୁଲ ନୀତି ନିର୍ଦ୍ଧାରଣ ଓ ଆଲୋଚନା କରାଯାଇଛି।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଓଡିଶା ଖଣିଜ ସମ୍ପତ୍ତି, ଗଭୀର ଜଳ ବନ୍ଦର, ଦୃଢ଼ ରେଳ ଓ ରାସ୍ତା ସଂଯୋଗୀକରଣ, ଜମି, ପ୍ରାକୃତିକ ସମ୍ବଳ ସହିତ ଏକ ନିବେଶଯୋଗ୍ୟ ସ୍ଥାନ ଅଟେ।
ଏଥିସହିତ ଓଡ଼ିଶା ସମନ୍ୱିତ ଶିଳ୍ପ ଇକୋସିଷ୍ଟମ୍, ରପ୍ତାନି-ମୁଖୀ ଉତ୍ପାଦନ କରିଡର ନିର୍ମାଣ କରୁଛି ଯାହା ଲଜିଷ୍ଟିକ୍ ଏବଂ ବଜାର ପ୍ରବେଶକୁ ଆହୁରି ସୁଗମ ଓ ସହଜ କରିବ। ଉନ୍ନତ ପ୍ରଯୁକ୍ତିବିଦ୍ୟା, ଗ୍ରୀନ ଫିଲଡ଼ ପ୍ରୋଜେକ୍ଟ, ବନ୍ଦର-ନେତୃତ୍ୱାଧୀନ ଶିଳ୍ପ ଅଭିବୃଦ୍ଧିରେ ଓଡିଶା ନିବେଶ ଗ୍ରହଣ ପାଇଁ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀଙ୍କ ଉକ୍ତିରେ, ପୂର୍ବ ଭାରତରେ ନିବେଶ କରିବାର ଏହା ସଠିକ୍ ସମୟ, ତେଣୁ ଉପ-ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନିବେଶ କରିବାକୁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିଛନ୍ତି।
ଉପ-ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଆମ ସରକାର ରେକର୍ଡ ସଂଖ୍ୟକ ୫୬ ଟି ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ କରିଛି, ଯାହା ₹ ୧.୭୮ ଲକ୍ଷ କୋଟି ନିବେଶକୁ ପ୍ରତିନିଧିତ୍ୱ କରୁଛି ଏବଂ ୧.୧୧ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି, ଏବଂ ନୂତନ ନିବେଶ ସହ ଆହୁରି ଏକ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବା ଆମର ଲକ୍ଷ୍ୟ ରଖିଛି।
ସିଆଇଆଇ,ପୂର୍ବ ଭାରତ ସମ୍ମିଳନୀ ଏହି ଅଞ୍ଚଳକୁ ଏକ ସଶକ୍ତ ଅର୍ଥନୀତିରେ ପରିଣତ କରିବା ପାଇଁ ଏକ ଉତ୍ପ୍ରେରକ ଭାବରେ କାର୍ଯ୍ୟ କରିବ। ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅଛନ୍ତି, ବିହାର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସମ୍ରାଟ ଚୌଧୁରୀ, ବିହାରର ଶିଳ୍ପ ମନ୍ତ୍ରୀ ଶ୍ରୀ ନୀତିଶ ମିଶ୍ର, ଛତିଶଗଡ଼ର ଅର୍ଥମନ୍ତ୍ରୀ ଶ୍ରୀ ଓ ପି ଚୌଧୁରୀ, ସିଆଇଆଇ ପୂର୍ବ କ୍ଷେତ୍ରର ଚେୟାରମ୍ୟାନ ଶ୍ରୀ ଶାଶ୍ୱତ ଗୋଏଙ୍କା, ସିଆଇଆଇ ପଶ୍ଚିମ କ୍ଷେତ୍ରର ଚେୟାରମ୍ୟାନ ଶ୍ରୀ ରିଷି କୁମାର ବାଗଲା, ଏମଏସଏମଇ ବିଭାଗ, ଓଡ଼ିଶା କମିଶନର-ତଥା-ସଚିବ, ଶ୍ରୀ ଡି ପ୍ରଶାନ୍ତ କୁମାର ରେଡ୍ଡୀ ଓ ବିହାର, ଛତିଶଗଡ଼, ପଶ୍ଚିମବଙ୍ଗର ପ୍ରଶାସନିକ ଅଧିକାରୀ, ନିବେଶକ, ଶିଳ୍ପପତି, ଉଦ୍ୟୋଗୀ ପ୍ରମୁଖ ଯୋଗଦେଇଛନ୍ତି।