ଭୁବନେଶ୍ୱର : ଓଡିଶା ସିଭିଲ ସର୍ଭିସ-୨୦୨୨ର ଫଳ ପ୍ରକାଶନ ପରେ ଏବେ ବିଭିନ୍ନ କୋଚିଂ ସେଣ୍ଟର ସଫଳ ପରୀକ୍ଷାର୍ଥୀମାନେ ସେମାନଙ୍କ ନିକଟରେ ତାଲିମ ନେଇଥିବା ଦାବି କରୁଛନ୍ତି । ଏଥିଘେନି କେଉଁ ସଂସ୍ଥା ଗଣମାଧ୍ୟମରେ ଫଟୋ ସହ ବିଜ୍ଞାପନ ଦେଉଛି ତ ଆଉ କିଏ ପ୍ରେସ୍ ବିଜ୍ଞପ୍ତି ଜରିଆରେ ନିଜ କେନ୍ଦ୍ରର ସଫଳତା ବଖାଣୁଛି । ଏ ପରିପ୍ରେକ୍ଷୀରେ ଓଏଏସ୍ ଟପ୍ପର ହୋଇଥିବା ଶ୍ୱେତାଶ୍ରୀ ମହାପାତ୍ର ଅନ୍ୟୁନ ତିନିଟି କୋଚିଂ ସେଣ୍ଟର ଛାତ୍ରୀ ବୋଲି ସମ୍ପୃକ୍ତ ସଂସ୍ଥାମାନେ ଗଣମାଧ୍ୟମରେ ପ୍ରକାଶ କରାଇଛନ୍ତି । ତେବେ ଶ୍ୱେତାଶ୍ରୀ ଏଯାବତ୍ ସ୍ପଷ୍ଟ କରିନାହାନ୍ତି ଯେ ସେ କେଉଁ ସଂସ୍ଥାର ପ୍ରଶିକ୍ଷାର୍ଥୀ ଥିଲେ ବୋଲି ।
କେବଳ ଶ୍ୱେତାଶ୍ରୀ ନୁହନ୍ତି ତାଲିକାର ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିଥିବା ପ୍ରିଙ୍କିଲ ପରବିନ୍ ପରିଡା, ପ୍ରଜ୍ଞା ପାରଙ୍ଗମ, ଆଜାଦ କୁମାର ସାହୁ, କପିଳ କୁମାର ମହାନ୍ତି, ଅମ୍ରିତା ସାହୁ ଆଦିଙ୍କ ଭଳି ଓଏଏସ୍ ପରୀକ୍ଷାର ପ୍ରଥମ ୧୦ ସ୍ଥାନ ମଧ୍ୟରେ ରହିଥିବା କୃତୀ ପ୍ରାର୍ଥୀମାନଙ୍କୁ ବି ଗୋଟିଏ ନୁହେଁ, ଅନେକ ସଂସ୍ଥା ନିଜର ପ୍ରଶିକ୍ଷାର୍ଥୀ ବୋଲି ଗଣାମଧ୍ୟମରେ ଦାବି କରୁଛନ୍ତି ।
ବାଜିରାଓ ଆଇଏଏସ୍ ଏକାଡେମୀ ପ୍ରକାଶ କରିଥିବା ବିଜ୍ଞାପନରେ ଓଏଏସ୍ ପରୀକ୍ଷାର ପ୍ରଥମ ୨୦ଜଣଙ୍କ ମଧ୍ୟରୁ ୭ଜଣ ଏହି ସଂସ୍ଥାର ବୋଲି ବିଜ୍ଞାପନ ମାଧ୍ୟମରେ ଦର୍ଶାଇବା ସହିତ ଶ୍ୱେତାଶ୍ରୀଙ୍କ ସମେତ ଆଜାଦ କୁମାର ସାହୁ, କପିଳ କୁମାର ମହାନ୍ତି ଓ ଅମ୍ରିତା ସାହୁଙ୍କ ଫଟୋ ଜାରି କରାଯାଇଛି । ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଏହି ସଂସ୍ଥାର ୨୦୦ରୁ ଅଧିକ ପ୍ରଶିକ୍ଷାର୍ଥୀ ସଫଳତା ପାଇଥିବା କୁହାଯାଇଛି ।
ସେହିଭଳି ବଣିକ୍ ଆଇଏଏସ୍ କୋଚିଂ ସେଣ୍ଟର ପକ୍ଷରୁ ଜାରି ବିଜ୍ଞାପନରେ ୯୫ଜଣ ସଫଳ ପ୍ରାର୍ଥୀଙ୍କ ଫଟୋ ଜାରି କରାଯିବା ସହ ଉତ୍ତୀର୍ଣ୍ଣ ହୋଇଥିବା ୬୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୪୦୮ ଜଣ ବଣିକ-ଆଇଏଏସ୍ର ବୋଲି ଉଲ୍ଲେଖ କରାଯ।।ଇଛି । ବଣିକ୍ର ଯେଉଁ ପ୍ରଶିକ୍ଷାର୍ଥୀମାନେ ଓଏଏସ୍ ପରୀକ୍ଷାରେ ସଫଳ ହୋଇଛନ୍ତି ସେମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଥିବା ଶ୍ୱେତାଶ୍ରୀ ମହାପାତ୍ରଙ୍କ ସମେତ ଚତୁର୍ଥ ସ୍ଥାନରେ ଥିବା ପ୍ରଜ୍ଞା ପାରଙ୍ଗମ, ପଞ୍ଚମ ସ୍ଥାନରେ ଥିବା ଆଜାଦ କୁମାର ସାହୁ ଓ ନବମ ସ୍ଥାନରେ ଥିବା କପିଳ କୁମାର ମହାନ୍ତିଙ୍କ ସମେତ ଅନେକଙ୍କ ନାମ ଓ ଫଟୋଚିତ୍ର ରଙ୍ଗୀନ ବିଜ୍ଞାପନରେ ପ୍ରକାଶ ପାଇଛି ।
ସେହିଭଳି ଅନ୍ୟଏକ କୋଚିଂ ସେଣ୍ଟର ଆପ୍ଟିପ୍ଲସ ଉଲ୍ଲେଖ କରିଛି ଯେ ଏହି ସଂସ୍ଥାରୁ ପ୍ରଶିକ୍ଷଣ ପାଇଥିବା ୪୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହୋଇଛନ୍ତି । ଆପ୍ଟିପ୍ଲସର ସଫଳ ପରୀକ୍ଷାର୍ଥୀଙ୍କ ତାଲିକାରେ ଶ୍ୱେତାଶ୍ରୀ ମହାପାତ୍ର, ପ୍ରିଙ୍କିଲ ପରବିନ୍ ପରିଡା, ପ୍ରଜ୍ଞା ପାରଙ୍ଗମ, ଆଜାଦ କୁମାର ସାହୁ, ଦେବବ୍ରତ ଗୌଡ, କପିଳ କୁମାର ମହାନ୍ତି, ଅମ୍ରିତା ସାହୁଙ୍କ ଭଳି ସଫଳ ପ୍ରାର୍ଥୀଙ୍କ ନାମ ରହିଛି ।
ଏହି ତିନିଟି ସଂସ୍ଥା ବ୍ୟତିତ ପ୍ରଶିକ୍ଷଣ ଦେଉଥିବା ଆଉ କେତେକ ସଂସ୍ଥା ମଧ୍ୟ ଏହି ପରୀକ୍ଷାରେ ସେମାନଙ୍କ ଛାତ୍ରଛାତ୍ରୀମାନଙ୍କ ସଫଳତାର ଗାଥା ବଖାଣୁଛନ୍ତି । କେବଳ ସେତିକି ନୁହେଁ, ପରବର୍ତ୍ତୀ ବ୍ୟାଚ୍ର ନାମାଙ୍କନ ପାଇଁ ବିଭିନ୍ନ ସଂସ୍ଥା ମଧ୍ୟ ବିଜ୍ଞାପନ ମାଧ୍ୟମରେ ସ୍ୱତନ୍ତ୍ର ରିହାତି ଘୋଷଣା କରି ଆଶାୟୀମାନଙ୍କୁ ନିଜ ପଟକୁ ଟାଣିବା ଲାଗି ବିଜ୍ଞାପନ ଦେବାରେ ଲାଗିଛନ୍ତି ।
ଏଥର ଓଡିଶା ସଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଥିବା ୬୮୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪୨୫ଜଣ ପୁରୁଷ ଓ ୨୫୮ଜଣ ମହିଳା ଥିବାବେଳେ କୋଚିଂ ସେଣ୍ଟରମାନେ ନିଜ ନିଜର ସଫଳତାର ଯେଉଁ ତାଲିକା ଦେଉଛନ୍ତି ତାହାକୁ ମିଶାଇଲେ ସଫଳ ପ୍ରାର୍ଥୀଙ୍କ ସଂଖ୍ୟା ୨୦୦୦ରୁ ଅଧିକ ହୋଇଯିବ । (ତଥ୍ୟ)