Home Administration ଓଏଏସ୍‍ ଅଫିସରଙ୍କ ବିଭାଗୀୟ ପରୀକ୍ଷା ସ୍ଥଗିତ

ଓଏଏସ୍‍ ଅଫିସରଙ୍କ ବିଭାଗୀୟ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଦପ୍ତର ଭିତରେ ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଓଏଏସ୍‍ ସଂଘ ଯେଉଁ ସମୟରେ ଆନ୍ଦୋଳନ ଡାକରା ଦେଇଥିଲା ସେଥିରେ ଓଡ଼ିଶା ସରକାର ଏକ ପ୍ରକାର ସାମିଲ ହୋଇଥିଲେ ବୋଲି ଏବେ ଗୁରୁତର ଅଭିଯୋଗ ହେଉଛି । ନବନିଯୁକ୍ତ ଓଏଏସ୍‍ ଅଫିସରମାନଙ୍କ ତାଲିମ ପରେ ଲିଖିତ ପରୀକ୍ଷା ସରିଥିବା ବେଳେ ମୌଖିକ ପରୀକ୍ଷା ଚଳିତ ମାସ ୨ରୁ ୪ ତାରିଖ ପର୍ଯ୍ୟନ୍ତ ରହିଥିଲା । ଏଥିଲାଗି ନବନିଯୁକ୍ତ ଓଏଏସ୍‍ ଅଫିସରମାନେ ପ୍ରସ୍ତୁତ ଥିବାବେଳେ ଆନ୍ଦୋଳନର ଆଳ ଦେଖାଇ ସରକାରଙ୍କ ପକ୍ଷରୁ କିନ୍ତୁ ମୌଖିକ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏଥିରୁ ରାଜ୍ୟ ସରକାର ପରୋକ୍ଷ ଭାବେ ଆନ୍ଦୋଳନକୁ ସମର୍ଥନ ଦେଇଥିବା ଘେନି ବହୁ ବରିଷ୍ଠ ଅଧିକାରୀ କ୍ଷୋଭର ସହ କହୁଛନ୍ତି ।

ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ଓଏଏସ୍‍ ପ୍ରତ୍ୟକ୍ଷ ନିଯୁକ୍ତି ଲାଗି ପ୍ରାର୍ଥୀ ଚୟନ କରାଯାଇଥାଏ । ଯୋଗ୍ୟତା ତାଲିକା ଆଧାରରେ ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଓଡ଼ିଶା ଅର୍ଥ ସେବା, ଜଙ୍ଗଲ ସେବା, ରାଜସ୍ୱ ସେବା, ଆକାଉଣ୍ଟସ୍‍ ସେବା ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯାଇଥାଏ । ସାଧାରଣ ପ୍ରଶାସନ ବିଭାଗର ଅନୁମୋଦନ କ୍ରମେ ରାଜସ୍ୱ ବିଭାଗ ପ୍ରଥମ ଶ୍ରେଣୀ ପାହ୍ୟାର ଏହି କନିଷ୍ଠ ବର୍ଗର ଓଏଏସ୍‍ମାନଙ୍କୁ ବିଭିନ୍ନ ଜିଲ୍ଲାରେ ତାଲିମ ଅଧିକାରୀ ଭାବେ ନିଯୁକ୍ତି ଦେଇଥାନ୍ତି । ଜିଲ୍ଲାର ବିଭିନ୍ନ ଦପ୍ତରରେ ଏମାନେ କାମ କରି ବିଭିନ୍ନ ବିଭାଗର ସରକାରୀ କାର୍ଯ୍ୟ ସହିତ ଜଡ଼ିତ ହୁଅନ୍ତି । ଏହାଛଡ଼ା ରାଜସ୍ୱ ଅଧିକାରୀ ତାଲିମ ସଂସ୍ଥାନ (ରୋଟି) ଓ ଗୋପବନ୍ଧୁ ପ୍ରଶାସନ ତାଲିମ ସଂସ୍ଥାନରେ ମଧ୍ୟ ଏମାନଙ୍କୁ ବିଷୟ ବିଶେଷଜ୍ଞମାନେ ତାଲିମ ଦେଇଥାନ୍ତି । ଏହାଛଡ଼ା ଏହି ବର୍ଷିକିଆ ତାଲିମ କାଳ ମଧ୍ୟରେ ଏହି ଅଧିକାରୀମାନେ ରାଜ୍ୟ ଭିତରର ଓ ବାହାରର ବିଭିନ୍ନ ସଂସ୍ଥାକୁ ପରିଦର୍ଶନରେ ଯାଇ ସେଠାରୁ ଜ୍ଞାନ ଆହରଣ କରନ୍ତି ।

ଏହି ତାଲିମ ଅଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ନିୟମାନୁଯାୟୀ ବିଭିନ୍ନ ବିଷୟରେ ପ୍ରଥମେ ଲିଖିତ ପରୀକ୍ଷା କରାଯାଏ ଏବଂ ପରେ ପରେ ସେମାନଙ୍କର ମୌଖିକ ପରୀକ୍ଷା ବିଷୟ ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥାଏ । ଏମାନଙ୍କର ଲିଖିତ ପରୀକ୍ଷା ଗତ ଜୁନ୍‍ ମାସରେ ସରିବା ପରେ ଚଳିତ ଜୁଲାଇ ୨ରୁ ୪ ତାରିଖ ପର୍ଯ୍ୟନ୍ତ କଟକରେ ମୌଖିକ ପରୀକ୍ଷା ହେବ ବୋଲି ସଂପୃକ୍ତ ଅଧିକାରୀମାନଙ୍କୁ ଜଣାଇ ଦିଆଯିବା ସହ ସେମାନଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଏଥିଲାଗି ଏମାନେ ମଧ୍ୟ ପୂରା ପ୍ରସ୍ତୁତି ଚଳାଇଥିଲେ । ଏହି ତାଲିମପ୍ରାପ୍ତ ଅଧିକାରୀମାନେ ଆନ୍ଦୋଳନରେ ସାମିଲ ନଥିଲେ । ଏମିତିକି ବନ୍ୟାଞ୍ଚଳରେ ଓ ରଥଯାତ୍ରାରେ ବହୁ ସଂଖ୍ୟକ ତାଲିମ ଅଧିକାରୀ ମଧ୍ୟ ସରକାରୀ ଡ୍ୟୁଟିରେ ଥିଲେ । ତେବେ ହଠାତ୍‍ ସେମାନେଙ୍କୁ ଜଣାଇ ଦିଆଗଲା ଯେ ଓଏଏସ୍‍ ସଂଘର ଆନ୍ଦୋଳନ ଭିତ୍ତିଭୂମିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୌଖିକ ପରୀକ୍ଷା ସ୍ଥଗିତ ରଖାଗଲା ବୋଲି ।

ଏଠାରେ ଉଲ୍ଲେଖନୀୟ ଯେ ତାଲିମ ପରେ ଲିଖିତ ଓ ମୌଖିକ ପରୀକ୍ଷାରେ ଯେଉଁ ତାଲିମ ଅଧିକାରୀମାନେ ସଫଳତା ହାସଲ କରନ୍ତି ସେମାନଙ୍କୁ ଓଏଏସ୍‍ ଚାକିରିରେ ସ୍ଥାୟୀ କରାଯାଇଥାଏ । ତେଣୁ ଏହି ପରୀକ୍ଷାକୁ ସରକାର ମଧ୍ୟ ଗୁରୁତ୍ୱର ସହ ନେଇଥାନ୍ତି । ପରୀକ୍ଷକ ଓ ପରୀକ୍ଷାର୍ଥୀ ପ୍ରସ୍ତୁତ ଥିବାବେଳେ କାହିଁକି ଯେ ଏହି ପରୀକ୍ଷା ସ୍ଥଗିତ ରଖାଗଲା ସେଥିଘେନି ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ କହୁଛନ୍ତି ଯେ ସ୍ଥଗିତ ଥିବା ମୌଖିକ ପରୀକ୍ଷା ଖୁବ୍‍ଶୀଘ୍ର କରାଯିବ ଏବଂ ଏଥିଲାଗି ଠିକଣା ସମୟରେ ବିଜ୍ଞପ୍ତି ଜାରି ହେବ । (ତଥ୍ୟ)