Home Administration ଓଏଏସ୍‍ ଅଧିକାରୀଙ୍କୁ ୫ଟି ମନ୍ତ୍ର

ଓଏଏସ୍‍ ଅଧିକାରୀଙ୍କୁ ୫ଟି ମନ୍ତ୍ର

ଭୁବନେଶ୍ୱର : ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଓଡିଶା ପ୍ରଶାସନିକ ସେବା ଅଧିକାରୀ(୨୦୨୦ବ୍ୟାଚ)ଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡିଶା  ସତ୍ୟବ୍ରତ ସାହୁ  ଉଦଘାଟନ କରିଥିଲେ  I ଏହି ଅବସରରେ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ ଯେ ସରକାରଙ୍କର ସମସ୍ତ ନିଷ୍ପତ୍ତି ତଥା ନୀତିନିୟମକୁ ଲୋକାଭିମୁଖୀ କରାଇବାରେ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି I

 ରାଜସ୍ୱ ବିଭାଗ ହେଉଛି ସରକାରଙ୍କର ମୁଖଶାଳା I ରାଜ୍ୟ ସରକାରଙ୍କର “୫ଟି” ଉପକ୍ରମ ଏବଂ “ମୋ ସରକାର” ଆଭିମୁଖ୍ୟ ଅନୁଯାୟୀ ସମସ୍ତ ଯୋଜନାକୁ ସଫଳ କରାଇବା ପାଇଁ ସେ ଅଧିକାରୀମାନଙ୍କୁ ଉପଦେଶ ଦେଇଥିଲେ I ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶିକ୍ଷାନବୀଶମାନଙ୍କୁ ଭବିଷ୍ୟତରେ ଦିଆଯାଉଥିବା ସମସ୍ତ କାର୍ଯ୍ୟ ନିଷ୍ଠା ଓ ପ୍ରତିବଦ୍ଧତାର ସହିତ ସମ୍ପାଦନ କରିବାକୁ ଆହ୍ୱାନ ଦେଇଥିଲେ I

ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ସମସ୍ତ ଦରଖାସ୍ତକାରୀଙ୍କୁ ଉପଯୁକ୍ତ ସମ୍ମାନ ସହିତ ସେବା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ I ଓଡ଼ିଶାର ସମସ୍ତ ଜିଲ୍ଲାରେ ବୈଶିଷ୍ଟତା ଭରି ରହିଛି ଓ ଯେ କୌଣସି ଜିଲ୍ଲାରେ ନିଯୁକ୍ତି ମିଳିଲେ, ସେହି ଜିଲ୍ଲାରେ କାର୍ଯ୍ୟକୁ ସ୍ଵାଚ୍ଛନ୍ଦ୍ୟରେ ନିର୍ବାହ କରିବା ନିମନ୍ତେ ସେ ମଧ୍ୟ ଶିକ୍ଷାନବୀଶମାନଙ୍କୁ ଅନୁପ୍ରାଣିତ କରିଥିଲେ I ଓଡ଼ିଶାର ଜନସାଧାରଣଙ୍କୁ ସେବା ଯୋଗାଇବା ସମୟରେ ବ୍ୟକ୍ତିଗତ ଉଦ୍ୟମ ତଥା ଆନ୍ତରିକତା ରଖିବାକୁ ସେ ପରାମର୍ଶ ଦେଇଥିଲେ I

ଏହି ପ୍ରଶିକ୍ଷଣ କର୍ମଶାଳାରେ ଉତ୍ତରାଞ୍ଚଳ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳାଇ, ପୂର୍ବତନ ଓଡିଶା ଲୋକ ସେବା ଆୟୋଗର ସଭ୍ୟ ଡଃ. ନିରଞ୍ଜନ ସାହୁ, ଶିକ୍ଷାନବୀଶମାନଙ୍କୁ ଲୋକମାନଙ୍କ ହିତରେ କାମ କରିବା ନିମନ୍ତେ ଅନୁପ୍ରାଣିତ କରିଥିଲେ I କର୍ମଶାଳାକୁ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକ  ଶ୍ରୀ ଜ୍ୟୋତି ପ୍ରକାଶ ଦାସ ପରିଚାଳନା କରିଥିଲେ ଓ କର୍ମଶାଳାକୁ ଉପଯୋଗ କରି ରାଜସ୍ୱ ବିଭାଗର ସମସ୍ତ ନିୟମ କାନୁନ ବିଷୟରେ ପୂଙ୍ଖାନୁପୁଙ୍ଖ ଭାବେ ଅବଗତ ହୋଇ ଲୋକମାନଙ୍କ ସେବା କରିବାକୁ ଉଦବୋଧନ ଦେଇଥିଲେ I ଏହି ଉଦଘାଟନ ସମାରୋହରେ ଯୁଗ୍ମ ନିର୍ଦ୍ଦେଶକ ଆଶିଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ I