Home Education ଏ++ ମାନ୍ୟତା ପରେ ପଦବୀ ପୂରଣ କର

ଏ++ ମାନ୍ୟତା ପରେ ପଦବୀ ପୂରଣ କର

ଭୁବନେଶ୍ୱର : ସର୍ବାଧିକ ନାକ୍‍ ଗ୍ରେଡ୍‍ ହାସଲ କରିଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ସବୁଠାରୁ ଅଧିକ ପିଏଚ୍‍ଡି ଉପାଧି ପ୍ରଦାନ କରିଛି । ଏହା ସତ୍ୱେ ବି ରେଭେନ୍ସାରେ ଦେଢଶହରୁ ଅଧିକ ଶିକ୍ଷକ ଓ ୪୦ରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି ପଡିଛି । ଏ++ ଗ୍ରେଡ୍‍ ନାକ୍‍ ମାନ୍ୟତା ହାସଲ କରି ରେଭେନ୍ସା ରାଜ୍ୟର ଗୌରବ ବଢାଇଥିବାବେଳେ ଏହି ବିଶ୍ୱବିଦ୍ୟାଳୟର ଖାଲି ପଡିଥିବା ସମସ୍ତ ପଦବୀ ତୁରନ୍ତ ପୂରଣ କରିବାଲାଗି ଛାତ୍ରଛାତ୍ରୀ ମହଲରୁ ଦାବି ଉଠୁଛି ।

ଗତବର୍ଷ ସୁଦ୍ଧା ରାଜ୍ୟର ୧୫ଟି ସରକାରୀ ବିଶ୍ୱବିଦ୍ୟାଳୟ ୨୯୨୪ଟି ପିଏଚ୍‍ଡି ଡିଗ୍ରୀ କୃତୀ ଗବେଷକ ଗବେଷିକାମାନଙ୍କୁ ପ୍ରଦାନ କରିଥିଲେ । ମଧୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର, କଳାହାଣ୍ଡି, ଖଲିକୋଟ, ବିକ୍ରମଦେବ ଓ ଧରଣୀଧର ବିଶ୍ୱବିଦ୍ୟାଳୟରୁ ଜଣେ ହେଲେ କେହି ଗତବର୍ଷ ପିଏଚ୍‍ଡି ଡିଗ୍ରୀ ପାଇନଥିବାବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ମାତ୍ର ଦୁଇ ଜଣ ପିଏଚ୍‍ଡି ପାଇଥିଲେ ।

ପିଏଚ୍‍ଡି ତାଲିକାରେ ସବୁଠାରୁ ଉପରେ ରେଭେନ୍ସା ୫୬୧ଜଣଙ୍କୁ ଏହି ଡିଗ୍ରୀ ପ୍ରଦାନ କରିଥିବାବେଳେ ଏ କ୍ଷେତ୍ରରେ ୫୨୭ଟି ପିଏଚ୍‍ଡି ପ୍ରଦାନ କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ସ୍ଥାନରେ ରହିଥିଲା । ଫକୀରମୋହନ ବିଶ୍ୱବିଦ୍ୟାଳୟ ଉକ୍ତ ବର୍ଷରେ ୪୯୭ ପିଏଚ୍‍ଡି ଡିଗ୍ରୀ ପ୍ରଦାନ କରି ଏ କ୍ଷେତ୍ରରେ ତୃତୀୟ ସ୍ଥାନରେ ଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ୪୭୦ଟି ପିଏଚ୍‍ଡି ଦେଇ ଚତୁର୍ଥ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଇ ୪୨୩ଟି ପିଏଚ୍‍ଡି ପ୍ରଦାନ କରି ପଞ୍ଚମ ସ୍ଥାନରେ ରହିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ ୩୫୭ଟି ପିଏଚ୍‍ଡି ଦେଇ ଷଷ୍ଠ ସ୍ଥାନରେ ଥିବାବେଳେ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ୫୩ଟି ପିଏଚ୍‍ଡି ପ୍ରଦାନ କରି ସପ୍ତମ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ୩୪ଟି ପିଏଚ୍‍ଡି ପ୍ରଦାନ କରି ଅଷ୍ଟମ ସ୍ଥାନରେ ରହିଛି ।

ଏଠାରେର ଉଲ୍ଲେଖନୀୟ ଯେ ରେଭେନ୍ସା ହେଉଛି ଓଡିଶାର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ । ପରବର୍ତ୍ତୀ ସମୟରେ ଏହାକୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇଛନ୍ତି । ସରକାରୀ ହିସାବ ମୁତାବକ ଗତ ଫେବୃୟାରୀ ସୁଦ୍ଧା ରେଭେନ୍ସାର ୨୯ଟି ପ୍ରଫେସର ପଦବୀ ମଧ୍ୟରୁ ୨୦ଟି, ୭୧ଟି ସହଯୋଗୀ ପ୍ରଫେସର ପଦବୀ ମଧ୍ୟରୁ ୫୨ଟି ଓ ୧୬୭ଟି ସହକାରୀ ପ୍ରଫେସର ପଦବୀରୁ ୮୪ଟି ଖାଲି ପଡିଥିଲା । ମାତ୍ର ୯ଜଣ ପ୍ରଫେସରରେ ରେଭେନ୍ସାର କଳା, ବାଣିଜ୍ୟ, ବିଜ୍ଞାନ ଆଦି ବିଭାଗର ବିଭିନ୍ନ ବିଷୟରେ ପାଠପଢା ଓ ଗବେଷଣା ଚାଲୁଛି । ବହୁ ବିଭାଗ ବିନା ପ୍ରଫେସରରେ କାର୍ଯ୍ୟ କରୁଛି । ଏଥିଯୋଗୁଁ ଉଭୟ ଅଧ୍ୟାପନା ଓ ଗବେଣୋ କାର୍ଯ୍ୟ ବ୍ୟାହତ ହେଉଥିବାବେଳେ ସଂଖ୍ୟାଧିକ ଶିକ୍ଷକଙ୍କୁ ପ୍ରଶାସନିକ କାର୍ଯ୍ୟ ସହିତ ଏନଏସଏସ୍‍, ଏନ୍‍ସିସି ଆଦି କାର୍ଯ୍ୟ ଦାୟିତ୍ୱରେ ରଖାଯାଉଛି ।

ଏହି ବିଶ୍ୱବିଦ୍ୟାଳୟ ଲାଗି ୮୧ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ବି ପ୍ରାୟ ୪୦ଟି ଖାଲି ପଡିଛି । ଏତେ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରେଭେନ୍ସାର କୁଳପତିଙ୍କ ଦକ୍ଷ ନେତୃତ୍ୱ ଏବଂ ସାଂଗଠନିକ ଓ ପରିଚାଳନାଗତ କୃତିତ୍ୱ ଯୋଗୁଁ ତାଙ୍କ ଟିମ୍‍ ଐକ୍ୟବଦ୍ଧ ଭାବେ କାର୍ଯ୍ୟକରି ରେଭେନ୍ସାପାଇଁ ନାକ୍‍ରୁ ଏ++ ଗ୍ରେଡ୍‍ ହାସଲ କରିବାରେ ସଫଳ ହୋଇଛନ୍ତି । ଏ କ୍ଷେତ୍ରରେ ଉକ୍ତ ବିଶ୍ୱବିଦ୍ୟାଳୟର ବର୍ତ୍ତମାନର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କର ମଧ୍ୟ ଯଥେଷ୍ଟ ଅବଦାନ ଥିବା କୁହାଯାଉଛି । ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଉତ୍କଳର ନାକ୍‍ ଗ୍ରେଡ୍‍ ଏ+ ରୁ ଏ କୁ ଖସିଥିବାବେଳେ ରେଭେନ୍ସା କିନ୍ତୁ ଉଚ୍ଚକୁ ଉଠିଛି । (ତଥ୍ୟ)