Home General ଏ ବର୍ଷ ସରିବ କି ରତ୍ନଭଣ୍ଡାର ଗଣତି ମଣତି ?

ଏ ବର୍ଷ ସରିବ କି ରତ୍ନଭଣ୍ଡାର ଗଣତି ମଣତି ?

ଭୁବନେଶ୍ୱର : ୨୦୨୫ଶେଷ ପୂର୍ବରୁ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସାମଗ୍ରୀଗୁଡ଼ିକର ଗଣତି ମଣତି କାମ ଶେଷ ହୋଇପାରେ । ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ରତ୍ନଭଣ୍ଡାର ଗୃହର ମରାମତି କାର୍ଯ୍ୟ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ôଚଥିବାବେଳେ ଖୁବ୍‍ଶୀଘ୍ର ରତ୍ନଭଣ୍ଡାରର ଗଣତି ମଣତି କାମ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏଥିଲାଗି ଜଣେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି କାର୍ଯ୍ୟ କରୁଛି ।

ଏଠାରେ ଉଲ୍ଲେଖନୀୟ ଯେ ଶେଷଥର ପାଇଁ ୧୯୭୮ ମସିହାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମହଜୁଦ ସାମଗ୍ରୀଗୁଡ଼ିକର ଗଣତି ମଣତି କରାଯାଇ ତାଲିକା ପ୍ରସ୍ତୁତ କରାଯାଇଥିଲା । ଏହା ପରଠାରୁ ଆଉ କେବେ ଏହି ମୂଲ୍ୟବାନ ସାମଗ୍ରୀଗୁଡ଼ିକର ହିସାବ କରାଯାଇ ନାହିଁ । ଶ୍ରୀମନ୍ଦିରର ନିରପତ୍ତା ସ୍ଥିତି ଘେନି ଏକ ବିଚାରାଧୀନ ମାମଲା ପରିପ୍ରେକ୍ଷୀରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ଲାଗି ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶର ପ୍ରତିପାଳନ ପାଇଁ ୨୦୧୮ ମସିହାରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ରତ୍ନଭଣ୍ଡାରକୁ ଯିବାବେଳେ ଭିତର ରତ୍ନଭଣ୍ଡାରର ଚାବି ମିଳିନଥିଲା । ସେତେବେଳେ ଏହି ଚାବି ହଜିଯାଇଛି ବୋଲି ବ୍ୟାପକ ଆଲୋଚନା ଓ ସମାଲୋଚନା ଚାଲିଥିବା ବେଳେ ପୁରୀ ଜିଲ୍ଲାପାଳଙ୍କ ରେକର୍ଡ ରୁମ୍‍ର ଏକ ପରିତ୍ୟକ୍ତ ଥାକରୁ ଏକ ପୁରୁଣା ଚାବି ମିଳିଥିଲା ଏବଂ ଏହାକୁ ରତ୍ନଭଣ୍ଡାରର ଡୁପ୍ଲିକେଟ୍‍ ଚାବି ବୋଲି କୁହାଯାଇଥିଲା ।

ରତ୍ନଭଣ୍ଡାରର ମୂଳ ଚାବି କୁଆଡ଼େ ଗଲା ଏବଂ ଏହାକୁ କିଏ ନେଲେ ଓ ଏହାର ଅପବ୍ୟବହାର କରି ରତ୍ନଭଣ୍ଡାର ଭତରୁ ସାମଗ୍ରୀ କେହି ନେଇଛନ୍ତି ନା ନାହିଁ ସେଥିଘେନି ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ରଘୁବୀର ଦାସଙ୍କୁ ତଦନ୍ତ କମିଶନ ନିଯୁକ୍ତ କରିଥିଲେ । ଜଷ୍ଟିସ ଦାସ କମିଶନଙ୍କ ରିପୋର୍ଟ ଅମଲାତନ୍ତ୍ରର ନଥିତଳେ ୫ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାପି ହୋଇ ରହିଛି ଏବଂ ଏହାକୁ ବିଧାନସଭାରେ ଉପସ୍ଥାପନ କରାଯାଉ ନାହିଁ କି ସାର୍ବଜନୀନ କରାଯାଉନାହିଁ । ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟରେ ମାମଲା ଚାଲିଥିବାବେଳେ ସରକାରଙ୍କ ପକ୍ଷରୁ କେବଳ ସମୟ ଗଡ଼ା ଚାଲିଛି ।

ଗତ ସାଧାରଣ ନିର୍ବାଚନ ବେଳେ ବିଜେପି ତାହାର ସଂକଳ୍ପ ପତ୍ରରେ ରତ୍ନଭଣ୍ଡାର ଖୋଲି ସେଠାରେ ଗଚ୍ଛିତ ସାମଗ୍ରୀର ଗଣତି ମଣତି କରିବା ଏବଂ ଚାବି ହଜା ଘଟଣାର ପର୍ଦ୍ଦାଫାସ କରିବ ବୋଲି ଘୋଷଣା କରିଥିଲା । ତେବେ ନିର୍ବାଚନରେ ବିଜୟୀ ହୋଇ ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ଶ୍ରୀମନ୍ଦିରର ଚାରିଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲିଦିଆଯିବା ସହ ରତ୍ନଭଣ୍ଡାର କମିଟିରେ ଅଦଳ ବଦଳ କରାଯାଇଥିଲା । ଏହାପରେ ରତ୍ନଭଣ୍ଡାରରେ ମହଜୁତ ଥିବା ସାମଗ୍ରୀକୁ କଡ଼ା ନିରାପତ୍ତା ବ୍ୟବସ୍ଥାରେ ଅନ୍ୟ ଏକ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‍କୁ ସ୍ଥାନାନ୍ତର କରାଯାଇ ରତ୍ନଭଣ୍ଡାର ଗୃହର ମରାମତି କାମ ଚାଲିଥିଲା । ଏବେ ମରାମତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ôଚଥିବାବେଳେ ଖୁବ୍‍ଶୀଘ୍ର ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‍ରୁ ରତ୍ନ ଅଳଙ୍କାରମାନ କଢ଼ାଯାଇ ଗଣତି ମଣତି ପରେ ରତ୍ନଭଣ୍ଡାରରେ ରଖାଯିବ ବୋଲି କୁହାଯାଉଛି ।

ତେବେ ବିଭିନ୍ନ ପର୍ବପର୍ବାଣୀକୁ ଆଖିଆଗରେ ରଖି ସୀମିତ ସମୟ ଭିତରେ ମରାମତି କାମ ଶେଷ କରାଯିବା ପରେ ଆଗାମୀ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରୁ ରତ୍ନଭଣ୍ଡାର ସଂପତ୍ତିର ଗଣତି ମଣତି ହେବ ବୋଲି କୁହାଯାଉଛି । ଏହାଛଡ଼ା ୧୯୭୮ ପରଠାରୁ ଗତ ୪୭ବର୍ଷ ମଧ୍ୟରେ ଆଉ କେତେ ମୂଲ୍ୟବାନ ଅଳଙ୍କାର ଦାନ ସୂତ୍ରରେ ମିଳିଛି ସେଗୁଡ଼ିକର ମଧ୍ୟ ସଠିକ୍‍ ହିସାବ କରାଯାଇ ଶ୍ରୀମନ୍ଦିରର ସମସ୍ତ ସ୍ଥାବର ଅସ୍ଥାବର ସଂପତ୍ତିର ତାଲିକା ଓ ସେଗୁଡ଼ିକର ବର୍ତ୍ତମାନର ସ୍ଥିତି ସଂପର୍କରେ ସାଧାରଣ ଲୋକଙ୍କୁ ସରକାର ଜଣାଇ ସେମାନଙ୍କ ମନରେ ବସା ବାନ୍ଧିଥିବା ସନ୍ଦେହର ଅବସାନ ଘଟାଇବାକୁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି । (ତଥ୍ୟ)