Home Education ଏ ବର୍ଷ ଶିକ୍ଷକ ନିଯୁକ୍ତି ସମ୍ଭାବନା କମ୍‍

ଏ ବର୍ଷ ଶିକ୍ଷକ ନିଯୁକ୍ତି ସମ୍ଭାବନା କମ୍‍

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗର ନିୟନ୍ତ୍ରଣରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡିଥିବା ଶିକ୍ଷକ ପଦବୀ ସବୁ ଚଳିତ ଶିକ୍ଷା ବର୍ଷ ମଧ୍ୟରେ ପୂରଣ ହେବାର ସମ୍ଭାବନା କ୍ଷୀଣ । ଏବେ ଏହି ବିଭାଗର ୧୭ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୧୩ଟି ଲାଗି କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଶିକ୍ଷକ ନିଯୁକ୍ତି ପାଇଁ କିନ୍ତୁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ୧୯୪୩ ମସିହାରୁ ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଇଥିବା ବେଳେ ଏବେ ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ସଂଖ୍ୟା ୪୩ରେ ପହଞ୍ôଚଲାଣି । ଆଉ କେତେକ ସଂସ୍ଥା ଓଡ଼ିଶାରେ ଘରୋଇ ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି ।

ଉଚ୍ଚଶିକ୍ଷା ବିଭାଗ ବ୍ୟତୀତ କୃଷି, ସଂସ୍କୃତି, ସ୍ୱାସ୍ଥ୍ୟ ଏବଂ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ବି ସରକାରୀ ବିଶ୍ୱବିଦ୍ୟାଳୟମାନ ରହିଛି । ଏହାଛଡ଼ା କେନ୍ଦ୍ର ସରକାରର ମଧ୍ୟ ଓଡ଼ିଶାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଛି । ମୋଟାମୋଟି ଭାବେ ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପାଖାପାଖି ୧୫୦୦ ଶିକ୍ଷକ ପଦବୀ ଖାଲି ପଡିଛି । ଏଥିଯୋଗୁ ବିଶ୍ୱବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ, ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଥିବାରୁ କୌଣସି ପ୍ରକାରେ ପାଠପଢ଼ା ଚଳାଇ ରଖିବା ଲାଗି ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଠିକା ଶିକ୍ଷକ ବା ଅତିଥି ଅଧ୍ୟାପକଙ୍କ ଉପରେ ନିର୍ଭରଶୀଳ ।

ସଂଶୋଧିତ ଆଇନ୍‍ ଅନୁଯାୟୀ ପ୍ରଥମେ ଖାଲି ପଡିଥିବା ୧୩ଟି ବିଶ୍ୱବିଦ୍ୟାଳୟ ଲାଗି କୁଳପତି ନିଯୁକ୍ତି କରିବା ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନ ଆଧାରରେ ଅନ୍ୟୁନ ୩୫୦ଟି ଆବେଦନ ପତ୍ର ମିଳିଛି । ଏହି ଆବେଦନ ପତ୍ରଗୁଡ଼ିକର ତନଖି ପରେ ଆଇନ୍‍ ଅନୁଯାୟୀ କମିଟି ମାଧ୍ୟମରେ ସମ୍ଭାବ୍ୟ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯିବ । ଏହାପରେ କୁଳାଧିପତି ବ୍ୟବସ୍ଥା ମୁତାବକ ବିଭିନ୍ନ ବିଶ୍ୱବିଦ୍ୟାଳୟ ଲାଗି କୁଳପତି ଚୟନ କରିବେ । ଏଯାବତ୍‍ ଉଚ୍ଚଶିକ୍ଷା ବିଭାଗର ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ସିଣ୍ଡିକେଟ୍‍ ଗଢ଼ାଯାଇ ନାହିଁ । ସିଣ୍ଡିକେଟ୍‍ର ସଦସ୍ୟଙ୍କୁ କୁଳପତି ଚୟନ କମିଟିରେ ରଖାଯିବାର ବ୍ୟବସ୍ଥା ଅଛି । ମୋଟାମୋଟି ଭାବେ କୁଳପତି ଚୟନ ପ୍ରକ୍ରିୟା ଯେଉଁ ଭାବରେ ଚାଲିଛି ସେଥିରୁ ଦୁର୍ଗାପୂଜା ଛୁଟି ପୂର୍ବରୁ କୁଳପତି ନିଯୁକ୍ତି ସମ୍ଭବପର ହୋଇନପାରେ ।

କୁଳପତି ନିଯୁକ୍ତି ପରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଭିନ୍ନଭିନ୍ନ ବିଜ୍ଞପ୍ତି ଜାରି କରି ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ଓ ପ୍ରଫେସ ପଦବୀ ପୂରଣ ଲାଗି ଖୋଲା ବିଜ୍ଞାପନ ପ୍ରକାଶ କରିବେ । ଏଥିରେ କେଉଁ ବିଷୟ ଲାଗି କେତେ ସଂଖ୍ୟକ ଶିକ୍ଷକ ଆବଶ୍ୟକ ଏବଂ ସେଥିରେ ସଂରକ୍ଷଣ ଭିତ୍ତିରେ କେଉଁ ବର୍ଗକୁ କେତେ ଆସନ ଦିଆଯିବ ତାହା ସ୍ପଷ୍ଟ ଉଲ୍ଲେଖ ରହିବ । ଏହାପରେ ଆବେଦନ ପତ୍ରଗୁଡ଼ିକୁ ତନଖି କରାଯାଇ କମିଟି ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯାଇ କୁଳାଧିପତିଙ୍କ ଅନୁମୋଦନ ନିଆଯିବ । ଏତେସବୁ ପ୍ରକ୍ରିୟା ସରିବା ବେଳକୁ ଚଳିତ ଶିକ୍ଷାବର୍ଷ ସରିଯାଇଥାଇପାରେ ।

ଉଚ୍ଚଶିକ୍ଷା ବିଭାଗର ୧୭ଟି ଯାକ ବିଶ୍ୱବିଦ୍ୟାଳୟ ପାଇଁ ପାଖାପାଖି ୨୯୦ ପ୍ରଫେସର ପଦବୀ ଥିବାବେଳେ ଏଗୁଡ଼ିକରେ ଏବେ ପ୍ରାୟ ୪୦ଜଣ ପ୍ରଫେସର କାର୍ଯ୍ୟ କରୁଛନ୍ତି । ଏହି ପ୍ରଫେସରମାନଙ୍କ ମଧ୍ୟରୁ ଅଧିକାଂଶ ଏକାଧିକ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ଲାଗି ଆବେଦନ କରିଛନ୍ତି । ଯଦି ଏମାନଙ୍କ ମଧ୍ୟରୁ ଏହି କୁଳପତି ପଦବୀ ଲାଗି ଯୋଗ୍ୟ ବିବେଚିତ ହୁଅନ୍ତି ତେବେ ପ୍ରଫେସର ପଦବୀରେ ଖାଲି ଆସନ ସଂଖ୍ୟା ଆହୁରି କମିଯିବ । ନୂଆ କୁଳପତି ନିଯୁକ୍ତି ଓ ସିଣ୍ଡିକେଟ୍‍ ଗଠନ ପରେ ସହଯୋଗୀ ପ୍ରଫେସର ଓ ପ୍ରଫେସର ପଦୋନ୍ନତି ପାଇଁ ବିଚାର କରାଯିବ ବୋଲି କୁହାଯାଉଛି । ଏବେ ରେସନାଲାଇଜେସନ୍‍ ନାମରେ ବିଭିନ୍ନ ବିଷୟର ଶିକ୍ଷକ ପଦବୀ ଉଚ୍ଛେଦ ହେଉଛି । ମୋଟାମୋଟି ଭାବେ ୧୭ଟି ବିଶ୍ୱବିଦ୍ୟାଳୟକୁ ଯେତେ ସଂଖ୍ୟକ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ରହିଛି ସେଥିରୁ ୧୨୦୦ରୁ ଅଧିକ ପଦବୀ ଖାଲି ପଡ଼ିବା ଯୋଗୁ ବିଶ୍ୱବିଦ୍ୟାଳୟଗୁଡ଼ିକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । (ତଥ୍ୟ)