ଭୁବନେଶ୍ୱର : ଲୋକସେବାଭବନରେ ଖାଲିଥିବା ୫ଶହରୁ ଅଧିକ ସେକ୍ସନ ଅଫିସର (ଏସ୍ଓ) ପଦବୀ ପୂରଣ ହୋଇପାରୁନାହିଁ । ଗୋଟିଏ ପଟେ ଏହି ପଦବୀକୁ ପଦୋନ୍ନତି ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁନଥିବାବେଳେ ଅନ୍ୟପଟେ ଆଇନ୍ ଅଦାଲତରେ ରୁଜୁ ମାମଲା ବି ପ୍ରତିବନ୍ଧକ ସାଜିଛି ।
ସଚିବାଳୟ ସେବା କ୍ୟାଡରରେ ୫ଶହରୁ ଅଧିକ ଏସ୍ଓ ପଦବୀ ଖାଲିପଡିଛି । ଏଏସ୍ଓମାନେ ପଦୋନ୍ନତି ପାଇ ଏହି ପଦବୀକୁ ଯିବାକଥା । ତେବେ ନିୟମ ଅନୁଯାୟୀ ଯେଉଁ ଏଏସ୍ଓମାନଙ୍କ ଚାକିରିକାଳ ୮ବର୍ଷ ପୂରଣ ହୋଇଥିବ ସେମାନେ ହିଁ ପଦୋନ୍ନତି ପାଇବେ । ତେବେ ଲୋକସେବା ଭବନରେ ଯେଉଁ ଏଏସ୍ଓମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ କାହାର ଚାକିରିକାଳ ୭ବର୍ଷ ତ ଆଉ କାହାର ୪ବର୍ଷ ହୋଇଛି ।
କେତେକ ଏଏସ୍ଓ ୨୦୧୩ ମସିହାରେ ଅନ୍ୟ ଚାକିରିରୁ ଆସି ଯୋଗ ଦେଇଥିବାବେଳେ ୨୦୧୬ରେ ହୋଇଥିବା ନିଯୁକ୍ତିରେ ବହୁ ଯୁବ ଏଏସ୍ଓମାନେ ନିଯୁକ୍ତି ପାଇଛନ୍ତି । ୨୦୧୩ରେ ନିଯୁକ୍ତି ପାଇଥିବା ଏଏସ୍ଓମାନଙ୍କ ମଧ୍ୟରୁ କେତେକଙ୍କର ଚାକିରି ଅବଧି ଆଗାମୀ ମାର୍ଚ୍ଚରେ ୮ବର୍ଷ ପୂରିବାକୁ ଯାଉଛି । ତେଣୁ ଜାନୁୟାରୀମାସ ସୁଦ୍ଧା କୌଣସି ଏଏସ୍ଓ ପଦୋନ୍ନତି ପାଇଁ ଯୋଗ୍ୟ ହୋଇପାରି ନାହାନ୍ତି ।
ଏସ୍ଓ ପଦବୀ ପୂରଣ କରିବାପାଇଁ ଗୃହ ବିଭାଗ ପଦୋନ୍ନତି ପାଇଁ ଥିବା ୮ବର୍ଷ ଚାକିରି କାଳକୁ କମାଇ ୪ବର୍ଷ କରିବାକୁ ନିଷ୍ପତ୍ତି ନେଇଥିଲେ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ଏ ନେଇ ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି)ଙ୍କୁ ପତ୍ର ଲେଖାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଏସ୍ଓ ପଦୋନ୍ନତି ନେଇ ଓପିଏସ୍ସି କର୍ତ୍ତୃପକ୍ଷ କୌଣସି ନିଷ୍ପତ୍ତି ଜଣାଇ ନାହାନ୍ତି ।
ଅନ୍ୟ ପକ୍ଷରେ ୨୦୧୬ ମସିହାରେ ସ୍ୱତନ୍ତ୍ର ଭାବେ ଏଏସ୍ଓ ପଦବୀରେ ନିଯୁକ୍ତି ପାଇଥିବା କେତେକ କର୍ମଚାରୀ ପଦୋନ୍ନତି ପାଇଁ ଚାକିରିକାଳ ୪ବର୍ଷକୁ ହ୍ରାସ ନକରିବାପାଇଁ ଓପିଏସ୍ସିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କ ଯୁକ୍ତି ହେଉଛି ଯେ ଯଦି ୪ବର୍ଷ ଚାକିରିକାଳକୁ ଆଧାର କରି ଏସ୍ଓ ପାହ୍ୟାକୁ ପଦୋନ୍ନତି ଦିଆଯିବ ତେବେ ବହୁ ଅଧିକାରୀ ବରିଷ୍ଠତା ତାଲିକାରେ ପଛରେ ରହିଯିବେ ଓ କନିଷ୍ଠ ଏସ୍ଓମାନେ ସେମାନଙ୍କ ପୂର୍ବରୁ ପଦୋନ୍ନତି ପାଇଯିବେ ।
ଏଣେ ଲୋକସେବାଭବନରେ ପଦୋନ୍ନତିକୁ ନେଇ ଭିନ୍ନ ଗୋଷ୍ଠିର ଏଏସ୍ଓମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପଦକ୍ରମ ତାଲିକାକୁ ନେଇ ରୁଜୁ ହୋଇଥିବା ମାମଲା ଯୋଗୁଁ ବି ଏଏସ୍ଓ ପଦୋନ୍ନତି ହୋଇପାରୁ ନାହିଁ । ଗୋଟିଏ ପଟେ ଶତାଧିକ ଏସ୍ଓ ପଦବୀ ଖାଲି ପଡିଥିବାବେଳେ ପଦୋନ୍ନତି ପାଇଁ ଥିବା ମାନଦଣ୍ଡ ଓ ଆଇନ୍ ଅଦାଲତରେ ମାମଲା ରୁଜୁ ଯୋଗୁଁ ନିକଟ ଭବିଷ୍ୟତରେ ଏହା ପୂରଣ ହେବାର ସମ୍ଭାବନା ନଥିବା କର୍ମଚାରୀମାନେ ମତ ଦେଉଛନ୍ତି । ଗୃହ ବିଭାଗ ତୁରନ୍ତ ମାମଲାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଆଶାୟୀ ପ୍ରାର୍ଥୀମାନେ ଦାବି କରିଛନ୍ତି ।