ଭୁବନେଶ୍ୱର : ରାଜ୍ୟରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ଉପରେ ଲଗାତାର ଭାବେ ଅତ୍ୟାଚାର ମାମଲା ବଢୁଥିବାବେଳେ ଏହିସବୁ ମାମଲାରେ ଦଣ୍ଡହାର ଅତ୍ୟନ୍ତ ନଗଣ୍ୟ ରହୁଛି । ଏହି ମାମଲାରେ ଦଣ୍ଡବିଧାନ ହାର ୬ ପ୍ରତିଶତରୁ ବି କମ୍ ରହିଛି ।
ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ରୁ ୨୦୨୧ ମଧ୍ୟରେ ଲଗାତାର ତିନି ବର୍ଷ ଧରି ଏଭଳି ଅତ୍ୟାଚାର ବଢିବାରେ ଲାଗିଛି । ୨୦୧୯ରେ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଉପରେ ହୋଇଥିବା ଅତ୍ୟାଚାର ସଂକ୍ରାନ୍ତରେ ୨୪୬୯ଟି ମାମଲା ରୁଜୁ ହୋଇଥିଲା । ଏହିସବୁ ମାମଲା ମଧ୍ୟରୁ ୧୭୨୬ଟିରେ ଚାର୍ଜସିଟ୍ ଦାଖଲ ହୋଇଥିବାବେଳେ ୧୦ଟିମାମଲାରେ ଦୋଷୀଙ୍କୁ ଦଣ୍ଡବିଧାନ ଓ ୨୮୮ଟି ମାମଲାରେ ଦୋଷୀମାନେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ସେହିବର୍ଷ ଦଣ୍ଡବିଧାନ ହାର ଥିଲା ୩.୩୬ ପ୍ରତିଶତ । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୭୯ଟି ମାମଲା ରୁଜୁ ହୋଇଥିବାବେଳେ ଏହି ଜିଲ୍ଲାରେ ଜଣେ ହେଲେ କେହି ଦଣ୍ଡିତ ହୋଇନଥିଲେ । ବରଂ ୧୩ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।
୨୦୨୦ରେ ଅତ୍ୟାଚାର ମାମଲା ସଂଖ୍ୟା ୨୬୭୦ରେ ପହଞ୍ଚିଥିଲା । ଏହି ବର୍ଷ ସର୍ବାଧିକ ୧୯୮ଟି ମାମଲା ଯାଜପୁର ଜିଲ୍ଲାରେ ରୁଜୁ ହୋଇଥିବାବେଳେ ବଲାଙ୍ଗିରରେ ୧୬୮ଟି ମାମଲା ହୋଇଥିଲା । ତେବେ ମୋଟ୍ ମାମଲା ମଧ୍ୟରୁ ପୁଲିସ୍ ୧୯୫୨ରେ ଚାର୍ଜସିଟ୍ ଦାଖଲ କରିଥିବାବେଳେ ମାତ୍ର ୫ଜଣ ଦଣ୍ଡିତ ହୋଇଥିଲେ । ୧୨୭ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିବାବେଳେ ୧୮୨୦ଟି ମାମଲାର ବିଚାର ଚାଲିଥିଲା । ଏହି ବର୍ଷ ଦଣ୍ଡବିଧାନ ହାର ଥିଲା ୩.୭୯ ପ୍ରତିଶତ ।
ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲା ସଂଖ୍ୟା ୨୦୨୧ରେ ତିନି ହଜାର ଅତିକ୍ରମ କରି ୩୦୦୩ରେ ପହଞ୍ଚିଥିଲା । ସର୍ବାଧିକ ୨୧୦ ମାମଲା ଯାଜପୁର ଜିଲ୍ଲାରେ ରୁଜୁ ହୋଇଥିବାବେଳେ କଟକରେ ୧୬୧, ଗଞ୍ଜାମରେ ୧୬୦ ଓ ମୟୁରଭଞ୍ଜରେ ୧୪୦ ମାମଲା ରୁଜୁ ହୋଇଥିଲା । ତେବେ ଏହି ବର୍ଷ ୧୯୭୭ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିବାବେଳେ ମାତ୍ର ୯ଜଣ ଦଣ୍ଡିତ ହୋଇଥିଲେ । ୧୪୨ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିବାବେଳେ ଦଣ୍ଡବିଧାନ ହାର ଥିଲା ୫.୯୬ ପ୍ରତିଶତ ।
ଅତ୍ୟାଚାର ମାମଲା ବୃଦ୍ଧିକୁ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ମଧ୍ୟରେ ଆଇନ୍ ବିଷୟରେ ସଚେତନତା ବୃଦ୍ଧିର କାରଣ ବୋଲି ସରକାର କହୁଥିବାବେଳେ ଦଣ୍ଡବିଧାନ ହାର ଛଅ ପ୍ରତିଶତ ମଧ୍ୟରେ ରହିବା ନେଇ ଆଇନ୍ଜ୍ଞମାନେ ଉଦ୍ବେଗପ୍ରକାଶ କରୁଛନ୍ତି । ମାମଲା ଦୀର୍ଘଦିନ ଧରି ଗଡିବା ଯୋଗୁଁ କେବଳ ଅପରାଧିମାନଙ୍କ କ୍ଷେତ୍ରରେ ଦଣ୍ଡବିଧାନରେ ବିଳମ୍ବ ହେଉନାହିଁ, ଅତ୍ୟାଚାର ମାମଲା ବୃଦ୍ଧିର ଏହା ଅନ୍ୟତମ କାରଣ ବୋଲି ସେମାନେ ମତ ଦେଉଛନ୍ତି । (ତଥ୍ୟ)