ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପ୍ରତି ଘଟୁଥିବା ବିଭିନ୍ନ କିସମର ଅପରାଧରେ ଓଡିଶାରେ ଦଣ୍ଡବିଧାନ ହାର ୧ ପ୍ରତିଶତ ମଧ୍ୟ ହୋଇପାରୁ ନାହିଁ । ଜାତୀୟ ହାର ଠାରୁ ଏ କ୍ଷେତ୍ରରେ ଓଡିଶା ଢେର ପଛରେ ପଡିଥିବା କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ମିଳିଥିବା ତଥ୍ୟରୁ ଜଣାପଡିଛି । ଗତ ସେପ୍ଟେମ୍ବର ମାସରେ ପ୍ରକାଶ ପାଇଥିବା କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୩ ରିପୋର୍ଟରେ ଏହା ଉଲ୍ଲେଖ ରହିଛି ।
ଏସସି ବର୍ଗର ଲୋକଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ୩,୧୧,୯୮୬ ମାମଲା ୨୦୨୩ ବର୍ଷ ସୁଦ୍ଧା ସାରା ଦେଶରେ ବିଚାର ପାଇଁ ରହିଛି । ଉକ୍ତ ବର୍ଷରେ ଏଭଳି ସମ୍ବେଦନଶୀଳ ମାମଲାରେ ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ୩୧.୯ ପ୍ରତିଶତ ରହିଛି । ସେହିଭଳି ଏସ୍ଟିବର୍ଗର ଲୋକଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ୪୯,୧୮୯ ମାମଲା ୨୦୨୩ ଶେଷସୁଦ୍ଧା ଆମ ଦେଶରେ ବିଚାର ପାଇଁ ଥିବାବେଳେ ଉକ୍ତ ବର୍ଷରେ ଏହି କିସମର ମାମଲାରେ ଜାତୀୟ ସ୍ତରରେ ଦଣ୍ଡ ବିଧାନ ହାର ୨୪.୬ ପ୍ରତିଶତ ରହିଥିବା ନେସନାଲ କ୍ରାଇମ ରେକର୍ଡ ବ୍ୟୁରୋର କ୍ରାଇମ ଇନ୍ ଇଣ୍ଡିଆ-୨୦୨୩ ରିପୋର୍ଟରେ ଉଲ୍ଲେଖ ଅଛି ।
ଅନ୍ୟ ପକ୍ଷରେ ଉକ୍ତ ବର୍ଷରେ ଓଡିଶାରେ ଏସସିଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲାରୁ ୫୪୬ଟି ଫଏସଲା ହୋଇଥିବାବେଳେ ସେଥିରୁ ମାତ୍ର ୨ଟିରେ ଦଣ୍ଡବିଧାନ ହୋଇଛି । କ୍ରାଇମ ଇନ୍ ଇଣ୍ଡିଆ ରିପୋର୍ଟ ମୁତାବକ ଏ କ୍ଷେତ୍ରରେ ଓଡିଶାରେ ଦଣ୍ଡବିଧାନ ହାର ଉକ୍ତ ବର୍ଷରେ ଥିବା ମାତ୍ର ୦.୪ ପ୍ରତିଶତ । ୨୦୨୩ ଶେଷ ସୁଦ୍ଧା ଓଡିଶାରେ ଏହି କିସମର ୨୧,୨୮୩ଟି ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏସସିଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାର ଫଏସଲା ହାର ଓଡିଶାରେ ମାତ୍ର ୨.୫ ପ୍ରତିଶତ ରହୁଛି ।
ସେହିପରି ଏସଟି ବର୍ଗର ଲୋକଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ୭୧୯୮ଟି ମାମଲା ୨୦୨୩ ବର୍ଷ ସୁଦ୍ଧା ଓଡିଶାରେ ବିଚାର ପାଇଁ ରହିଛି । ଏହି କିସମର ମାମଲାରୁ ବର୍ଷରେ ମାତ୍ର ୧.୫ ପ୍ରତିଶତ ଫଏସଲା ହେଉଥିବା ସରକାରୀ ରିପୋର୍ଟ କହୁଛି । ଏଠାରେ ଉଲ୍ଲେଖନୀୟ ଯେ ଏନସିଆରବିର ସଦ୍ୟ ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ ରିପୋର୍ଟର ତଥ୍ୟ ମୁତାବକ ୨୦୨୩ ମସିହାରେ ଏହି କିସମର ୧୧୧ଟି ମାମଲା ଓଡିଶାରେ ଫଏସଲା ହୋଇଥିବାବେଳେ ସେଥିରୁ ଗୋଟିକରେ ହେଲେ ବି ଦଣ୍ଡବିଧାନ ହୋଇନାହିଁ ଏବଂ ସମସ୍ତ ୧୧୧ଟି ଯାକ ମାମଲାର ଅଭିଯୁକ୍ତମାନେ ଖଲାସ ହୋଇଯାଇଛନ୍ତି ।
ଏସସି ଓ ଏସଟି ବର୍ଗର ଲୋକଙ୍କ ପ୍ରତି ଘଟୁଥିବା ଅପରାଧ ଓ ଅନ୍ୟାନ୍ୟ ନିର୍ଯ୍ୟାତନାର ନିରାକରଣ ପାଇଁ ଜାତୀୟ ଓ ରାଜ୍ୟ ସ୍ତରରେ ସ୍ୱତନ୍ତ୍ର ଆଇନ୍ମାନ ପ୍ରଣୟନ କରାଯାଇଛି । କେବଳ ସେତିକି ନୁହେଁ, ଜାତିପ୍ରଥା ସମ୍ପୂର୍ଣ୍ଣ ଉଚ୍ଛେଦ ହେଲାବୋଲି ସମ୍ବିଧାନର ୧୭ଧାରାରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହା ସତ୍ୱେ ବି ଏହି ବର୍ଗର ଲୋକଙ୍କ ପ୍ରତି ଅପରାଧ ଓ ଅନ୍ୟାନ୍ୟ ନିର୍ଯ୍ୟାତନା ଘଟି ଚାଲିଛି ।
ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଜନସଂଖ୍ୟା ଅନୁପାତରେ ପ୍ରତିନିଧିତ୍ୱ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଏହାଛଡା ସରକାରୀ ଚାକିରି କ୍ଷେତ୍ରରେ ମଧ୍ୟ ଜନସଂଖ୍ୟା ଅନୁପାତ ହାରରେ ଏହି ବର୍ଗଙ୍କ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ଅଛି । ପ୍ରଚଳିତ ଆଇନ୍ କାନୁନ୍ ମୁତାବକ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ପ୍ରଥମେ ଅଣସଂରକ୍ଷିତବର୍ଗର ଆସନଗୁଡିକ ଲାଗି ଯୋଗ୍ୟପ୍ରାର୍ଥୀ ଚୟନବେଳେ ସେଥିରେ ବି ଯୋଗ୍ୟତା, ଦକ୍ଷତା ଓ ବରିଷ୍ଠତା ଆଧାରରେ ସଂରକ୍ଷିତବର୍ଗର ପ୍ରାର୍ଥୀମାନଙ୍କୁ ଅଣସଂରକ୍ଷିତ ଆସନରେ ନିଯୁକ୍ତି ଦେବାର ବ୍ୟବସ୍ଥା ଅଛି । ଏହାପରେ ସଂରକ୍ଷିତ ଆସନ ଲାଗି ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବାକଥା । ସୁପ୍ରିମକୋର୍ଟ ଓ ହାଇକୋର୍ଟମାନେ ଏ ପ୍ରସଙ୍ଗରେ ବହୁ ଯୁଗାନ୍ତକାରୀ ରାୟ ଦେଇଥିବା ଏବଂ ସାଧାରଣ ପ୍ରଶାସନ ବିଭାଗ, ଆଇନ୍ ବିଭାଗ ଏବଂ ଏସଟି ଓ ଏସସି ଉନ୍ନୟନ ବିଭାଗ ଏ ସଂକ୍ରାନ୍ତରେ ମାଳ ମାଳ ମାର୍ଗନିର୍ଦ୍ଦେଶିକା ଜାରି କରିଥିଲେ ମଧ୍ୟ ଓଡିଶାରେ ଏହାର ଖୋଲା ଉଲ୍ଲଙ୍ଘନ ହେଉଥିବା ଘେନି ଗୁରୁତର ଅଭିଯୋଗମାନ ଆସୁଛି । (ତଥ୍ୟ)