ଭୁବନେଶ୍ୱର : ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳା ଓ ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧ ବର୍ଷକୁ ବର୍ଷ ଉଦ୍ବେଗଜନକ ହାରରେ ବଢି ଚାଲୁଥିବାବେଳେ ଏହି ମାମଲାଗୁଡିକର ଫଏସଲା ଓ ଦଣ୍ଡବିଧାନ ଅତ୍ୟନ୍ତ ନଗଣ୍ୟ । ଏହି ତଥ୍ୟ ଖୋଦ୍ କେନ୍ଦ୍ର ସରକାରଙ୍କ ଏନସିଆରବି ରିପୋର୍ଟର ସର୍ବଶେଷ ତଥ୍ୟରୁ ଜଣାପଡିଛି ।
୨୦୧୭ ଡିସେମ୍ବରରେ ପ୍ରକାଶ ପାଇଥିବା ଏହି ରିପୋର୍ଟର ତଥ୍ୟ ମୁତାବକ ଓଡିଶାରେ ଅନୁସୂଚିତ ଜାତିଙ୍କ ପ୍ରତି ଘଟିଥିବା ଅତ୍ୟାଚାର ସଂକ୍ରାନ୍ତୀୟ ୭୯୭୪ଟି ଅପରାଧିକ ମାମଲା ବିଚାରାଧିନ ଥିବାବେଳେ ଏହି ବର୍ଷରେ ମାତ୍ର ୩୪ଟି ମାମଲାରେ ଦଣ୍ଡବିଧାନ ହୋଇଥିବାବେଳେ ୯୮୩ଟିରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି । ଅର୍ଥାତ୍ ଉକ୍ତ ବର୍ଷରେ ଏଭଳି ମାମଲାରେ ଦଣ୍ଡବିଧାନ ହାର ମାତ୍ର ୩.୩ ପ୍ରତିଶତ ଥିଲା । ତେବେ ୨୦୨୩ ଡିସେମ୍ବରରେ ପ୍ରକାଶିତ ରିପୋର୍ଟର ତଥ୍ୟ ମୁତାବକ ୨୦୨୨ ସୁଦ୍ଧା ୧୯,୩୦୦ ଏଭଳି କିସମର ମାମଲା ରାଜ୍ୟରେ ବିଚାରାଧିନ ଥିବାବେଳେ ଉକ୍ତବର୍ଷରେ ମାତ୍ର ୪୦ଟି ମାମଲାରେ ଦଣ୍ଡବିଧାନ ହୋଇଥିବାବେଳେ ୨୦୮ଟିରେ ଅଭିଯୁକ୍ତ ଖସିଯାଇଛନ୍ତି ।
ସେହିଭଳି ଅନୁସୂଚିତ ଜନଜାତିଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲା ସଂଖ୍ୟା ୨୦୧୬ ବେଳକୁ ୩୨୪୨ ଥିବାବେଳେ ଉକ୍ତ ବର୍ଷରେ ମାତ୍ର ୧୮ଟି ମାମଲାରେ ଦଣ୍ଡବିଧାନ ହୋଇଥିବାବେଳେ ୨୯୯ଟିରେ ଅଭିଯୁକ୍ତ ଖସିଯାଇଥିଲେ ଏବଂ ଉକ୍ତବର୍ଷରେ ଦଣ୍ଡବିଧାନ ହାର ମାତ୍ର ୫.୭ ପ୍ରତିଶତ ଥିଲା । ଅନ୍ୟ ପକ୍ଷରେ ୨୦୨୨ ସୁଦ୍ଧା ଏସ୍ଟିଙ୍କ ପ୍ରତି ଅତ୍ୟାଚାର ମାମଲା ସଂଖ୍ୟା ରାଜ୍ୟରେ ବଢି ବଢି ୬୬୫୯ରେ ପହଞ୍ଚି ଥିବାବେଳେ ଉକ୍ତ ବର୍ଷରେ ମାତ୍ର ୯ଟି ମାମଲାରେ ଦଣ୍ଡବିଧାନ ହୋଇଥିବାବେଳେ ୩୭ଟିରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିଲେ ।
ଏହି ରିପୋର୍ଟର ତଥ୍ୟ ମୁତାବକ ୨୦୧୬ ବେଳକୁ ଓଡିଶାରେ ମହିଳାଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲା ସଂଖ୍ୟା ୮୨,୩୬୪ ଥିବାବେଳେ ୨୦୨୨ରେ ତାହା ୧,୭୬,୯୬୫ରେ ପହଞ୍ଚିଥିଲା । ସେହିଭଳି ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲା ସଂଖ୍ୟା ୨୦୧୬ ବେଳକୁ ୬୫୫୨ ଥିବାବେଳେ ତାହା ବଢି ବଢି ୨୦୨୨ ବେଳକୁ ୨୨,୪୨୪ରେ ପହଞ୍ଚିଛି ।
ଉଦବେଗଜନକ ତଥ୍ୟ ହେଉଛି ଯେ ୨୦୨୨ ବର୍ଷରେ ଫଏସଲା ହୋଇଥିବା ମହିଳାଙ୍କ ପ୍ରତି ଅପରାଧିକ ମାମଲାରୁ ମାତ୍ର ୬୭୧ଟିରେ ଦଣ୍ଡବିଧାନ ହୋଇଥିଲା ଯାହା ମୋଟେ ୯.୨ ପ୍ରତିଶତ । ଏଭଳି ମାମଲାରୁ କେବଳ ୪.୨ ପ୍ରତିଶତ ଉକ୍ତ ବର୍ଷରେ ଫଏସଲା ହୋଇଥିଲା । ସେହିଭଳି ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲା କ୍ଷେତ୍ରରେ ୨୦୨୨ ବର୍ଷରେ ମାତ୍ର ୧୨୫ଟିରେ ଦଣ୍ଡବିଧାନ ହୋଇଥିଲା । ଏହି ବର୍ଷରେ ଏଭଳି କିସମର ମୋଟ୍ ମାମଲାର ମାତ୍ର ୪.୪ ପ୍ରତିଶତ ଫଏସଲା ହୋଇଥିବାବେଳେ ଦଣ୍ଡବିଧାନ ହାର ଥିଲା ୧୨.୬ ପ୍ରତିଶତ ।
କେବଳ ଓଡିଶାରେ କାହିଁକି ଦେଶର ବିଭନ୍ନ ରାଜ୍ୟରେ ମହିଳା, ଶିଶୁ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ପ୍ରତି ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥା ଏହାକୁ ନିୟନ୍ତ୍ରଣ କରିବାରେ ବ୍ୟର୍ଥ ହେବାର ଅନ୍ୟତମ କାରଣ ନୈତିକ, ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାର ଅବକ୍ଷୟ । ପ୍ରାୟ ପ୍ରତିଦିନ ଗଣମାଧ୍ୟମରେ ଏଭଳି ଅପରାଧିକ ମାମଲା ସଂକ୍ରାନ୍ତରେ ଖବର ପ୍ରକାଶ ପାଉଛି ଏବଂ ତତଲା ତାୱାରେ ରୁଟି ସେକିବା ଭଳି ରାଜନୈତିକ ଦଳମାନେ ଏହି ପ୍ରସଙ୍ଗକୁ କିଛିଦିନ ଉଠାଇ ତା ପରେ ନିରବ ରହିଯାଉଛନ୍ତି । ଏଭଳି ଅପରାଧ ନିୟନ୍ତ୍ରଣ କରିବାପାଇଁ ପୁଲିସ୍, ପ୍ରଶାସନ, ଜେଲ୍ ଓ ବିଚାର ବ୍ୟବସ୍ଥା ଥିଲେ ମଧ୍ୟ ମାମଲା ସଂଖ୍ୟା ଯେଭଳି ବଢି ଚାଲିଛି ତାହା ନିୟନ୍ତ୍ରଣ ବାହାରକୁ ଯିବାଭଳି ମନେ ହେଉଛି । (ତଥ୍ୟ)