ଭୁବନେଶ୍ୱର : ଓଡିଶା ସମେତ ସାରା ଦେଶରେ ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମଦିନ ପାଳିତ ହେଉଥିବାବେଳେ ଓଡିଶାରେ ଘଟିଯାଇଛି ଏକ ସାଂଘାତିକ ଅଘଟଣ । ସମ୍ବିଧାନର ୧୭ଧାରାରେ ଜାତିପ୍ରଥା ଉଚ୍ଛେଦ ଘେନି ଘୋଷଣା କରାଯାଇଥିବାବେଳେ ଓଡିଶାରେ କିନ୍ତୁ ଅନୁସୂଚିତ ଜାତି ବର୍ଗର ଜଣେ ବ୍ୟକ୍ତି ମନ୍ଦିରରେ ଠାକୁରଙ୍କୁ ମୁଣ୍ଡିଆ ମାରିବା ଅପରାଧରେ ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ।
ଖୋରଧା ଜିଲ୍ଲାର ବୋଲଗଡ ଅଞ୍ଚଳରେ ଘଟିଥିବା ଏହି ଅଘଟଣରେ ୫୫ବର୍ଷ ବୟସ୍କ ପ୍ରତାପ ସେଠୀ ନିହତ ହୋଇଥିବାବେଳେ ତାଙ୍କ ୨୮ବର୍ଷ ବୟସର ପୁଅ ସଦାନନ୍ଦ ସେଠୀ ଆହତ ହୋଇ ଚିକିତ୍ସାଧିନ ରହିଛନ୍ତି । ଗାଁ ମନ୍ଦିରରେ ପ୍ରତାପ ସେଠୀ ଠାକୁରଙ୍କୁ ମୁଣ୍ଡିଆ ମାରିବା ଘଟଣାରୁ ତାଙ୍କୁ ଧକ୍କାମାରି ବିଦାକରି ଦିଆଯାଇଥିଲା ଏବଂ ପରେ ଅଭିଯୁକ୍ତମାନେ ପ୍ରତାପଙ୍କୁ ଗାଁ ଦାଣ୍ଡରେ ଖାସିକଟା ଚାପଡରେ ହତ୍ୟଶ କରିବା ସହିତ ତାଙ୍କ ପୁଅଙ୍କ ଦୁଇ ପାପୁଲିକୁ ମଧ୍ୟ ହାଣି ଦେଇଥିବା ଘେନି ଅଭିଯୋଗ ହୋଇଛି ।
ସମ୍ବିଧାନରେ ଜାତିପ୍ରଥା ଉଚ୍ଛେଦ ସହିତ ସମାନତାର ଅଧିକାର ପ୍ରଦାନ କରାଯାଇଥିବାବେଳେ ସମ୍ବିଧାନ ପ୍ରଣେତାଙ୍କ ଜନ୍ମଦିନରେ ବୋଲଗଡ ଅଞ୍ଚଳରେ ଘଟିଥିବା ଏହି ଅଭାବନୀୟ ଘଟଣା ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରୁଛି । ଏଠାରେ ଉଲ୍ଲେଖନୀୟ ଯେ ସ୍ୱାଧୀନତା ଆନ୍ଦୋଳନ କାଳରେ ଗାନ୍ଧୀ, ଗୋପବନ୍ଧୁ, ମଧୁବାବୁଙ୍କ ଭଳି ମନିଷୀମାନେ ଅସ୍ପୃଶ୍ୟତା ନିବାରଣ ପାଇଁ ସଂଘର୍ଷ କରିଥିଲେ । କିନ୍ତୁ ସ୍ୱାଧୀନତାର ୭୮ବର୍ଷରେ ବି ଅସ୍ପୃଶ୍ୟତାର କଳଙ୍କ ହିନ୍ଦୁଧର୍ମରୁ ଛାଡିବା ପରିବର୍ତ୍ତେ ଏହାକୁ କବଳିତ କରିଚାଲିଛି ।
ଓଡିଶା ସରକାରଙ୍କ ତଥ୍ୟ ମୁତାବକ ୨୦୨୪ ମସିହାରେ ରାଜ୍ୟରେ ତଫସିଲଭୁକ୍ତ ଜାତି ଲୋକଙ୍କ ଉପରେ ହୋଇଥିବା ଅତ୍ୟାଚାର ଆଧାରରେ ୨୭୦୪ଟି ମୋକଦ୍ଦମା ରୁଜୁ ହୋଇଥିବାବେଳେ ତଫସିଲଭୁକ୍ତ ଜନଜାତିଙ୍କ ଉପରେ ହୋଇଥିବା ନିର୍ଯ୍ୟାତନା ସଂକ୍ରାନ୍ତୀୟ ୫୯୯ଟି ମାମଲା ରୁଜୁ ହୋଇଥିଲା ।
କେନ୍ଦ୍ର ସରକାରଙ୍କ ସର୍ବଶେଷ ଏନସିଆରବି ରିପୋର୍ଟର ତଥ୍ୟ ମୁତାବକ ୨୦୨୩ ଆରମ୍ଭ ବେଳକୁ ସାରା ଦେଶରେ ୨,୮୩,୫୮୯ ଏସସି ନିର୍ଯ୍ୟାତନା ଓ ୪୫,୪୬୯ ଏସ୍ଟି ନିର୍ଯ୍ୟାତନା ମାମଲା ବିଚାର ପ୍ରତୀକ୍ଷାରେ ରହିଥିଲା । ଏହି ରିପୋର୍ଟର ତଥ୍ୟ ମୁତାବକ ୨୦୨୩ ଆରମ୍ଭ ସୁଦ୍ଧା ଅନୁସୂଚିତ ଜାତି ବର୍ଗଙ୍କ ପ୍ରତି ଘଟିଥିବା ଅପରାଧ ସଂକ୍ରାନ୍ତୀୟ ୧୯,୦୫୧ ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପ୍ରତି ଘଟିଥିବା ୬୬୧୩ଟି ଅପରାଧିକ ମାମଲା ବିଚାରାଧିନ ଥିଲା । ୨୦୨୨ ବର୍ଷରେ ଏ ଦୁଇ କିସମର ମାମଲାରେ ମାତ୍ର ୪୯ଜଣଙ୍କ ପ୍ରତି ଦଣ୍ଡବିଧାନ ହୋଇଥିବାବେଳେ ୨୪୫ଜଣ କିନ୍ତୁ ଖସିଯାଇଥିଲେ । ଅର୍ଥାତ୍ ୨୦୨୨ବର୍ଷରେ ଏସ୍ସିଙ୍କ ପ୍ରତି ଅପରାଧିକ ମାମଲାରେ ମାତ୍ର ୧.୩ ପ୍ରତିଶତ ଫଏସଲା ହୋଇଥିବାବେଳେ ଦଣ୍ଡବିଧାନ ହାର ଥିଲା ୧୬.୧ ପ୍ରତିଶତ ।
ସାମାଜିକ ସଚେତନତା ଅଭାବ ସହିତ ଅସ୍ପୃଶ୍ୟତା ନିରାକରଣ ପାଇଁ ଧାର୍ମିକ କ୍ଷେତ୍ରରେ ଜୋରଦାର ପଦକ୍ଷେପ ନିଆଯାଉନଥିବା ଏବଂ ରାଜନୈତିକ ବ୍ୟବସ୍ଥାର ଦୁର୍ବଳତା ଯୋଗୁଁ ରାଜ୍ୟରେ ଏସସି ଓ ଏସ୍ଟି ବର୍ଗଙ୍କ ପ୍ରତି ଅପରାଧିକ ମାମଲା ସଂଖ୍ୟା ଢେର ଅଧିକ ରହୁଛି । ଏହି ମାମଲାଗୁଡିକର ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ବିଚ୍ୟୁତି, ସାକ୍ଷ୍ୟ ପ୍ରମାଣ ଅଭାବ ଏବଂ ସର୍ବୋପରି ବିଳମ୍ବିତ ବିଚାର ଯୋଗୁଁ ଏଭଳି ଅପରାଧ ସଂକ୍ରାନ୍ତୀୟ ମାମଲା ବର୍ଷ ବର୍ଷ ଧରି ଗଡିବା ସହିତ ଦଣ୍ଡବିଧାନ ହାର କମ୍ ରହିବା ଆମ ବ୍ୟବସ୍ଥା ପାଇଁ ବଡ ଆହ୍ୱାନ ହୋଇଛି । ରାଜ୍ୟ ସରକାରଙ୍କ ମାମଲାନୀତି ଅନୁଯାୟୀ ଏ କିସମର ଅବରାଧିକ ମାମଲା ୫ବର୍ଷରୁ ଅଧିକ ସମୟ ଗଡିବାକଥା ନୁହେଁ । କିନ୍ତୁ ଦଶନ୍ଧି ଦଶନ୍ଧି ଧରି ଏଭଳି ମାମଲାମାନ ଗଡି ଚାଲୁଛି । (ତଥ୍ୟ)