Home Administration ଏସ୍‍ଟି ପ୍ରାର୍ଥୀ ପଦୋନ୍ନତିରୁ ବଞ୍ଚିତ

ଏସ୍‍ଟି ପ୍ରାର୍ଥୀ ପଦୋନ୍ନତିରୁ ବଞ୍ଚିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ପ୍ରଶାସନ କଳର ପକ୍ଷପାତ ନୀତି ଯୋଗୁ ଯୋଗ୍ୟତା ଓ ବରିଷ୍ଠତା ଥିଲେ ବି ଅନୁସୂଚିତ ଜନଜାତି ବର୍ଗର ବହୁ ପ୍ରାର୍ଥୀ ସରକାରୀ ଚାକିରି କ୍ଷେତ୍ରରେ ନିଯୁକ୍ତି ଓ ପଦୋନ୍ନତି ସୁଯୋଗରୁ ବର୍ଷବର୍ଷ ଧରି ବଞ୍ଚିତ ହେଉଥିବା ଘେନି ଗୁରୁତର ଅଭିଯୋଗ ଆସିଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚଳିତ ବିଧିବ୍ୟବସ୍ଥା ଅନୁଯାୟୀ ଚାକିରି ଓ ପଦୋନ୍ନତି କ୍ଷେତ୍ରରେ ଅଣସଂରକ୍ଷିତ ଆସନ କୌଣସି ବର୍ଗଙ୍କ ପାଇଁ ସଂରକ୍ଷିତ ନୁହେଁ । ଯଦି ଏସ୍‍ଟି କିମ୍ବା ଏସ୍‍ସି ବର୍ଗର କୌଣସି ପ୍ରାର୍ଥୀ ନିଜର ଦକ୍ଷତା ଓ ଯୋଗ୍ୟତା ପ୍ରତିପାଦିତ କରନ୍ତି ତେବେ ତାଙ୍କୁ ଅଣସଂରକ୍ଷିତ ଆସନରେ ନିଯୁକ୍ତି ଓ ପଦୋନ୍ନତି ଦିଆଯାଇପାରିବ । କେବଳ ସେତିକି ନୁହେଁ, ଅଣସଂରକ୍ଷିିତ ଆସନ ଲାଗି ଏସ୍‍ସି/ଏସ୍‍ଟି ଭଳି ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ବି ପଦୋନ୍ନତି ଓ ପ୍ରତ୍ୟକ୍ଷ ନିଯୁକ୍ତି ଲାଗି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ବୋଲି ସୁପ୍ରିମକୋର୍ଟଙ୍କ ରାୟ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳ ମାଳ ନିର୍ଦ୍ଦେଶାବଳୀ ଥିବା ସତ୍ତ୍ୱେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏ କ୍ଷେତ୍ରରେ ସଂରକ୍ଷିତ ବର୍ଗର ବରିଷ୍ଠ ପ୍ରାର୍ଥୀମାନଙ୍କୁ ଉପେକ୍ଷା କରି ସେମାନଙ୍କ ଠାରୁ ଢେର କନିଷ୍ଠ ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ପଦୋନ୍ନତି ଦେଇ ଚାଲିଥିବା ଘେନି ଗୁରୁତର ଅଭିଯୋଗ ହୋଇଛି ।

ଲଳିତ କୁମାର ନାଏକ ନାମକ ଏସ୍‍ଟି ବର୍ଗର ଜଣେ ଅମିନ ପଦୋନ୍ନତି କ୍ଷେତ୍ରରେ ତାଙ୍କୁ କେବଳ ସେ ଏସ୍‍ଟି ହୋଇଥିବାରୁ ଉପେକ୍ଷା କରାଯାଇଛି ବୋଲି ସ୍ପଷ୍ଟ ଅଭିଯୋଗ ଆଣିଛନ୍ତି । ଏ ସଂକ୍ରାନ୍ତରେ ଆଇନ୍‍ ଅଦାଲତରେ ମଧ୍ୟ ସେ ମାମଲା ରୁଜୁ କରି ନ୍ୟାୟ ଭିକ୍ଷା କରିଛନ୍ତି । ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲା ପ୍ରଶାସନ କହୁଛି ଯେ ଅଣସଂରକ୍ଷିତଙ୍କ ପାଇଁ ରୋଷ୍ଟର୍‍ରେ ଚିହ୍ନିତ ଆସନରେ କେବଳ ଅଣସଂରକ୍ଷିତ ପ୍ରାର୍ଥୀଙ୍କୁ ହିଁ ପଦୋନ୍ନତି ଦିଆଯାଇପାରିବ ଏବଂ ଯେତେ ବରିଷ୍ଠ, ଯୋଗ୍ୟ ଓ ଦକ୍ଷ ହେଲେ ବି ଅଣସଂରକ୍ଷିତ ଆସନରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ପଦୋନ୍ନତି ଦିଆଯାଇପାରିବ ନାହିଁ ବୋଲି କୁଆଡ଼େ ରାଜସ୍ୱ ବିଭାଗ ଜିଲ୍ଲା ପ୍ରଶାସନକୁ ସ୍ପଷ୍ଟୀକରଣ ଦେଇଛି । ଗତ ସରକାରରେ ରାଜସ୍ୱ ବିଭାଗ ଦୀର୍ଘବର୍ଷ ଧରି ଏସ୍‍ସି ଓ ଏସ୍‍ଟି ବର୍ଗର ଦୁଇଜଣ ବରିଷ୍ଠ ନେତ୍ରୀ ଓ ନେତାଙ୍କ ହାତରେ ଥିବା ବେଳେ ସଂରକ୍ଷିତ ବର୍ଗଙ୍କ ପ୍ରତି କିଭଳି ପାତରଅନ୍ତର କରାଗଲା ସେଥିଘେନି ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଛି ।

ଶ୍ରୀ ନାଏକ ୨୦୧୦ ମସିହାରେ କେନ୍ଦୁଝର ଜିଲ୍ଲାରେ ଅମିନ ଭାବେ ପ୍ରତ୍ୟକ୍ଷ ନିଯୁକ୍ତି ପାଇଥିଲେ । ତେବେ ପରବର୍ତ୍ତୀ ସମୟରେ ୨୦୧୨ ମସିହାରେ ଅଣସଂରକ୍ଷିତ ବର୍ଗର ଯେଉଁ ପ୍ରାର୍ଥୀମାନେ ନିଯୁକ୍ତି ପାଇଲେ ସେମାନେ ତାଙ୍କ ଠାରୁ ବରିଷ୍ଠତା ତାଲିକାରେ ଢେର ତଳେ ଥିଲେ ମଧ୍ୟ ରାଜସ୍ୱ ନିରୀକ୍ଷକ ପଦବୀ ପୂରଣ ଲାଗି ବିଭାଗୀୟ ପଦୋନ୍ନତି କମିଟି ଶ୍ରୀ ନାଏକଙ୍କ ପ୍ରାର୍ଥୀତ୍ୱକୁ ଅଗ୍ରାହ୍ୟ କରି କେବଳ ୨୦୧୨ ବ୍ୟାଚ୍‍ର ଅଣସଂରକ୍ଷିତ ପ୍ରାର୍ଥୀମାନଙ୍କୁ ରୋଷ୍ଟର୍‍ ପଏଣ୍ଟ ଆଧାରରେ ପଦୋନ୍ନତି ପାଇଁ ସୁପାରିସ କରିଥିଲେ । ଏ ସଂକ୍ରାନ୍ତରେ କେନ୍ଦୁଝରର ତତ୍କାଳୀନ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଗୁହାରି କଲେ ମଧ୍ୟ ରୋଷ୍ଟର୍‍ ପଏଣ୍ଟରେ ଥିବା ଅଣସଂରକ୍ଷିତ ଆସନରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ଓ ପଦୋନ୍ନତି ଦିଆଯାଇପାରିବ ନାହିଁ ବୋଲି ଯୁକ୍ତି ଦର୍ଶାଇ ତାଙ୍କ ଅଭିଯୋଗକୁ ଅଗ୍ରାହ୍ୟ କରିଦିଆଯାଇଥିଲା । କେବଳ ଶ୍ରୀ ନାଏକ ନୁହନ୍ତି କେନ୍ଦୁଝର ଜିଲ୍ଲାରେ ବହୁ ଏସ୍‍ସି ଓ ଏସ୍‍ଟି ପ୍ରାର୍ଥୀଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ଉପେକ୍ଷା କରାଯାଇଛି ବୋଲି ବାରମ୍ବାର ଅଭିଯୋଗ ଆସୁଛି ।

ସାରା ଦେଶରେ ଓ ରାଜ୍ୟରେ ଏଥିପାଇଁ ଥିବା ନୀତି ନିୟମ ଓ ମାର୍ଗ ନିର୍ଦ୍ଦେଶିକାକୁ ଉପେକ୍ଷା କରାଯାଇ କେନ୍ଦୁଝର ଜିଲ୍ଲାରେ ସତେ ଯେଭଳି ଏକ ଭିନ୍ନ ଆଇନ୍‍ ବ୍ୟବସ୍ଥା ଆଧାରରେ ନିଯୁକ୍ତି ଓ ପଦୋନ୍ନତି ଦିଆଯାଉଥିଲା ବୋଲି ବହୁ ବଞ୍ôଚତ ପ୍ରାର୍ଥୀ ଅଭିଯୋଗ କରିଛନ୍ତି । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅନୁସୂଚିତ ଜନଜାତି ବର୍ଗରୁ ଆସିଥିବା ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାରେ ଲଳିତ କୁମାର ନାଏକଙ୍କ ପ୍ରତି ଘଟିଥିବା ଅବିଚାରକୁ ତଦନ୍ତ କରି ତାଙ୍କୁ ନ୍ୟାୟ ଦେବା ସହିତ ଏଭଳି ଆଉ କେତେ ଘଟଣା ଘଟିଛି ସେ ସଂକ୍ରାନ୍ତରେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଯାଞ୍ଚ କମିଟି ଗଠନ କରି କାର୍ଯ୍ୟାନୁଷ୍ଠାନ ନେଲେ ନ୍ୟାୟରୁ ବଞ୍ôଚତ ସଂରକ୍ଷିତ ବର୍ଗର ଅନେକ ପ୍ରାର୍ଥୀ ଉପକୃତ ହେବା ସହ ଆଇନ୍‍ ଅଦାଲତ ଉପରେ ଏଭଳି ମାମଲାର ବୋଝ ହ୍ରାସ ପାଇବ ବୋଲି ଅଭିଜ୍ଞ ଆଇନ୍‍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)