Home General ଏସ୍‍ଆଇ ନିଯୁକ୍ତି ପରୀକ୍ଷା କେବେ?

ଏସ୍‍ଆଇ ନିଯୁକ୍ତି ପରୀକ୍ଷା କେବେ?

ଭୁବନେଶ୍ୱର : ପୁଲିସ ସବ୍‍ ଇନ୍ସପେକ୍ଟର ନିଯୁକ୍ତି କେଳେଙ୍କାରୀ ଘେନି ଗୋଟିଏ ପଟେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାର ପୁଲିସ ସମେତ ଅନ୍ୟ ୟୁନିଫର୍ମ ସେବା ଲାଗି ସ୍ୱତନ୍ତ୍ର ସିଲେକ୍ସନ୍‍ କମିଶନ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଏହି ପରୀକ୍ଷା କେବେ ହେବ ସେଥିଘେନି ବର୍ଷବର୍ଷ ଧରି ପ୍ରସ୍ତୁତି କରିଥିବା ପ୍ରାର୍ଥୀମାନେ ଉଦ୍‍ବେଗର ସହ ଅପେକ୍ଷା କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ଷ୍ଟାଫ୍‍ ସିଲେକ୍ସନ କମିଶନ ମାଧ୍ୟମରେ ପୁଲିସ ଏସ୍‍ଆଇ ନିଯୁକ୍ତି ଲାଗି ଯୋଗ୍ୟ ପ୍ରାର୍ଥୀ ଚୟନ କରାଯାଉଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଷ୍ଟାଫ୍‍ ସିଲେକ୍ସନ କମିଶନଙ୍କ ଠାରୁ ଏହି ଦାୟିତ୍ୱ କାଢ଼ି ଆଣି ନବଗଠିତ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ଉପରେ ଦାୟିତ୍ୱ ଦେଇଥିଲେ । ପୁଲିସ ନିଯୁକ୍ତି ବୋର୍ଡ ଏଥିଲାଗି ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ବିଜ୍ଞାପନ ମାଧ୍ୟମରେ ଦରଖାସ୍ତ ଆହ୍ୱାନ କରିଥିଲେ । ତେବେ ପରୀକ୍ଷା ପରିଚାଳନା ଦାୟିତ୍ୱ ବୋର୍ଡ ଅନ୍ୟ ସଂସ୍ଥାଙ୍କ ହାତରେ ଟେକି ଦେଇଥିଲା । ଯେଉଁ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଥିଲା ସେହି ସଂସ୍ଥା ମଧ୍ୟ ସବ୍‍ କଣ୍ଟ୍ରାକ୍ଟ ଭଳି ଅନ୍ୟ ଘରୋଇ ସଂସ୍ଥାକୁ ଅନଧିକୃତ ଭାବେ ଦାୟିତ୍ୱ ହସ୍ତାନ୍ତର କରିଥିଲା ।

ଏହି ଭିତ୍ତିଭୂମିରେ ପୁଲିସ ଏସ୍‍ଆଇ ନିଯୁକ୍ତିରେ କେଳେଙ୍କାରୀ ଘେନି ଗୁରୁତର ଅଭିଯୋଗ ଆସିବା ପରେ ଆନ୍ଧ୍ର ନିଆଯାଉଥିବା କିଛି ପ୍ରାର୍ଥୀଙ୍କୁ ପୁଲିସ ଗିରଫ କରିଥିଲା । ଏହାଛଡ଼ା ବିଭିନ୍ନ ସଂସ୍ଥା ଓ କୋଚିଙ୍ଗ ସେଣ୍ଟର ଉପରେ ମଧ୍ୟ ଚଢ଼ଉ କରି ଆଉ କେତେଜଣଙ୍କୁ ଗିରଫ କରାଯାଇଥିଲା । ଇତିମଧ୍ୟରେ ଗିରଫ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ଜାମିନ ପାଇସାରିଛନ୍ତି ।

ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ଦାୟିତ୍ୱ ପ୍ରଥମେ କ୍ରାଇମ୍‍ବ୍ରାଞ୍ଚକୁ ଓ ପରେ ସିବିଆଇକୁ ହସ୍ତାନ୍ତର କରିଥିଲେ । ଏହି ମାମଲା ବ୍ରହ୍ମପୁର କୋର୍ଟରେ ଚାଲିଥିବାବେଳେ ତାହାକୁ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ପଠାଇବା ପାଇଁ ଇତିମଧ୍ୟରେ ସିବିଆଇ ପକ୍ଷରୁ ଆଇନ୍‍ଗତ ପଦକ୍ଷେପ ନିଆଯାଇଛି ।

ରାଜ୍ୟ ସରକାର ଗତ ୨୧ ତାରିଖ କ୍ୟାବିନେଟ୍‍ରେ ପୁଲିସ ନିଯୁକ୍ତି ପାଇଁ ନୂଆ ଆୟୋଗ ଗଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଅଧିକ ସ୍ୱଚ୍ଛ ହୋଇପାରିବ ବୋଲି କୁହାଯାଉଛି । କ୍ୟାବିନେଟ୍‍ ନିଷ୍ପତ୍ତି ମୁତାବକ ରାଜ୍ୟ ସରକାର ଓଡ଼ିଶା ୟୁନିଫର୍ମଡ୍‍ ସର୍ଭିସ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ଗଠନ କରିବେ । ପୁଲିସ ଏସ୍‍ଆଇ ସହିତ ଅଗ୍ନିଶମ, ଅବକାରୀ, ଜେଲ୍‍, ବନ ବିଭାଗ, ପରିବହନ ବିଭାଗ ଆଦିର ୟୁନିଫର୍ମଡ୍‍ ସେବା ପାଇଁ ଆବଶ୍ୟକ ହେଉଥିବା କର୍ମଚାରୀଙ୍କୁ ଏହି ଆୟୋଗ ଚୟନ କରିବ ।

ପୂର୍ବ ବିଜ୍ଞାପନ ଅନୁଯାୟୀ ଯେଉଁମାନେ ସବ୍‍ ଇନ୍ସପେକ୍ଟର ଚାକିରି ଲାଗି ଆବେଦନ କରିଥିଲେ ଇତିମଧ୍ୟରେ ସେମାନଙ୍କ ଭିତରୁ କେତେକଙ୍କର ବୟସ ଅତିକ୍ରମ କରିବାକୁ ଯାଉଛି । ଏହାଛଡ଼ା ଖାଲି ପଡିଥିବା ପୁଲିସ ଏସ୍‍ଆଇ ପଦବୀ ସଂଖ୍ୟା ମଧ୍ୟ ଇତିମଧ୍ୟରେ ଢେର ବଢ଼ିଛି । ତେଣୁ ପୁରୁଣା ବିଜ୍ଞାପନ ଆଧାରରେ ଆବେଦନ କରିଥିବା ପ୍ରାର୍ଥୀମାନଙ୍କୁ ନେଇ ଚୟନ ପ୍ରକ୍ରିୟା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ କରିବ କି ନିଷ୍ପତ୍ତି ନିଆଯାଇଥିବା ନୂଆ କମିଶନ କରିବ ସେଥିଘେନି ଦ୍ୱନ୍ଦ୍ୱ ଉପୁଜିଛି । ଏଣେ ପର୍ଯ୍ୟାପ୍ତ ସଂଖ୍ୟକ ସବ୍‍ ଇନ୍ସପେକ୍ଟର ନଥିବାରୁ ଥାନା, ଫାଣ୍ଡିରେ ଚାପ ବଢ଼ୁଛି ।

ଏ ପରିପ୍ରେକ୍ଷୀରେ ସିବିଆଇ ତତ୍ତ୍ୱାବଧାନରେ ପୂର୍ବ ବିଜ୍ଞପ୍ତି ମୁତାବକ ତୁରନ୍ତ ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ କୌଣସି ବେସରକାରୀ ସଂସ୍ଥା କିମ୍ବା ତୃତୟପକ୍ଷଙ୍କୁ ସାମିଲ ନକରି ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ବହୁ ପ୍ରାର୍ଥୀ ନିବେଦନ କରୁଛନ୍ତି । କେବଳ ସେତିକି ନୁହେଁ, ସମସ୍ତ ସରକାରୀ ନିଯୁକ୍ତି ଓ ପରୀକ୍ଷାରେ ଦୁର୍ନୀତି ଏଡ଼ାଇବା ପାଇଁ ବେସରକାରୀ ସଂସ୍ଥାମାନଙ୍କୁ ବାଦ୍‍ ଦେବାକୁ ବୁଦ୍ଧିଜୀବୀମାନେ ମଧ୍ୟ ମତ ପୋଷଣ କରୁଛନ୍ତି । ତେବେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାରୀଙ୍କ ଉପରେ ନିର୍ଭର କରେ । (ତଥ୍ୟ)