Home Administration ଏସସି ଏସ୍‍ଟି ବର୍ଗରେ ଅଧା ପଦବୀ ଖାଲି

ଏସସି ଏସ୍‍ଟି ବର୍ଗରେ ଅଧା ପଦବୀ ଖାଲି

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ଯେତେ ପଦବୀ ସଂରକ୍ଷିତ ରହିଛି ସେଥିରୁ ପ୍ରାୟ ଅଧା ଖାଲି ପଡିଛି । ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟାରେ ଏଗୁଡିକୁ ତୁରନ୍ତ ପୂରଣ କରିବାପାଇଁ ଚାକିରି ପ୍ରତୀକ୍ଷାରେ ଥିବା ଏହି ବର୍ଗର ଆଶାୟୀ ପ୍ରାର୍ଥୀମାନେ ନିବେଦନ କରିଛନ୍ତି ।

ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓଡିଶାରେ ଚାକିରି କ୍ଷେତ୍ରରେ ଅନୁସୂଚିତ ଜନଜାତି ବର୍ଗଙ୍କ ଲାଗି ଜନସଂଖ୍ୟା ଅନୁପାତରେ ୨୨.୫ ପ୍ରତିଶତ ଆସନ ସଂରକ୍ଷିତ ଥିବାବେଳେ ଅନୁସୂଚିତ ଜାତି ବର୍ଗ ଲାଗି ୧୬.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଅଛି । ଏହି ଦୁଇ ବର୍ଗଙ୍କ ଲାଗି ୩୮.୭୫ ପ୍ରତିଶତ ଆସନ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷିତ ରହୁଥିବାରୁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ଆଖିଆଗରେ ରଖି ଏସଇବିସି ବର୍ଗଙ୍କ ପାଇଁ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖାଯାଇଛି ।

ସରକାରୀ ହିସାବ ମୁତାବକ ଗତବର୍ଷ ଅକ୍ଟୋବର ସୁଦ୍ଧା ରାଜ୍ୟରେ ଅନୁସୂଚିତ ଜାତି ବର୍ଗର କର୍ମଚାରୀଙ୍କ ସଂଖ୍ୟା ୯.୩୧ ପ୍ରତିଶତ ଥିବାବେଳେ ୬.୬୯ ପ୍ରତିଶତ ପଦବୀ ଖାଲି ପଡିଥିଲା । ସେହିଭଳି ଅନୁସୂଚିତ ଜନଜାତି ବର୍ଗର ଓଡିଶା ସରକାରୀ ଚାକିରିରେ ପ୍ରତିନିଧିତ୍ୱ ମାତ୍ର ୧୦.୦୬ ପ୍ରତିଶତ ଥିବାବେଳେ ପାଖାପାଖି ୧୨ ପ୍ରତିଶତ ଖାଲି ପଡିଛି ।

ଏହି ତଥ୍ୟ ଅନୁଯାୟୀ ‘କ’ ବର୍ଗର ସରକାରୀ ଚାକିରି କ୍ଷେତ୍ରରେ ଏସସି ବର୍ଗର ମାତ୍ର ୬.୯୦ ପ୍ରତିଶତ ଅଧିକାରୀ ଥିବାବେଳେ ଏସଟି ବର୍ଗର ଥିଲେ ୭.୦୭ ପ୍ରତିଶତ । ସେହିଭଳି ଦ୍ୱିୀତୟଶ୍ରେଣୀ ପାହ୍ୟାରେ ଏସସି ବର୍ଗର ମାତ୍ର ୮.୧୯ ପ୍ରତିଶତ ପ୍ରତିନିଧିତ୍ୱ ଥିବାବେଳେ ଏସଟି ବର୍ଗର ୭.୮୧ ପ୍ରତିଶତ ଅଧିକାରୀ ରହିଛନ୍ତି ।

ଦ୍ୱିୀତୟ ଶ୍ରେଣୀ ପାହ୍ୟାର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଏସଟି ବର୍ଗର ୧୧.୧୯ ପ୍ରତିଶତ ପୂରଣ ହୋଇଥିବାବେଳେ ଏସସି ବର୍ଗର ୯.୫୪ ପ୍ରତିଶତ ଚାକିରି କ୍ଷେତ୍ରରେ ରହିଛନ୍ତି । ଅନ୍ୟ ପକ୍ଷରେ ଚତୁର୍ଥଶ୍ରେଣୀ ପାହ୍ୟାରେ ଏସଟି ବର୍ଗର ପ୍ରତିନିଧିତ୍ୱ ମାତ୍ର ୯.୩୪ ପ୍ରତିଶତ ଥିବାବେଳେ ଏସସି ବର୍ଗର ପ୍ରତିନିଧିତ୍ୱ ରହିଥିଲା ୧୧.୯୮ ପ୍ରତିଶତ । ମୋଟାମୋଟି ଭାବେ ଓଡିଶା ସରକାରଙ୍କର ୪ଟି ବର୍ଗର କର୍ମଚାରୀଙ୍କ ଭିତରେ ଏସଟି ବର୍ଗର ୧୦.୦୬ ପ୍ରତିଶତ ରହିଥିବାବେଳେ ଏସସି ବର୍ଗର ୯.୩୧ ପ୍ରତିଶତ ଥିବା ବର୍ଷକ ତଳର ହିସାବରୁ ଜଣାପଡିଛି ।

ଆଇନ୍‍ଗତ ବ୍ୟବସ୍ଥା ଅନୁଯାୟୀ ଏସସି ଓ ଏସଟି ବର୍ଗ ପାଇଁ ସଂରକ୍ଷିତଥିବା ଚାକିରି ଖାଲି ପଡିଲେ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ବିଜ୍ଞାପନ ପ୍ରକାଶ କରି ଏଗୁଡିକ ପୂରଣ କରାଯିବାକଥା । ଏହି ବର୍ଗଙ୍କ ପାଇଁ ରୋଷ୍ଟର ପଏଣ୍ଟରେ ସଂରକ୍ଷିତ ଥିବା ପଦବୀଗୁଡିକ ଅନ୍ୟ କୌଣସି ବର୍ଗଙ୍କୁ ଦିଆଯାଇ ପାରିବନାହିଁ । ତେବେ ଗତ ଦୁଇ ବର୍ଷ ଭିତରେ ଏହି ସଂରକ୍ଷିତବର୍ଗ ଦୁଇଟିର ପଦବୀ ପୂରଣ ଲାଗି ସେମିତି କିଛି ବଡ ଧରଣର ସ୍ୱତନ୍ତ୍ର ଅଭିଯାନ ହୋଇପାରି ନାହିଁ । ତେବେ ଏସଇବିସି ବର୍ଗର ପ୍ରତିନିଧିତ୍ୱ ବି ୧୧.୨୫ ପ୍ରତିଶତରୁ କମ୍‍ ଥିବା ଏହି ସରକାରୀ ପରିସଂଖ୍ୟାନରୁ ଜଣାପଡିଛି ।

ମୋଟାମୋଟି ଭାବେ ୪ଟି ବର୍ଗର ସରକାରୀ ପଦ ପଦବୀରେ ଏସସି କର୍ମଚାରୀଙ୍କ ସଂଖ୍ୟା ୪୨ ହଜାରରୁ କମ୍‍ ଥିବାବେଳେ ଏସଟି କର୍ମଚାରୀଙ୍କ ସଂଖ୍ୟା ୪୫ ହଜାରରୁ ସାମାନ୍ୟ ଅଧିକ ଏବଂ ଏସଇବିସି କର୍ମଚାରୀଙ୍କ ସଂଖ୍ୟା ୪୯ ହଜାରରୁ କମ୍‍ ଥିବା ସରକାରୀ ହିସାବରୁ ଜଣାପଡିଛି ।

ଚାକିରି ପ୍ରତୀକ୍ଷାରେ ଥିବା ଏସସି ଓ ଏସ୍‍ଟି ବର୍ଗର ଅନେକ ଆଶାୟୀ ଏଥିଘେନି ଉଦବେଗ ପ୍ରକାଶ କରୁଛନ୍ତି । ବିଶେଷକରି ସେମାନଙ୍କ ପରିବାରର ଆର୍ଥିକ ଦୁରବସ୍ଥା ଯୋଗୁଁ ଏହି ବର୍ଗର ଅନେକ ଶିକ୍ଷିତ ବ୍ୟକ୍ତି ରାଜ୍ୟ ବାହାରକୁ କାମଧନ୍ଦା ଅନ୍ୱେଷଣରେ ପଳାଉଛନ୍ତି । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓଡିଶାରେ ଖାଲି ପଡିଥିବା ସମସ୍ତ ସଂରକ୍ଷିତ ପଦବୀଗୁଡିକୁ ତୁରନ୍ତ ପୂରଣ କରିବାଲାଗି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ବିଜ୍ଞାପନ ପ୍ରକାଶ କରିବାକୁ ସେମାନେ ଦାବି କରୁଛନ୍ତି । (ତଥ୍ୟ)