ଭୁବନେଶ୍ୱର : ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକଙ୍କ ପ୍ରତି ଅତ୍ୟାଚାର ମାମଲା ବଢି ଚାଲିଛି । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟଙ୍କ କ୍ଷେତ୍ରରେ ଏଭଳି ମାମଲା ବୃଦ୍ଧିର କାରଣହେଉଚି ମୁକ୍ତ ଅପରାଧିକ ମାମଲାର ପଞ୍ଜିକରଣ, ଜନସଂଖ୍ୟା ବୃଦ୍ଧି ତଥା ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଆଇନ୍ ବିଷୟରେ ସଚେତନତା ବୃଦ୍ଧି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୧୯ ମସିହାରେ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟ ବ୍ୟକ୍ତିଙ୍କ କ୍ଷେତ୍ରରେ ୨୪୬୯ଟି ମାମଲା ରୁଜୁ ହୋଇଥିବାବେଳେ ଏଥି ମଧ୍ୟରୁ ୧୭୨୬ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ସେହିଭଳି ୨୦୨୦ ବର୍ଷରେ ୨୬୭୦ ମାମଲା ରୁଜୁ ହୋଇଥିବାବେଳେ ୨୦୨୧ ବର୍ଷରେ ଏହି ସଂଖ୍ୟା ୩୦୦୩ ରେ ପହଞ୍ଚିଥିଲା ।
ତେବେ ଏଭଳି ସମସ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୬ ପ୍ରତିଶତରୁ କମ୍ ରହିଛି । ୨୦୧୯ ଦୋଷୀ ସାବ୍ୟସ୍ତ ହାର ୩.୩୬ ପ୍ରତିଶତ ଥିବାବେଳେ ୨୦୨୦ ରେ ଏହା ୩.୭୯ ପ୍ରତିଶତକୁ ବୃଦ୍ଧି ପାଇଥିଲା । ତେବେ ୨୦୨୧ ରେ ଏହା ୫.୯୬ ପ୍ରତିଶତକୁ ବଢିଛି । ସଂଖ୍ୟାଧିକ ମାମଲା ବିଚାରାଧିନ ରହିଛି । ୨୦୨୧ ରେ ୩୦୦୩ଟି ମାମଲା ରୁଜୁ ହୋଇଥିବାବେଳେ ୧୮୨୬ ଟି ମାମଲା ବିଚାରାଧିନ ଥିବା ଓ ୯ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)